ପାଣିପାଗ ବିଭାଗର ପୂର୍ବାନୁମାନ, ୧୦ ଯାଏଁ ରାଜ୍ୟରେ ବଢିବନି ଗରମ

Published By : Prameya-News7 Bureau | May 01, 2025 IST

ଭୁବନେଶ୍ୱର ୦୧।୦୫ : ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ଗରମ ବଢ଼ିବନି। କାଳବୈଶାଖୀ ଓ ଟ୍ରପଲାଇନ୍‌ର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ଅଛି। ପବନର ବେଗ ୫୦ରୁ ୬୦ କିମି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ୪୦ରୁ ୫୦ କିମି ଛୁଇଁପାରେ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୩୦କୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବ। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ୩ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୪, ୫ ଓ ୬ ତାରିଖରେ ବି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। 

ଭାରତୀୟ ପାଣିପାଗ ବିଭାଗ ମେ ମାସକୁ ନେଇ ଆକଳନ କରି କହିଛି, ମେ ମାସରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ରାତି ବେଳା ଅଧିକ ଗରମ ଓ ଗୁଳୁଗୁଳି ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ବହୁ ସ୍ଥାନରେ ଘନ ଘନ ବଜ୍ରପାତ ହୋଇଛି। ମାଲକାନଗିରିରେ ୨୨.୨ ମିମି ବର୍ଷା ହୋଇଛି। ଭବାନୀପାଟଣାରେ ୧୬.୬, ଟିଟିଲାଗଡ଼ରେ ୧୪, ରାୟଗଡ଼ାରେ ୧୩ମିମି ବର୍ଷା ରେକର୍ଡ ହୋଇଛି।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.