ନୂଆଦିଲ୍ଲୀ ୧୧/୦୭: ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖରଗେ । ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବାକୁ ରାହୁଲ ଓଡ଼ିଶା ଆସୁଛନ୍ତି । ଏଥିପାଇଁ ବରମୁଣ୍ଡା ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି ।
ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର । ଦିନ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାହୁଲ ଗାନ୍ଧୀ । ରାହୁଲ ବିମାନ ବନ୍ଦର ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ଏକ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ ।
କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ । ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳଙ୍କୁ ଭେଟିବେ । ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ରାଜନୈତିକ କମିଟି ସହ ବୈଠକ ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ଆଲୋଚନା । ପରେ ସଂଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ ରାହୁଲ ଗାନ୍ଧି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ
ପରବର୍ତ୍ତୀ ରୋଡ ମ୍ୟାପ ପାଇଁ କଣ ଗୁରୁମନ୍ତ୍ର ଦେବେ ତାକୁ ଅପେକ୍ଷା ।
ସଭାମଞ୍ଚରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କିଭଳି ଘେରିବେ, କେଉଁ ପ୍ରସଙ୍ଗକୁ ନେଇ ଉଠାଇବେ ପ୍ରଶ୍ନ, ତା ଉପରେ ନଜର । ସେହିପରି ରାହୁଲଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଆସୁଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ବି ଗସ୍ତରେ ସାମିଲ ଅଛନ୍ତି ।