ଭୁବନେଶ୍ୱର ୨୮।୦୫: ଏଥର ମୌସୁମୀରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । ଆଜି ସକାଳୁ ଓଡ଼ିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ଏନ୍ଭରମେଣ୍ଟ ଆଣ୍ଡ କ୍ଲାଇମେଟ (ସିଇସି) ଆକଳନ କରିଛି । ଅବପାତ ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିପାରେ ବୋଲି ମଧ୍ୟ କୁହାଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ।
ବୁଧବାର ଓ ଗୁରୁବାର ଦୁଇ ଦିନ ପାଇଁ ବିଭିନ୍ନ ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବୁଧବାର(୨୮ ତାରିଖ) ଜଗତ୍ସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ୫ଟି ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ବୋଲି ଆକଳନ କରାଯାଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଗୁରୁବାର (୨୯ ତାରିଖ) ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଭଲ ବର୍ଷା ହେବ । ୩୦ ତାରିଖରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୩୧ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରର କିଛି ସ୍ଥାନରେ ଭଲ ବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଦେଶରେ ଚଳିତ ବର୍ଷ ମୌସୁମୀରେ ଜୁନ୍ରୁ ସେପ୍ଟେମ୍ବର ମାସରେ ୧୦୬% ବର୍ଷା ହୋଇପାରେ ବୋଲି ଆଇଏମ୍ଡି କହିଛି ।