ମୌସୁମୀ ସକ୍ରିୟ ; ତାତିରେ ଲାଗିବ ବ୍ରେକ୍, ୧୭ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା !

Published By : Prameya-News7 Bureau | June 12, 2025 IST

ଭୁବନେଶ୍ୱର ୧୨।୦୬ : ଲମ୍ବା ବିରତି ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲେଉଟିଛି। ଆସନ୍ତା ଦୁଇଦିନ ଭିତରେ ମୌସୁମୀ  ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ଏପଟେ ରାଜ୍ୟରେ ତାତି ସାମାନ୍ୟ କମିଛି । ବର୍ଷା ବି  ହୋଇଛି କିଛି ସ୍ଥାନରେ। ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ୨ରୁ  ୪ ଡିଗ୍ରୀ ସେଲସିୟସ୍‌ କମିପାରେ। ନିୟମିତ  ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ।  

ବୁଧବାର ଅପରାହ୍ନ ସାଢ଼େ ୫ଟା ଭିତରେ ଭୁବନେଶ୍ୱର, ପାରାଦୀପ, କଟକ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଚାନ୍ଦବାଲି, ରାୟଗଡ଼ା, ପାରଳାଖେମୁଣ୍ଡି, ନୟାଗଡ଼, କେନ୍ଦୁଝରରେ   ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । ବର୍ତ୍ତମାନ   ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର  ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ଅଛି ।   

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ   ହେଲା, ଗୁରୁବାର ଉପକୂଳ  ଓଡ଼ିଶାର ଅନେକ ସ୍ଥାନ ସହ ରାୟଗଡ଼ା,  ମାଲକାନଗିରି, କୋରାପୁଟ, ଢେଙ୍କାନାଳର ଅଳ୍ପ  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।  ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୪୦  କିମି ବେଗରେ ପବନ ହୋଇପାରେ । ୨୫  ଜିଲ୍ଲାରେ ଘଡ଼ଘଡ଼ି ଏବଂ ପବନ ଆଶଙ୍କା ଅଛି।୧୩ରୁ ୧୭ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା  ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।  

ବୁଧବାର ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌, ସମ୍ବଲପୁର ୩୭.୬, ବଲାଙ୍ଗୀର ୩୬.୮, ହୀରାକୁଦ ୩୬.୩ ଡିଗ୍ରୀ ଥିଲା । କୋରାପୁଟ ସୁନ୍ଦରଗଡ଼, ରାଉରକେଲା, ବରଗଡ଼ରେ ତାପମାତ୍ରା ୩୬ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶା ୩୫ ଡିଗ୍ରୀ ତଳେ ଥିଲା। ଚାନ୍ଦବାଲି ୩୪.୬, ପାରାଦୀପରେ ୩୪.୩, ଭୁବନେଶ୍ୱର ୩୩.୪, କଟକ ୩୩.୨ ଓ ବାଲେଶ୍ୱର ୩୩.୨ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାରେ ଏବେ ବି ଗୁଳୁଗୁଳି ପ୍ରକୋପ ବିଶେଷ କମିନାହିଁ ।

 

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.