ଭାରତ ଠାରୁ ତେଲ କିଣୁଥିବାର ୟୁରୋପିୟନ ୟୁନିୟନକୁ ପୁଣି ଟାର୍ଗେଟ୍ କଲା ଆମେରିକା

Published By : Prameya-News7 Bureau | August 15, 2025 IST

indiatoday

ନୂଆଦିଲ୍ଲୀ: ଋଷ ଉପରେ ଶୁଳ୍କ ଲଗାଇବା ଓ ଭାରତ ଠାରୁ ତେଲ ନ କିଣିବାକୁ ଅପିଲ କରି ୟୁରୋପିୟନ ୟୁନିୟନକୁ କଡ଼ା ଶବ୍ଦରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ। ଆମେରିକାକୁ ଭାଷଣ ଦେବା ବନ୍ଦ କରି ୱାଶିଂଟନ ପରି ସମାନ ସ୍ତରରେ ରୁଷ ଉପରେ କଟକଣା ଲଗାଅ ବୋଲି ବେସେଣ୍ଟ କହିଛନ୍ତି। ଫକ୍ସ ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ ବେସେଣ୍ଟ କହିଛନ୍ତି “ଆମର ୟୁରୋପୀୟ ପ୍ରତିପକ୍ଷମାନଙ୍କ ପାଇଁ ସମୟ ଆସିଛି ଯେ ସେମାନେ ଶୁଳ୍କ ଲଗାନ୍ତୁ ନହେଲେ ଚୁପ୍ ରୁହନ୍ତୁ।”

ବେସେଣ୍ଟ ଆହୁରି କହିଛନ୍ତି “ସେମାନେ ବାରମ୍ବାର କହୁଛନ୍ତି, 'ଓଃ, ଆମେରିକା ଏହା କରିବା ଉଚିତ, ଆମେରିକା ତାହା କରିବା ଉଚିତ।' ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ଦ୍ୱିତୀୟ ପ୍ରତିବନ୍ଧକ କିମ୍ବା ଦ୍ୱିତୀୟ ଶୁଳ୍କ ଲାଗୁ କରିଛନ୍ତି କାରଣ ସେମାନେ ରୁଷୀୟ ତୈଳ ବ୍ୟବହାର କରୁଛନ୍ତି। କିନ୍ତୁ ୟୁରୋପୀୟମାନେ ଏପର୍ଯ୍ୟନ୍ତ ତାହା କରି ନାହାଁନ୍ତି।”

ବେସେଣ୍ଟ ୟୁରୋପୀୟ ରାଷ୍ଟ୍ରଗୁଡ଼ି ଉପରେ ଭାରତ ରିଫାଇନାରୀ ଠାରୁ ରୁଷୀୟ ତେଲ କିଣୁଥିବା ଅଭିଯୋଗ କରିଛନ୍ତି। ଏହି ପଦକ୍ଷେପ ପଶ୍ଚିମର ମିଳିତ ଅଭିଯାନକୁ ଦୁର୍ବଳ କରୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆମକୁ ଏଠାରେ କିଛି ସମନ୍ୱୟ ରଖିବାର ଆବଶ୍ୟକତା ରହିଛି। ଆମ ସମସ୍ତେ ଗୋଟିଏ ଆଭିମୁଖ୍ୟ ରଖିଲେ ଟ୍ରମ୍ପଙ୍କୁ ଲାଭ ହେବ।

ଏହା ପୂର୍ବରୁ ଭାରତ  ବିରୁଦ୍ଧରେ ଆମେରିକା ସେକେଣ୍ଡାରି ଟାରିଫ ଲଗାଇପାରେ ବୋଲି ଆମେରିକାର ଅର୍ଥ ସଚିବ ଚେତାବନୀ ଦେଇଥିଲେ। ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଅତିରିକ୍ତ ଦ୍ୱିତୀୟ ଶୁଳ୍କ ଲାଗୁ କରିପାରେ।  ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଆଲାସ୍କା ଆଲୋଚନାର ଫଳାଫଳ ଉପରେ ନିର୍ଭର କରିବ ବୋଲି ସେ କହିଥିଲେ।

ସୂଚନା ଥାଉକି ଆମେରିକା ରାଷ୍ଟ୍ରପତି ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାରେ ବୈଠକ ହେବ। ୟୁକ୍ରେନ୍ ଯୁଦ୍ଧ ରୋକିବା ନେଇ ପରସ୍ପର ମଧ୍ୟରେ ଆଲୋଚନା ହୋଇପାରେ। ଟାରିଫକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ତେବେ ଟ୍ରମ୍ପଙ୍କ ଅର୍ଥନୀତିରେ ପୁଟିନ ଆଗ୍ରହୀ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଆଲୋଚନାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.