ନୂଆଦିଲ୍ଲୀ ୧୯।୬: ଦେଶର ବଡ଼ ନେତାଙ୍କ ମଧ୍ୟରେ ଜଣାଶୁଣା ରାହୁଲ ଗାନ୍ଧିଙ୍କ ଆଜି ଜନ୍ମ ଦିନ। ସେ କେବଳ ରାଜନୀତିରେ ତାଙ୍କର ପରିଚୟ ସୃଷ୍ଟି କରି ନାହାନ୍ତି ପାଠ ପଢାରେ ମଧ୍ୟ ବେଶ୍ ସଫଳତା ହାସଲ କରିଛନ୍ତି। ରାହୁଲ ଗାନ୍ଧି ଭାରତ ଓ ବିଦେଶର ନାମୀ କଲେଜରେ ଅଧ୍ୟାପନା କରିଛନ୍ତି। ସୁରକ୍ଷାଗତ କାରଣରୁ ତାଙ୍କୁ ଅନେକ ବାର ତାଙ୍କ ପାଠ ପଢା ସ୍ଥାନ ବଦଳାଇବାକୁ ପଡିଛି। ଏହା ସତ୍ତ୍ୱେ ସେ ପାଠ ପଢା ଜାରି ରଖିବା ସହିତ ଅନେକ ଡିଗ୍ରି ହାସଲ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଜନ୍ମ ୧୯ଜୁନ ୧୯୭୦ରେ ଦିଲ୍ଲୀରେ ହୋଇଥିଲା। ଦେଶର ପ୍ରତିଷ୍ଠିତ ରାଜନୈତିକ ପରିବାର ସହିତ ତାଙ୍କର ସମ୍ପର୍କ। ତାଙ୍କ ପିତା ରାଜୀବ ଗାନ୍ଧି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ। ସେହିପରି ତାଙ୍କ ମା ସୋନିଆ ଗାନ୍ଧି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଥିଲେ। ରାହୁଲ ଗାନ୍ଧି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ଫିରୋଜ ଗାନ୍ଧିଙ୍କ ନାତି। ତାଙ୍କ ବାଲ୍ୟ ଜୀବନ ରାଜନୈତିକ ପରିବେଶରେ କଟିଥିଲା। ତେବେ ତାଙ୍କ ପରିବାରକୁ ମିଳିଥିବା ଦାୟିତ୍ୱ ଓ ସୁରକ୍ଷା ଚିନ୍ତା କାରଣରୁ ତାଙ୍କ ପିଲାଦିନ ଅନ୍ୟ ପିଲାଙ୍କ ଠାରୁ ଅଲଗା ଥିଲା।
ନେହରୁ-ଗାନ୍ଧି ପରିବାରର ଚତୁର୍ଥ ପିଢୀକୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧି ତାଙ୍କ ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀ ମଡର୍ଣ୍ଣ ସ୍କୁଲରୁ ପ୍ରାପ୍ତ କରିଥିଲେ। ୧୯୮୪ ମସିହାରେ ତାଙ୍କ ଜେଜେମା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ତାଙ୍କର ପରବର୍ତ୍ତି ପାଠ ପଢା ଘରେ ହୋଇଥିଲା। ରାହୁଲ ଗାନ୍ଧିଙ୍କ ଉଚ୍ଚଶିକ୍ଷାର ପ୍ରାରମ୍ଭ ଦିଲ୍ଲୀର ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ କଲେଜରେ ହୋଇଥିଲା। ସେ ୧୯୮୯ ମସିହାରେ ଏଠାରେ ଆଡମିସନ କରିଥିଲେ। ହେଲେ ସୁରକ୍ଷା କାରଣରୁ ତାଙ୍କୁ କଲେଜ ଛାଡିବାକୁ ପଡିଥିଲା। ଏହା ପରେ ୧୯୯୦ ମସିହାରେ ସେ ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଆଡମିସନ କରିଥିଲେ।
ତେବେ ଦୁର୍ଭାଗ୍ୟର କଥା ମାତ୍ର ବର୍ଷକ ପରେ ୧୯୯୧ ମସିହାରେ ତାଙ୍କ ପିତା ରାଜୀବ ଗାନ୍ଧିଙ୍କ ହତ୍ୟା ହୋଇଯାଇଥିଲା। ଏଣୁ ତାଙ୍କୁ ହାଭାର୍ଡ ପାଠ ପଢା ଅଧାରୁ ଛାଡିବାକୁ ପଡିଥିଲା। ହାଭାର୍ଡ ଛାଡିବା ପରେ ରାହୁଲ ଗାନ୍ଧି ଆମେରିକାର ଫ୍ଲୋରିଡାସ୍ଥିତ ରୋଲିଂସ କଲେଜରେ ଆଡମିସନ କରିଥିଲେ। ଏଠାରେ ସେ ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ପାଠ ପଢିଥିଲେ। ଏହିଠାରେ ସେ ବ୍ୟାଚଲୋର ଅଫ ଆର୍ଟସ୍ (ବିଏ) ଡିଗ୍ରି ହାସଲ କରିଥିଲେ। ପାଠ ପଢା କାଳରେ ତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ତାଙ୍କ ଅସଲ ପରିଚୟକୁ ଗୋପନ ରଖାଯାଇଥିଲା। ସେଠାରେ ତାଙ୍କୁ ରାଉଲ ଭିନ୍ସି ନାମରେ ସହପାଠୀମାନେ ଜାଣୁଥିଲେ।
ରୋଲିଂସ କଲେଜରୁ ସ୍ନାତକ ଉତୀର୍ଣ୍ଣ ହେବା ପରେ ରାହୁଲ ୧୯୯୫ ମସିହାରେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜରେ ଆଡମିସନ କରିଥିଲେ। ଏଠାରେ ସେ ଏମ.ଫିଲ (ମାଷ୍ଟର ଇନ ପିଲୋସଫି)ରେ ଡିଗ୍ରି ହାସଲ କରିଥିଲେ, ଯାହା ଏକ ପ୍ରତିଷ୍ଠିତ ଉଚ୍ଚଶିକ୍ଷା ଡିଗ୍ରି ମନେ କରାଯାଏ। ଶିକ୍ଷା ଶେଷ ହେବା ପରେ ରାହୁଲ ୩ ବର୍ଷ ପର୍ଯ୍ୟନ୍ତ ଲଣ୍ଡନର ଏକ ପ୍ରତିଷ୍ଠିତ କନସଲ୍ଟାନ୍ସି ଫାର୍ମ ‘ମନିଟର ଗ୍ରୁପ’ରେ କାମ କରିଥିଲେ। ଏହି ଫାର୍ମକୁ ପ୍ରସିଦ୍ଧ ମ୍ୟାନେଜମେଣ୍ଟ ଗୁରୁ ମାଇକେଲ ପୋର୍ଟର ସ୍ଥାପନା କରିଥିଲେ। ଏଠାରେ ମଧ୍ୟ ତାଙ୍କ ପରିଚୟ ରାହୁଲ ଭିନ୍ସି ହିଁ ଥିଲା।