LIVE TV

ସମାନ ଦିନରେ ନୀରବି ଗଲା ଦୁଇ ସ୍ଵର, ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ମରଣ ତାରିଖ

NEWS7
priyanka-to-leave-glamour-world-said-nick

ଭୁବନେଶ୍ୱର ୧୮।୧୧ : ସେଦିନ ଥିଲା ନଭେମ୍ବର ୧୭ ତାରିଖ ୨୦୦୨ ମସିହା... ଆଉ ଏବେ ସେହି ନଭେମ୍ବର ୧୭ କିନ୍ତୁ ବର୍ଷଟା ଅଲଗା ମାନେ ୨୦୨୫ । ଏହି ଦୁଇଟି ତାରିଖ ଓଡ଼ିଶାର ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ତାରିଖ ହୋଇ ରହିଯିବ । କାହିଁକି ନା ସେଦିନ ଚାଲିଯାଇଥିଲେ ଓଡ଼ିଶା ସଙ୍ଗୀତ ଦୁନିଆର ବେତାଜ୍‌ ବାଦ୍‌ଶାହ ଅକ୍ଷୟ ମହାନ୍ତି, ଯାହାଙ୍କୁ ଆମେ ଖୋକା ଭାଇ ନାମରେ ଜାଣିଥିଲେ। ଆଉ ଏବେ ଅଫେରା ରାଇଜକୁ ଚାଲିଯାଇଛନ୍ତି ହ୍ୟୁମାନ ସାଗର। ଦୁଇ ଜଣଙ୍କ ସ୍ୱର ଶୁଣିବାକୁ ସବୁବେଳେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିରହୁଥିଲା ।

ହ୍ୟୁମାନ ଥିଲେ ଅକ୍ଷୟଙ୍କ ପରି ଭର୍ସାଟାଇଲ୍‌ । ନଭେମ୍ବର ୧୭ରେ ଓଡ଼ିଶା ହରାଇଥିଲା ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି(ଖୋକା ଭାଇ)ଙ୍କୁ। ୨୦୦୨ରେ ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା । ୨୩ ବର୍ଷ ପରେ ସମାନ ଦିନରେ ଚାଲିଯାଇଛନ୍ତି ୟୁଥ୍‌ ସେନ୍‌ସେସନ୍‌ ହ୍ୟୁମାନ୍‌। ୧୩ ବର୍ଷ କ୍ୟାରିଅର୍‌ରେ ପୂର୍ଣ୍ଣଚ୍ଛେଦ ଟାଣି ସେ ବିଦାୟ ନେଇଛନ୍ତି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ହ୍ୟୁମାନ ସାଗର।  

ସେ ମଲ୍ଟି-ଅର୍ଗାନ୍ ଡସ୍ଫଙ୍କ୍ସନ୍ ସିଣ୍ଡ୍ରୋମ୍ ସହ ଲିଭର୍ ଫେଲ୍ୟର, କିଡନୀ ସମସ୍ୟା, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ। ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଗତ ନଭେମ୍ବର ୧୪ ତାରିଖ ଦିନ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା। ବିଶେଷଜ୍ଞ ଡାକ୍ତରଙ୍କ ଉନ୍ନତ ଚିକିତ୍ସା ସତ୍ତ୍ୱେ କୌଣସି ସୁଧାର ଆସିନଥିଲା। ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ପରିବାର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ଆଲୋଚନା କରି ସହାୟତାର ଆଶ୍ୱାସନା ଦେଇଥିଲେ।

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ଜନ୍ମିତ ହ୍ୟୁମାନ ସାଗର ୨୦୧୨ରେ ‘ଭଏସ୍ ଅଫ୍ ଓଡ଼ିଶା’ ସିଜନ୍-୨ରେ ବିଜୟୀ ହୋଇଥିଲେ। ୨୦୧୫ରେ ‘ଇସ୍କ ତୁହି ହୀ ତୁହି’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଗାଇ ଓଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କ କଣ୍ଠରେ ଗାଇଥିବା ଅନେକ ରୋମାଣ୍ଟିକ୍ ଓ ଭାବପୂର୍ଣ୍ଣ ଗୀତ ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଥିଲା।

ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଶାର ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଙ୍ଗୀତ ଜଗତର ଅନେକ ବ୍ୟକ୍ତି ବିଶେଷ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।