ନୂଆଦିଲ୍ଲୀ ୧୫।୮: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ୧୫ ଅଗଷ୍ଟ ଶୁକ୍ରବାର ଭାରତର ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପୁଟିନ ତାଙ୍କ ବାର୍ତ୍ତାରେ ଭାରତର ବିକାଶ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ସମାଧାନରେ ଭୂମିକା ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। ପୁଟିନ ଲେଖିଛନ୍ତି ଯେ ଭାରତ ସାମାଜିକ, ଆର୍ଥିକ ଓ ବୈଜ୍ଞାନିକ ସମେତ ବିଭିନ୍ନ କ୍ଷେତ୍ରରେ ମାନ୍ୟତାପ୍ରାପ୍ତ ସଫଳତା ହାସଲ କରିଛି।
ସେ ଲେଖିଛନ୍ତି ଯେ ସାରା ବିଶ୍ୱରେ ଭାରତର ସମ୍ମାନ ରହିଛି ଓ ଅନ୍ତର୍ଜାତୀୟ ସମସ୍ୟା ସମାଧାନରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେ କହିଛନ୍ତି ଆମେ ଭାରତ ସହିତ ଆମର ବିଶେଷାଧିକାର ପ୍ରାପ୍ତ ରଣନୈତିକ ଭାଗିଦାରୀକୁ ଅତ୍ୟଧିକ ମହତ୍ୱ ଦେଇଥାଉ। ମୋର ବିଶ୍ୱାସ ଆମର ମିଳିତ ପ୍ରୟାସ ମାଧ୍ୟମରେ ଆମେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବଢାଉଥିବା। ଆମର ଏହି ମିତ୍ରବତ ବ୍ୟବହାର ଦୁଇ ଦେଶର ଲୋକଙ୍କ ସ୍ୱାର୍ଥ ସହିତ ସମ୍ପୂର୍ଣ୍ଣ ଯୋଡି ହୋଇ ରହିଛି। ଏହା କ୍ଷେତ୍ରିୟ ଓ ବୌଶ୍ୱିକ ସ୍ତରରେ ଉଭୟ ଦେଶର ସୁରକ୍ଷା ଓ ସ୍ଥିରତାକୁ ମଜଭୁତ କରିବାରେ ସହାୟକ ହେବ।
ପୁଟିନ ଏକ ଏପରି ସମୟରେ ଭାରତକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି ଯେତେବେଳେ ଟାରିଫକୁ ନେଇ ଆମେରିକା ଓ ଭାରତ ମଧ୍ୟରେ ବିତର୍କ ଜାରି ରହିଛି। ଏହା ଛଡା ପୁଟିନ ଶୁକ୍ରବାର ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭେଟିବେ। ଟ୍ରମ୍ପ ଦ୍ୱିତୀୟବାର ରାଷ୍ଟ୍ରପତି ହେବା ପରେ ପୁଟିନଙ୍କ ସହିତ ଏହା ତାଙ୍କର ପ୍ରଥମ ସାକ୍ଷାତ ଆଲୋଚନା। ଏହା ମୁଖ୍ୟ ରୂପେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଦୀର୍ଘ ସମୟରୁ ଚାଲିଥିବା ସଂଘର୍ଷ ସମାପ୍ତ କରିବା ଉଦ୍ଦେଶ୍ୟରେ ହେବ।
ଯଦି ଏହି ବୈଠକର ଉଦ୍ଦେଶ୍ୟ ପୁରଣ ହୁଏ ଋଷିଆ ତୈଳ ଆମଦାନୀ ଲାଗି ଭାରତ ଉପରେ ଆମେରିକା ଲାଗୁ କରିଥିବା ଅତିରିକ୍ତ ୨୫% ଟାରିଫ ପ୍ରତ୍ୟାହାର କରିନେଇପାରେ। ତେବେ ପୁଟିନ ଓ ଟ୍ରମ୍ପଙ୍କ ଏହି ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମୀର ଜେଲନସ୍କି ଶାମିଲ ହେଉ ନାହାନ୍ତି। ପୁଟିନଙ୍କ ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ଭାରତକୁ ସ୍ୱାଧୀନତା ଦିବସର ଶୁଭ କାମନା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ ଭବିଷ୍ୟତରେ ଭାରତ ଓ ଆମେରିକା ଏକାଠି ମିଶି କାମ କରିବେ ବୋଲି ଉଲ୍ଲେଖ କରିଛନ୍ତି।