ଅହମ୍ମଦାବାଦ: ଆଇପିଏଲ ୨୦୨୫ର ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସର ଦମଦାର ବିଜୟ । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ । ଜୁନ ୩ରେ ଫାଇନାଲରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ । ପରାଜୟ ସହ ମୁମ୍ବାଇର ଅଭିଯାନ ସମାପ୍ତ ହୋଇଛି । ଶ୍ରେୟସ ଆୟର ଅଧିନାୟକତ୍ୱ ଇନିଂସ ଖେଳି ନିଜ ଦଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ୂଭୂମିକା ଗ୍ରହଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୬ ୱିକେଟ ହରାଇ ୨୦୩ ରନ କରିଥିଲା । ଜବାବରେ ପଞ୍ଜାବ ଶ୍ରେୟସ ଆୟରଙ୍କ ବିଧ୍ୱଂସୀ ୮୭ ରନ ଓ ନେହଲ ୱେଧରାଙ୍କ ୪୮ ରନ ବଳରେ ମ୍ୟାଚକୁ ଜିତି ନେଇଛି । ଏଲିମିନେଟର ଜିତିବା ପରେ କ୍ୱାଲିଫାୟର-୨ରେ ମୁମ୍ବାଇର ପରାଜୟ ଧାରା ଅବ୍ୟାହତ ରହିଛି ।
୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗସକୁ ୧୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ପ୍ରଭସିମରନ ସିଂ ୬ ରନ କରି ଆଉଟ୍ ହୋଇଥିଲେ । ଭଲ ବ୍ୟାଟିଂ କରୁଥିବା ପ୍ରିୟାଂଶ ଆର୍ଯ୍ୟ ୧୦ ବଲରୁ ୨୦ ରନ କରିଥିଲେ । କ୍ରିଜରେ ଜମି ବିସ୍ଫୋରକ ବ୍ୟାଟିଂ କରି ଜୋଶ ଇଙ୍ଗଲିଶ ୨୧ ବଲରୁ ୩୮ ରନ କରିଥିଲେ । ଏହା ପରେ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ ଅଧିନାୟକ ଶ୍ରେୟସ ଆୟର । ସେ ଏବଂ ନେହଲ ମୁମ୍ବାଇ ବୋଲରଙ୍କୁ ପ୍ରହାର କରି ଚତୁର୍ଥ ଭାଗିଦାରୀରେ ୮୪ ରନ ଯୋଡି ଦଳର ବିଜୟ ନିଶ୍ଚିତ କରିଥିଲେ ।
ନେହଲ ୨୯ ବଲରୁ ୪୮ ରନର ବେଶ ଉପଯୋଗୀ ଇନିଂସ ଖେଳିଥିଲେ । ଅନ୍ୟପଟେ ଶ୍ରେୟସ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ବ୍ୟାଟିଂ ଆଗରେ ବୁମରା, ବୋଲ୍ଟ ସମେତ ମୁମ୍ବାଇର ସବୁ ବୋଲର ଫେଲ୍ ମାରିଥିଲେ । ଶ୍ରେୟସ ୮୭ ରନର ଧୂଆଁଧାର ଇନିଂସ ଖେଳି ନିଜ ଦମରେ ଦଳକୁ ଜିତାଇଛନ୍ତି । ଏଥିସହ ପଞ୍ଜାବ ଦ୍ୱିତୀୟ ଥର ଫାଇନାଲରେ ପହଞ୍ଚିଛି । ଶ୍ରେୟସ ନିଜ ଇନିଂସରେ ୪୧ ବଲରୁ ୫ ଚୌକା ଓ ୮ ଛକା ମାରିଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ୧୯ ରନ ସ୍କୋରରେ ବଡ଼ ଝଟକା ଲାଗିଥିଲା। ରୋହିତ ଶର୍ମା ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ଓ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ବେୟାରଷ୍ଟୋ ୨୪ ବଲରୁ ୩୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ତିଳକ ଓ ସୂର୍ଯ୍ୟକୁମାର ଯାଦବ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁହେଁ ୭୨ ରନ ଯୋଡ଼ି ଦଳର ସ୍କୋରକୁ ୧୪୨ ରନରେ ପହଞ୍ଚାଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୬ ବଲରୁ ୪ ଚୌକା ଓ ୩ ଛକା ସହ ୪୪ ରନ କରିଥିଲ।
ତାଙ୍କ ଆଉଟ୍ ପରେ କ୍ରିଜରେ ସେଟ୍ ତିଳକ ବର୍ମା ଆଉଟ୍ ହେବା ମୁମ୍ବାଇର ରନ ଗତିକୁ ମନ୍ଥର କରିଥିଲା। ତିଳକ ୨୯ ବଲରୁ ୪୪ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ଶେଷ ଆଡ଼କୁ ନମନ ଧୀର ୧୮ ବଲରୁ ୩୭ ରନର ବିସ୍ପୋରକ ଇନିଂସ ଖେଳିବାରୁ ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୨୦୩ ରନ କରି ପାରିଛି।