ପୁରୀ: ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ। ଏହି ଦିନରୁ ହିଁ ଆରମ୍ଭ ହେବ ମହାପ୍ରଭୁଙ୍କ ଚାପ ଖେଳ। ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଚାପରେ ନୌକା ବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ମହାପ୍ରଭୁଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡବ ମଧ୍ୟ ନୌକା ବିହାର କରିବେ। ଏଥିପାଇଁ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ଭୋଇ ସେବାୟତ ମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢ଼ିବା ସହ ମରାମତି ଆରମ୍ଭ କରିସାରିଛନ୍ତି ।
ସେପଟେ ଚନ୍ଦନ ଯାତ୍ରା ପାଇଁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା କିଭଳି ସୁରୁଖୁରେ ସମ୍ପନ୍ନ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ପାଞ୍ଚଜଣ ଡିଏସପି, ୮ ଇନ୍ସପେକ୍ଟରଙ୍କ ସମେତ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଗତ ବର୍ଷ ଚନ୍ଦନ ଯାତ୍ରା ସମୟରେ ହୋଇଥିବା ଅଘଟଣକୁ ଏଡ଼ାଇବା ପାଇଁ ଚଳିତ ବର୍ଷ ଆତସବାଜିକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି। ଯଦି କୌଣସି ବ୍ୟକ୍ତି ଆତସବାଜି ପ୍ରଦର୍ଶନ କରନ୍ତି ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ଥିବାରୁ ସେଠାରେ ସୁରକ୍ଷା ଦାୟିତ୍ବରେ ୨୪ ଘଣ୍ଟା ପୋଲିସ ମୁତୟନ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ।