ଧୋନୀଙ୍କ ସହ ଖେଳିବାକୁ ଚାହୁଁ ନାହାନ୍ତି କି ଅଶ୍ୱିନ ? ରିଲିଜ୍ କରିବା ପାଇଁ CSK ମ୍ୟାନଜମେଣ୍ଟକୁ କଲେ ନିବେଦନ

Published By : Prameya-News7 Bureau | August 08, 2025 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ପାଇଁ ସବୁ ପ୍ରାଞ୍ଚାଇଜ୍ ଏବେଠୁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଖେଳାଳିମାନେ ବି ଫ୍ରାଞ୍ଚାଇଜ ଆଗରେ ନିଜର ଇଚ୍ଛା ରଖିବା ଆରମ୍ଭ କଲେଣି । କିଛି ପ୍ରାଞ୍ଚାଇଜ ଖେଳାଳିଙ୍କୁ ଟ୍ରେଡ୍ ନକରି ରଖିବା ପାଇଁ ଚାହୁଁଥିବା ବେଳେ ଅନ୍ୟ କିଛି ଖେଳାଳି ରିଲିଜ୍ କରିବାକୁ ଚାହୁଁଛନ୍ତି । ଏହାରି ଭିତରେ ଅଶ୍ୱିନଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସୁଛି । ଅଶ୍ୱିନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବାକୁ ଚାହୁଁ ନାହାନ୍ତି । ଦଳରୁ ଅଲଗା ହେବାକୁ ଆବେଦନ କରିଥିବା ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜମେଣ୍ଟ ତାଙ୍କୁ ମୁକ୍ତ କରନ୍ତୁ ବୋଲି ସେ ଚାହୁଁଛନ୍ତି । ଯଦି ଆର୍ ଅଶ୍ୱିନଙ୍କୁ ରିଲିଜ୍ କରାଯାଏ, ତେବେ ସେ ଆଇପିଏଲ ୨୦୨୬ ନିଲାମକୁ ଯିବେ । ତେବେ ଅଶ୍ୱିନଙ୍କ ଏହି ନିଷ୍ପତ୍ତି ପଛର କାରଣ କ'ଣ ତାହା ଏକ ବଡ଼ ପ୍ରଶ୍ନ । 

ଅଶ୍ୱିନ ଚେନ୍ନାଇ ପାଇଁ ଖେଳିବାକୁ କାହିଁକି ଚାହୁଁ ନାହାନ୍ତି ତାହାର କାରଣ ଜଣା ନାହିଁ, କିନ୍ତୁ ଦାବି କରାଯାଉଛି ଯେ ବାମହାତୀ ଅଭିଜ୍ଞ ସ୍ପିନର ଏବେ ନିଲାମକୁ ଯିବାକୁ ଚାହୁଁଛନ୍ତି । ଅଶ୍ୱିନ ୧୦ ବର୍ଷ ପରେ ଚେନ୍ନାଇ ଦଳକୁ ଫେରିଥିଲେ । ଆଇପିଏଲ୍ ୨୦୨୫ ନିଲାମରେ, ଅଶ୍ୱିନଙ୍କୁ ଚେନ୍ନାଇ ସୁପର କିଙ୍ଗସ ୯.୭୫ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଏହି ଅଫ୍-ସ୍ପିନର ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା ।

ଆଇପିଏଲ୍ ୨୦୨୫ ଅଶ୍ୱିନଙ୍କ ପାଇଁ ନିରାଶଜନକ ଥିଲା । ଟିମ୍ ପାଇଁ ସେ କେବଳ ୯ଟି ମ୍ୟାଚ୍‌ ଖେଳି ୭ଟି ୱିକେଟ୍ ନେଇପାରିଥିଲେ । ବଡ଼ କଥା ହେଉଛି ଅଶ୍ୱିନଙ୍କ ଇକୋନୋମି ରେଟ୍ ପ୍ରତି ଓଭରରେ ୯.୧୩ ରନ୍ ଥିଲା । ଅଶ୍ୱିନ ୧୮୬ ବଲ୍‌ରେ ୨୮୩ ରନ୍ ଦେଇଥିଲେ । ଅନ୍ୟପଟେ ବ୍ୟାଟିଂରେ ୯ଟି ମ୍ୟାଚ୍‌ରେ କେବଳ ୩୩ ରନ୍ କରିଥିଲେ । 

ଏବେ ପ୍ରଶ୍ନ ହେଉଛି ଅଶ୍ୱିନ ନିଲାମକୁ ଯିବାକୁ କାହିଁକି ଚାହୁଁଛନ୍ତି ? ତାଙ୍କର ଅନ୍ୟ କୌଣସି ଦଳ ସହିତ କୌଣସି ଆଲୋଚନା ହୋଇଛି କି ? କିନ୍ତୁ ଏହା ସ୍ପଷ୍ଟ ଯେ ଭାବିଚିନ୍ତି ସତର୍କତାର ସହ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି । ଯଦି ମୋଟ ଉପରେ ଦେଖିବା ତେବେ ଆଇପିଏଲରେ ଅଶ୍ୱିନଙ୍କ ପ୍ରଦର୍ଶନ ଚମତ୍କାର ରହିଛି । ୨୨୧ ମ୍ୟାଚ୍‌ରେ ସେ ୧୮୭ ୱିକେଟ୍ ନେଇଛନ୍ତି । ଅଶ୍ୱିନଙ୍କ ଇକୋନୋମି ରେଟ୍ ୭.୨୦ ଯାହା ଯେକୌଣସି ସ୍ପିନର ତୁଳନାରେ ଭଲ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.