ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କଲେ ପୁଟିନ: ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ

Published By : Prameya-News7 Bureau | May 05, 2025 IST

indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ସୋମବାର କ୍ରେମଲିନ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମ ବୈଶାରଣ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିବାକୁ ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ବୋଲି କ୍ରେମଲିନ କହିଛି। ଚଳିତ ବର୍ଷ ଶେଷରେ ଭାରତ ଓ ଋଷ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପୁଟିନ ଭାରତ ଆସିବେ। 

ତେବେ ଫୋନ୍‌ରେ କଥା ହେଲା ବେଳେ ପୁଟିନ ପହଲଗାମ ଆତଙ୍କବାଦୀ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।ଏନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଜୟସ୍ୱାଲ ଲେଖିଛନ୍ତି ‘‘ ରାଷ୍ଟ୍ରପତି ପୁଟିନ୍‌ ପିଏମ ମୋଦୀଙ୍କୁ ଫୋନ କରି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି। ନିରୀହ ଲୋକଙ୍କ ମୃତ୍ୟୁରେ ପୁଟିନ ସମବେଦନା ଜଣାଇବା ସହିତ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ସଂପୂର୍ଣ୍ଣ ସମର୍ଥନ ଦେବେ ବୋଲି କହିଛନ୍ତି। ଏହା ବ୍ୟତୀତ  ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କୁ କଠୋରରରୁ କଠୋର ଦଣ୍ଡ ଦିଆଯିବା ଦରକାର ବୋଲି ପୁଟିନ ଜୋର ଦେଇଛନ୍ତି।’’

ପୂର୍ବରୁ ମଧ୍ୟ ପୁଟିନ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଏହାକୁ ଏକ ନିଷ୍ଠୁର ଅପରାଧ ବୋଲି କହିଥିଲେ। ଏବଂ ଭାରତ ସହିତ ଆତଙ୍କବାଦ ବିରୋଧରେ ଲଢ଼ିବାରେ ରୁଷର ସମର୍ଥନକୁ ଦୋହରାଇଥିଲେ। ତେବେ ଦୁଇ ବିଦେଶୀ ପ୍ରଭାବ ସତ୍ତ୍ୱେ ଦୁଇ ଦେଶର ସମ୍ପର୍କରେ କୌଣସି ପ୍ରଭାବ ପଡ଼ି ନାହିଁ ବରଂ ଆହୁରି ମଜଭୁତ ହୋଇଛି ବୋଲି ଉଭୟ ନେତା ସହମତ ହୋଇଥିବା ଜୟସ୍ୱାଲ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି। ସେ ଲେଖିଛନ୍ତି “ଉଭୟ ନେତା ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଲେ।”

ଜୟସୱାଲ ଆହୁରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଫୋନ୍ ମାଧ୍ୟମରେ ପୁଟିନଙ୍କୁ ରୁଷିଆର ୮୦ ତମ ବିଜୟ ଦିବସ ପାଳନ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ବର୍ଷ ଶେଷ ଭାଗରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ତେବେ ଋଷ ଏହାର ମଧ୍ୟ ବିଜୟ ଦିବସ ପରେଡ୍‌ରେ ଭାରତକୁ ନିମନ୍ତ୍ରଣ କରିଥିଲା। ହେଲେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ଯୋଗ ଦେବାର ସମ୍ଭାବନା ନାହିଁ। ତେଣୁ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ (MoS) ସଞ୍ଜୟ ସେଠ ଋଷ ଗସ୍ତ କରିବେ ବୋଲି ଆଶା କରାଯାଉଛି। 

ପଢନ୍ତୁ- ପାକିସ୍ତାନ ଉପରେ ଆର୍ଥିକ ଆକ୍ରମଣ: ପଡ଼ୋଶୀର ପାଣ୍ଠି କାଟ୍ କରିବାକୁ ଏସୀୟ ବିକାଶ ବ୍ୟାଙ୍କ ପାଖରେ ଫେରାଦ ହେଲା ଭାରତ

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଦୁଇଥର ରୁଷ ଗସ୍ତ କରିଥିଲେ। ପ୍ରଥମେ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦୀ ଋଷ ଗସ୍ତ କରିଥିବା ବେଳେ ଦ୍ୱିତୀୟରେ କାଜାନରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଋଷ ଯାଇଥିଲେ। ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.