ନୂଆଦିଲ୍ଲୀ ୨୭/୦୩: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି । ସହର ଧ୍ୱସ୍ତ ବିଧ୍ୱସ୍ତ ହେବା ସହ ଲକ୍ଷ ଲକ୍ଷ ଜୀବନ ବି ଯାଇଛି । ହେଲେ ଏହି ସଂଘର୍ଷ ଭିତରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ବୟାନ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ 'ଖୁବ ଶୀଘ୍ର ମୃତ୍ୟୁ ହେବାକୁ ଯାଉଛି । ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିବା ପରେ ଏକ ସାକ୍ଷାତକାର ସମୟରେ ସେ ଏହା କହିଛନ୍ତି ।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଜେଲେନ୍ସକି କହିଛନ୍ତି, 'ପୁଟିନ୍ ଶୀଘ୍ର ମୃତ୍ୟୁବରଣ କରିବେ ଏବଂ ଏହା ନିରାଟ ସତ୍ୟ।' ଏହା ସହିତ ସବୁକିଛି ସମାପ୍ତ ହୋଇଯିବ। ଗତ କିଛି ବର୍ଷ ଧରି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଦି ସନ୍ ଏହାର ଏକ ରିପୋର୍ଟରେ କହିଛି ଯେ କିଛି ସମୟ ଧରି ପୁଟିନଙ୍କ ମୁହଁ ପ୍ରାୟତଃ ଫୁଲିଯାଇଥିବା ଦେଖାଯାଉଛି । ଏହା ବ୍ୟତୀତ ତାଙ୍କୁ ଅନେକ ଥର ସାଧାରଣ ସଭାରେ ଚେୟାର ଧରି ବସିଥିବାର ଦେଖାଯାଇଛି ।
ତାଙ୍କ ହାତ, ଗୋଡର ଅସନ୍ତୁଳନ ହେବା ସହ ଶରୀରରେ କମ୍ପନ ମଧ୍ୟ ପରିଲକ୍ଷିତ ହୋଇଥିଲା। କିଛି ରିପୋର୍ଟ ଦାବି କରୁଛି ଯେ କର୍କଟ ଏବଂ ପାର୍କିନ୍ସନ ଭଳି ଗମ୍ଭୀର ରୋଗରେ ପୀଡିତ ପୁଟିନ୍ । ୨୦୨୨ ମସିହାରେ, ଏକ ସଭା ସମୟରେ ତାଙ୍କ ଶରୀର ବଙ୍କା ହେବା, ଟେବୁଲ ଧରିବା ଏବଂ କମ୍ପନ ସ୍ୱର ସୂଚାଇ ଦେଉଛି ଯେ ତାଙ୍କର ସ୍ୱାସ୍ଥ୍ୟ ପ୍ରକୃତରେ ଭଲ ନାହିଁ।
ଜେଲେନସ୍କିଙ୍କ ଏହି ବକ୍ତବ୍ୟ କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମନ୍ତବ୍ୟ ନୁହେଁ । ବରଂ ଏହାକୁ ଏକ ରାଜନୈତିକ ମନସ୍ତାତ୍ତ୍ୱିକ ଆକ୍ରମଣ ବୋଲି ମଧ୍ୟ ବିବେଚନା କରାଯାଉଛି। ଏହି ବିବୃତ୍ତି ପୁଟିନଙ୍କ ଉପରେ ଚାପ ପକାଇବା ଓ ଋଷ ଶକ୍ତିର ଆଭ୍ୟନ୍ତରୀଣ ଗଠନକୁ ଦୋହଲାଇ ଦେବା ପାଇଁ ଏକ ରଣନୀତିକ ପଦକ୍ଷେପ ହୋଇପାରେ।
ୟୁକ୍ରେନ ସହିତ ରୁଷ ବିରୋଧରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ଋଷ କୌଣସି ସର୍ତ୍ତ ବିନା ୩୦ ଦିନିଆ ଅସ୍ତ୍ରବିରତି ଗ୍ରହଣ କରିବା ଉଚିତ। ମାକ୍ରନ୍ ୟୁକ୍ରେନ ପାଇଁ ୨.୨ ବିଲିୟନ ଡଲାର (ପ୍ରାୟ ୨ ବିଲିୟନ ୟୁରୋ)ର ନୂତନ ସାମରିକ ସହାୟତା ଘୋଷଣା କରିଛନ୍ତି।
ଯଦିଓ ପୁଟିନଙ୍କ ଅସୁସ୍ଥତା କିମ୍ବା ମୃତ୍ୟୁ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ । ଜେଲେନ୍ସକିଙ୍କ ବକ୍ତବ୍ୟ ଏହି କଥାର ସଙ୍କେତ ଦେଉଛି ଯେ ୟୁକ୍ରେନ ଏବେ ଋଷକୁ ଦୁର୍ବଳ ବୋଲି ଭାବୁଛି । ତାହା ସାମରିକ ଭାବରେ ହେଉ କିମ୍ବା ନେତୃତ୍ୱ ସ୍ତରରେ । ପୁଟିନଙ୍କ ସମ୍ପର୍କରେ ଭୋଲୋଡିମିର ଜେଲେନସ୍କିଙ୍କ ବକ୍ତବ୍ୟ ଆଶ୍ଚର୍ଯ୍ୟଜନକ ହୋଇପାରେ । କିନ୍ତୁ ଏହା ଋଷ ଉପରେ ମାନସିକ ଏବଂ ରାଜନୈତିକ ଚାପ ବୃଦ୍ଧି କରିବା ପାଇଁ ୟୁକ୍ରେନର ଏକ ସ୍ପଷ୍ଟ ରଣନୀତି । ଏବେ ଦେଖିବାକୁ ବାକି ରହିଲା ଯେ ଏହି ବିବୃତ୍ତିର ପରବର୍ତ୍ତୀ ପ୍ରଭାବ କ’ଣ ହେବ ଏବଂ ରୁଷରୁ କୌଣସି ପ୍ରତି-ବିବୃତ୍ତି ଆସୁଛି କି ନାହିଁ।