ଫିଟିବ ଜାତୀୟ ଜଳପଥ, ଜଳପଥରେ ହେବ କୋଇଲା ପରିବହନ

NEWS7
rahul-dravid-gave-the-signal-the-career-of-t-20-international-rohit-sharma-and-virat-kohli-is-over

ଭୁବନେଶ୍ୱର ୦୩।୦୨ : ଫିଟିବ ଜାତୀୟ ଜଳପଥ । ବ୍ରାହ୍ମଣୀରେ ଚାଲିବ ଜାହାଜ । ତାଳଚେରରୁ ଧାମରା ଓ ପାରାଦୀପକୁ ଜଳପଥରେ ହେବ କୋଇଲା ପରିବହନ । ଏହି ବହୁପ୍ରତୀକ୍ଷିତ ଯୋଜନାକୁ ଏବେ ମିଳିବ ଗତି । ମୋଦି ସରକାର ଏଥର ବଜେଟରେ ଜାତୀୟ ଜଳପଥ-୫ (ଏନ୍‌ଡବ୍ଲ୍ୟୁ-୫) ଘୋଷଣା କରିବା ପରେ ଓଡ଼ିଶାରେ ପରିବହନର ନୂଆ ଆଶା ସଞ୍ଚାର ହୋଇଛି ।

ଏ ଖବରବି ପଢନ୍ତୁ :- ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା, ଲଘୁ ଖଣିଜ ଉପରେ ବଢ଼ିଲା 'ଅତିରିକ୍ତ ଶୁଳ୍କ'

ରାଜ୍ୟ ପରିବହନ ବିଭାଗ ସୂଚନା ଅନୁସାରେ ଖଣିଜ ବହୁଳ ତାଳଚେର ଓ ଅନୁଗୁଳରୁ ଶିଳ୍ପ ହବ୍‌ କଳିଙ୍ଗନଗର ଏବଂ ବନ୍ଦର ନଗରୀ ପାରାଦୀପ ଏବଂ ଧାମରାକୁ ସଂଯୋଗ କରିବ ଏନଡବ୍ଲ୍ୟୁ-୫ (ଜାତୀୟ ଜଳପଥ-୫) । ଏହି ଜଳପଥ ସଂଯୋଗ ହେଲେ ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ପରିବହନ ଖର୍ଚ୍ଚ ଶସ୍ତା ହେବା ସହ ପ୍ରଦୂଷଣ କମିବ । ସଡ଼କରେ ଟ୍ରାଫିକ ଭିଡ଼ କମିବା ସହ ଦୁର୍ଘଟଣା ହ୍ରାସ ପାଇବ । ଏଥିପାଇଁ ତଳମୁଣ୍ଡରେ ବିଭିନ୍ନ ବ୍ୟାରେଜ, ଲକ୍‌ ଗେଟ ନିର୍ମାଣ କରିବାକୁ ପଡ଼ିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ଧାମରା ଏବଂ ତାଳଚେର ମଧ୍ୟରେ ୩୩୨ କିମି ବିଶିଷ୍ଟ ୫ନଂ ଜାତୀୟ ଜଳପଥ ସଂଯୋଗ କରିବ । ଏଥିରୁ ପ୍ରଥମେ ତାଳଚେରରୁ ଯାଜପୁର କଳିଙ୍ଗନଗରଢେଙ୍କାନାଳ ସୀମା ପଙ୍କପାଳ (ସମଲ ବ୍ୟାରେଜର ତଳ ମୁଣ୍ଡ) ଯାଏଁ ବ୍ରାହ୍ମଣୀ ନଦୀରେ ଜଳପଥ ସଂଯୋଗ ହେବ । ପଙ୍କପାଳରୁ କେନ୍ଦ୍ରାପଡ଼ାର ମଙ୍ଗଳାଗଡ଼ି, ମଙ୍ଗଳାଗଡ଼ିରୁ ଧାମରା ଏବଂ ଧାମରାରୁ ପାରାଦୀପ ଯାଏଁ ୫ ନମ୍ବର ଜାତୀୟ ଜଳପଥ ସଂଯୋଗ କରିବ ।

ଏ ଖବରବି ପଢନ୍ତୁ :- ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ, ଜିଲ୍ଲା ପାଇଁ ୬୦୦ କୋଟିର ୧୦୯ଟି ପ୍ରକଳ୍ପର ଶୁଭାରମ୍ଭ

ସେହିପରି ପରବର୍ତ୍ତୀ ସମୟରେ ଧାମରା ବନ୍ଦରରୁ ପଶ୍ଚିମବଙ୍ଗର ଗୋଏଙ୍ଖାଲିକୁ ଲମ୍ବିବ ୫ ନଂ ଜାତୀୟ ଜଳପଥ । ମୁଖ୍ୟତଃ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ-ବ୍ରାହ୍ମଣୀ ଡେଲଟା, ଇଷ୍ଟ କୋଷ୍ଟ କେନାଲ ଦେଇଏହି ଜଳପଥ ଯିବ । ଏ ପ୍ରକଳ୍ପରେ ପ୍ରାୟ ୧୨ ହଜାର କୋଟିରୁ ଅଧିକ ଖର୍ଚ୍ଚ ଆକଳନ କରାଯାଇଛି । ଏ ଦିଗରେ ଗବେଷଣା କରୁଥିବା କ୍ୟାପଟେନ ପ୍ରଶାନ୍ତ ପାଢ଼ୀ କହିଛନ୍ତି, ଜଳପଥରେ ପରିବହନ ସବୁଠାରୁ ଉତ୍ତମ ମାର୍ଗ । ଏହାଦ୍ୱାରା ପରିବହନ ଖର୍ଚ୍ଚ କମିବ । କେବଳ କୋଇଲା ନୁହେଁ, ଏ ରୁଟରେ ଛୋଟ ଜାହାଜ (ବାର୍ଜ) ଚାଲିଲେ କୋଇଲା ସହ ବିଭିନ୍ନ ଖଣିଜ ପଦାର୍ଥ, ଉତ୍ପାଦିତ ସାମଗ୍ରୀ, ତୈଳ ଆଦି ପରିବହନ କରିବା ସହଜ ହେବ । ଏହାଦ୍ୱାରା ଖର୍ଚ୍ଚ ଢେର ଗୁଣା କମିବ । କାରଣ ଗୋଟିଏ ଟ୍ରକରେ ଯେତିକି ମାଲ୍‌ ପରିବହନ ହୋଇଥାଏ, ଜାହାଜରେ ତା’ ତୁଳନାରେ ୧୫୦ ଗୁଣା ଅଧିକ ମାଲ ପରିବହନ କରିହେବ । ଖଣି ଅଞ୍ଚଳରୁ ଶିଳ୍ପାଞ୍ଚଳ ଓ ବନ୍ଦରକୁ ସିଧା ଯୋଗାଯୋଗ କରିହେବ । ଏହି ଜାହାଜ ଚଳାଚଳ ପାଇଁ ୩ରୁ ସାଢ଼େ ୩ ମିଟର ଗଭୀର ପାଣି ରହିବା ଆବଶ୍ୟକ । ଏଥିପାଇଁ କେନାଲ ଖୋଳିବାକୁ ହେବ । ନଦୀ ଶଯ୍ୟା ଖନନ ସହ ବିଭିନ୍ନ ସ୍ଥାନରେ ବନ୍ଧ ବାନ୍ଧି ପାଣି ସଂରକ୍ଷିତ ରଖିବାକୁ ପଡ଼ିବ । କେରଳରେ ଜଳପଥର ବହୁଳ ବ୍ୟବହାର ହେଉଥିବାବେଳେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ଏହାର ବ୍ୟବହାର ବଢ଼ିଛି । ଓଡ଼ିଶାରେ ମଧ୍ୟ ଏହା ଆଗାମୀଦିନରେ ସର୍ବଶ୍ରେଷ୍ଠ ପରିବହନ ମାର୍ଗ ହୋଇପାରିବ । ଏହି ପ୍ରକଳ୍ପ ପାଇଁ ଏସ୍‌ପିଭି ପୂର୍ବରୁ ଗଠନ ହୋଇସାରିଛି । ଏହି ଏସ୍‌ପିଭି ମଡେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତଃ ଜଳପଥ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ୨୦୦୮ରୁ ଏହି ପ୍ରକଳ୍ପର ପରିକଳ୍ପନା ହୋଇଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରିନଥିଲା ।

ଏ ଖବରବି ପଢନ୍ତୁ :- ​​​​​​​ASO ପରୀକ୍ଷା-୨୦୨୪ ଜାଲିଆତି, ବନ୍ଧା ହେବେ ଆହୁରି ଅଭିଯୁକ୍ତ

ମୋଦି ସରକାର କ୍ଷମତାକୁ ଆସିବା ପରେ ଏ ଦିଗରେ ବିଶେଷ ଧ୍ୟାନ ଦେଇଥିଲେ । ରାଜ୍ୟରେ ମୋହନ ସରକାର ମଧ୍ୟ ଏ ପ୍ରକଳ୍ପକୁ ବିଶେଷ ଦୃଷ୍ଟି ଦେବା ସହ କେନ୍ଦ୍ରକୁ ଏ ନେଇ ପ୍ରସ୍ତାବ ଦେଇଥିଲେ । ଏଥର କେନ୍ଦ୍ର ବଜେଟରେ ଏହି ପ୍ରକଳ୍ପ ସ୍ଥାନ ପାଇବା ପରେ ଓଡ଼ିଶା ବିଶେଷ ଉପକୃତ ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ ୧୫୦୦ କିମି ବିଶିଷ୍ଟ ୬ଟି ଜାତୀୟ ଜଳପଥ ରୁଟ୍‌ ଚିହ୍ନଟ ହୋଇଛି । ୫ ନଂ ଜାତୀୟ ଜଳପଥ ତାଳଚେରରୁ ପାରାଦୀପ, ଧାମରା ଏବଂ ପଶ୍ଚିମବଙ୍ଗର ଗୋଏଙ୍ଖାଲିକୁ ସଂଯୋଗ କରିବା ପ୍ରସ୍ତାବ ଅଛି । ଏହା ମୋଟ ୫୮୮ କିମି ବିଶିଷ୍ଟ ହେବ । ଏହାବାଦ ଜାତୀୟ ଜଳପଥ ନମ୍ବର ୧୪, ୨୨, ୨୩, ୬୪ ଓ ୯୬ ମଧ୍ୟ ଚିହ୍ନଟ ହୋଇଛି ଓଡ଼ିଶାରେ ।

ଏ ଖବରବି ପଢନ୍ତୁ:- ଚର୍ଚ୍ଚ ତଳେ ଥିଲା ୮୦ ଜଣଙ୍କ କଙ୍କାଳ, ତାକୁ ହଟାଇଲେନି ଆଉ ସେଠାରେ ଘର କରି ରହିଲେ, ଏବେ ଘଟୁଛି କ’ଣ...