ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଜୁନ ୨୦ରୁ ଖେଳାଯିବ। ଏହା ପୂର୍ବରୁ ଇଂଲଣ୍ଡ ଲାୟନ୍ସ ଓ ଭାରତୀୟ ଦଳ ମଧ୍ୟରେ ଦ୍ଵିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି। ଏହି ମୁକାବିଲାରେ ତାରକା ବ୍ୟାଟର କେଏଲ ରାହୁଲ ଶତକ ହାସଲ କରିଛନ୍ତି। ନର୍ଥମ୍ପଟନର କାଉଣ୍ଟି ଗ୍ରାଉଣ୍ଡରେ ଖେଳା ଯାଉଥିବା ମୁକାବିଲାରେ କେଏଲ ରାହୁଲ ୧୬୮ ବଲ୍ରୁ ୧୧୬ ରନର ଶତକୀୟ ଇନିଂସ ଖେଳିଛନ୍ତି। ଏଥିରେ ୧୫ ଚୌକା ଓ ଗୋଟିଏ ଛକା ସାମିଲ୍।
କେଏଲ ରାହୁଲ ଇଣ୍ଡିଆ ଏର ପ୍ରଥମ ଇନିଂସରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ ଓପନିଂ କରିଥିଲେ। ରାହୁଲ ଓପନିଂ କରିବାରୁ ଅଧିନାୟକ ଅଭିମନ୍ୟୁ ଈଶ୍ଵରନ ତୃତୀୟ ସ୍ଥାନରେ ବ୍ୟାଟିଂ କରିଛନ୍ତି। କିନ୍ତୁ ଇଂଲଣ୍ଡ ଲାୟନ୍ସ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟରେ ଈଶ୍ଵରନ ଜୟସ୍ଵାଲଙ୍କ ସହ ଓପନିଂ କରିଥିଲେ। ତେବେ ଦ୍ଵିତୀୟ ଅନୌପଚାରିକ ଟେଷ୍ଟରେ କେଏଲ ରାହୁଲ ଶତକ ହାସଲ କରି ସ୍ପଷ୍ଟ କରିଛନ୍ତି ସେ, ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଓପନିଂ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। ରାହୁଲ ଓ ଜୟସ୍ଵାଲ ଓପନିଂ କଲେ ଦଳକୁ ଲେଫ୍ଟ-ରାଇଟ୍ କମ୍ବିନେସନ ମଧ୍ୟ ମିଳି ପାରିବ।
ହେଣ୍ଡିଗ୍ଲେ ଟେଷ୍ଟରେ ତୃତୀୟ କ୍ରମରେ କରୁଣ ନାୟର, ସାଇ ସୁଦର୍ଶନ କିମ୍ବା ଅଭିମନ୍ୟୁ ଈଶ୍ଵରନଙ୍କ ମଧ୍ୟରୁ କୌଣସି ଜଣେଙ୍କୁ ସୁଯୋଗ ମିଳିପାରେ। ତଥାପି କରୁଣ ନାୟରଙ୍କ ଖେଳିବାର ସମ୍ଭାବନା ରହିଛି। ତାଙ୍କୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ପ୍ରଶଂସା କରିଛନ୍ତି। ଅଧିନାୟକ ଶୁଭମନ ଗିଲ୍ ନମ୍ବର ୪ରେ ବ୍ୟାଟିଂ କରି ପାରନ୍ତି।
Also read: ବେଙ୍ଗାଲୁରୁ ଦଳାଚକଟା ମାମଲାରେ ଟ୍ୱିଷ୍ଟ, ଇସ୍ତଫା ଦେଲେ କ୍ରିକେଟ ସଂଘର ୨ ସଦସ୍ୟ
ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ପଞ୍ଚମ ଓ ରବୀନ୍ଦ୍ର ଜାଡ଼େଜା ଷଷ୍ଠ କ୍ରମରେ ବ୍ୟାଟିଂ କରିବା ନିଶ୍ଚିତ ଲାଗୁଛି। ଅଲରାଉଣ୍ଡର ନୀତିଶ କୁମାରଙ୍କୁ ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ଅଧିକ ଗୁରୁତ୍ଵ ମିଳିପାରେ। ଏହା ପରେ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଭାବେ ତିନି ସ୍ପେଶାଲିଷ୍ଟ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କୁ ସ୍ପେଶାଲିଷ୍ଟ ସ୍ପିନର ଭାବେ ଚୁଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ।ଅର୍ଥାତ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ୪ ସ୍ପେଶାଲିଷ୍ଟ ବ୍ୟାଟର, ଜଣେ ଓ୍ଵିକେଟ୍ କିପର, ଦୁଇ ଅଲରାଉଣ୍ଡର, ତିନି ସ୍ପେଶାଲିଷ୍ଟ ଦ୍ରୁତ ବୋଲର ଓ ଜଣେ ବିଶେଷଜ୍ଞ ସ୍ପିନର ସହ ମଇଦାନକୁ ଓହ୍ଲାଇପାରେ।
ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ
ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ/କରୁଣ ନାୟର/ଅଭିମନ୍ୟୁ ଈଶ୍ଵରନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ।