ସ୍ୱାଧୀନତା ଦିବସରେ ଆଗ ଧାଡ଼ି ବଦଳରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ପାଞ୍ଚ ନମ୍ବର ସିଟ୍, କଂଗ୍ରେସର ତୀବ୍ର ସମାଲୋଚନା

Published By : Prameya-News7 Bureau | August 15, 2024 IST

indiatoday

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର  ସର୍ବାଧିକ ୯୮ ମିନିଟ ଭାଷଣ ଦେଇଛନ୍ତି। ଏହି ସମାରୋହର ଶାସକ ଦଳର ନେତାମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତାମାନଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା। ହେଲେ ମୋଦୀଙ୍କ ୯୮ ମିନିଟ୍ ଭାଷଣର ଯେତେକି ଚର୍ଚ୍ଚା ନାହିଁ ସେତିକି ଚର୍ଚ୍ଚା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିକୁ ନେଇ ହେଉଛି। 

ଆଜିର ସମାରୋହରେ ରାହୁଲ ଗାନ୍ଧୀ ପଞ୍ଚମ ଧାଡ଼ିରେ ଅଲିମ୍ପିକରେ ପଦକ ବିଜେତାଙ୍କ ଗହଣରେ ବସିଥିଲେ। ଯାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଗତ ଦଶନ୍ଧୀ ଭିତରେ ପ୍ରଥମ ବିରୋଧୀ ଦଳର ନେତା ଭାବେ ସ୍ୱାଧୀନତା ଦିବସ ସମାରୋହରେ ତାଙ୍କର ଉପସ୍ଥିତି ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା। 

ପାରମ୍ପରିକ ଧଳାକୁର୍ତ୍ତା ପିନ୍ଧି ରାହୁଲ ଅଲିମ୍ପିକ ପଦକ ବିଜେତା ମନୁ ଭାକେର, ସରବଜିତ ସିଂହ, ପିଆର ଶ୍ରୀଜେସଙ୍କ ପାଖରେ ବସିଥିଲେ।

ପ୍ରୋଟୋକଲ ଅନୁସାରେ ଜଣେ ବିରୋଧୀ ଦଳର ନେତାର ପ୍ରତିଷ୍ଠା ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ସମାନ ହୋଇଥାଏ। ତେଣୁ ନିୟମ ଦୃଷ୍ଟିରୁ ଆଗ ଧାଡ଼ିରେ ତାଙ୍କ ପାଇଁ ସିଟ୍ ରହିବା ଆବଶ୍ୟକ। ହେଲେ ଆଗ ଧାଡ଼ିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଶିବରାଜ ସିଂହ ଚୌହ୍ୱାନ, ଅମିତ ଶାହ ଓ ଏସ୍ ଜୟଶଙ୍କର ଆଦି ବସିଥିଲେ। 




ରାହୁଲ ଗାନ୍ଧୀଙ୍କୁ ପଞ୍ଚମ ଧାଡିର ବସିବାକୁ ସିଟ୍ ଦିଆଯାଇଥିବା ବେଳେ ସେ ନିଜ ପାଇଁ କୌଣସି ସିଟ୍ ଦାବି କରି ନଥିଲେ। ସେହିପରି ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଆସନ ବ ପଞ୍ଚମ ଧାଡ଼ିରେ ରହିଥିଲା। ତେବେ ଖଡ଼ଗେ ସମାରୋହକୁ ଆସିନଥିଲେ। ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ କେନ୍ଦ୍ର ସରକାର ଏନେଇ ଜବାବ ରଖିଛନ୍ତି। 

ସମାରୋହ ଆୟଜନ କରୁଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଗଧାଡ଼ିରେ ସିଟ ସବୁ ଅଲମ୍ପିକ ବିଜେତାଙ୍କ ପାଇଁ ଆବଣ୍ଟିତ କରାଯାଇଥିବା ବେଳେ କଂଗ୍ରେସ ସାଂସଦଙ୍କୁ ପଛକୁ ପଠାଇବାକୁ ପଡ଼ିଲା। ହେଲେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ବିରୋଧୀ ଦଳର ନେତ୍ରୀ ଭାବେ ସୋନିଆ ଗାନ୍ଧୀ ସବୁବେଳେ ଆଗଧାଡ଼ିରେ ବସିଥିଲେ। ତାଙ୍କୁ ଆଗଧାଡ଼ିରେ ସିଟ ଦିଆଯାଇଥିଲା।

ଘଟଣାକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଭଳି କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ଛୋଟ ମାନସିକତାକୁ ଦର୍ଶାଉଛି। ଏଭଳି ମାନସିକତାକୁ ଥିବା ଲୋକଙ୍କ ଠାରୁ ଆଉ କଣ ଆଶା ରଖାଯିବ। ହେଲେ ରାହୁଲ ଗାନ୍ଧୀ ଜଣେ ଜନନାୟକ। ତାଙ୍କୁ ଏସବୁ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସୁପ୍ରିୟା ଶ୍ରୀନେତ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.