କ୍ରିକେଟ୍ ଓ ବୟକଟ୍: ବାଂଲାଦେଶ ପୂର୍ବରୁ ଏହି ସବୁ ଟିମ୍ ଅନ୍ୟ ଦେଶରେ ଖେଳିବାକୁ କରିସାରିଛନ୍ତି ମନା

NEWS7
president-ram-nath-kovind-confers-padma-shri-and-padma-bhushan-and-padma-vibhusan-award

ନୂଆଦିଲ୍ଲୀ: ବାଂଲାଦେଶ ପ୍ରାୟତଃ ଟି-୨୦ ବିଶ୍ୱକପ ୨୦୨୬ରୁ ବାହାର ହୋଇସାରିଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ ସୁରକ୍ଷା କାରଣ ଦର୍ଶାଇ ଭାରତରେ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲା । ଏହାପରେ ଆଇସିସି ଓ ବିସିବି ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହେଲା । ଆଇସିସି ସଦସ୍ୟ ଦେଶ ଭେନ୍ୟୁରେ ପରିବର୍ତ୍ତନ ନକରି ବିସିବିକୁ ନିଜ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବାକୁ କହିଥିଲେ ।

ବାଂଲାଦେଶ ବୋର୍ଡ ନିଜ ଦେଶର ସରକାର ଏବଂ ଖେଳାଳିମାନଙ୍କ ସହିତ ପରାମର୍ଶ କରିବା ପରେ ଗୁରୁବାର ନିଜ ମତ ବଜାୟ ରଖିଛି । ବିସିବି କହିଛି ଯେ ସେ ଟି-୨୦ ବିଶ୍ୱକପ୍ ଖେଳିବାକୁ ଚାହୁଁଛି, କିନ୍ତୁ ଭାରତରେ ନୁହେଁ । ଏହି ବୟାନ ପରେ, ବାଂଲାଦେଶ ଟି-୨୦ ବିଶ୍ୱକପ ନଖେଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କୌଣସି ଦଳ କ୍ରିକେଟ୍ ବିଶ୍ୱକପ୍ କିମ୍ବା ଆଇସିସି ଇଭେଣ୍ଟକୁ ବହିଷ୍କାର କରୁଛି କିମ୍ବା ଅନ୍ୟ ଦେଶରେ ଖେଳିବାକୁ ମନା କରୁଛି । ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଭଳି ଦଳ ଏହା କରିସାରିଛନ୍ତି ।

୧୯୯୬ ଦିନିକିଆ ବିଶ୍ୱକପ୍ ପୂର୍ବରୁ ସହ-ଆୟୋଜକ ଶ୍ରୀଲଙ୍କା ଗୃହଯୁଦ୍ଧ ସହିତ ସଂଘର୍ଷ କରୁଥିଲା । ଜାନୁଆରୀରେ କଲମ୍ବୋରେ ହୋଇଥିବା ବିସ୍ଫୋରଣ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଥିଲା । ସହ-ଆୟୋଜକ ସହିତ ଏକତା ପ୍ରଦର୍ଶନ କରିବା ପାଇଁ ଭାରତ ଏବଂ ପାକିସ୍ତାନର ଏକ ମିଳିତ ଏକାଦଶ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କଲମ୍ବୋରେ ଶ୍ରୀଲଙ୍କା ବିରୁଦ୍ଧରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କା ବିପକ୍ଷରେ ସେମାନଙ୍କର ଗ୍ରୁପ୍ ମ୍ୟାଚ୍ ପାଇଁ କଲମ୍ବୋ ଯାତ୍ରା କରିବାକୁ ମନା କରିଦେଇଥିଲେ ଏବଂ ସେହି ମ୍ୟାଚ୍ ପାଇଁ ପଏଣ୍ଟ ହରାଇଥିଲେ । ଶ୍ରୀଲଙ୍କା ସହଜରେ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ । ଲାହୋରରେ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଶ୍ରୀଲଙ୍କା ।

୨୦୦୩ ଦିନିକିଆ ବିଶ୍ୱକପ୍ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ କେନିଆ ଆୟୋଜକ ଥିଲେ । ଇଂଲଣ୍ଡ, ଜିମ୍ବାୱେର ହରାରେ ଖେଳିବାକୁ ମନା କରିଥିଲା । ବ୍ରିଟେନର ଟୋନି ବ୍ଲେୟାର ସରକାର ଜିମ୍ବାୱେରେ ରବର୍ଟ ମୁଗାବେଙ୍କ ସରକାରଙ୍କ ବିରୁଦ୍ଧରେ ଥିଲା । କିଛି ମାସ ପୂର୍ବରୁ ମୋମ୍ବାସା ବିସ୍ଫୋରଣ ପରେ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ନ୍ୟୁଜିଲ୍ୟାଣ୍ଡ କେନିଆର ନାଇରୋବି ଯାତ୍ରା କରିବାକୁ ମନା କରିଥିଲା । ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ଉଭୟ ସେମାନଙ୍କ ମ୍ୟାଚ୍ ହରାରେ ଏବଂ ନାଇରୋବିରୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଆଇସିସି ମନା କରି ଜିମ୍ବାୱେ ଏବଂ କେନିଆକୁ ୱାକଓଭର ଦେଇଥିଲା । ଇଂଲଣ୍ଡ ଶେଷରେ ବିଶ୍ୱକପର ପ୍ରଥମ ରାଉଣ୍ଡରେ ବାଦ ପଡ଼ିଥିଲା । ଗ୍ରୁପ୍ ବି’ରୁ ସୁପର ସିକ୍ସକୁ ନ୍ୟୁଜିଲ୍ୟାଣ୍ଡ ଉଠିଥିଲା । କେନିଆ ସେମିଫାଇନାଲରେ ପହଞ୍ଚିଥିଲା ।

ପାଞ୍ଚ ବର୍ଷ ଧରି ଜିମ୍ବାୱେ ଏବଂ ବ୍ରିଟେନ ସମ୍ପର୍କରେ ଉନ୍ନତି ହୋଇନଥିଲା । ଯଦି ଜିମ୍ବାୱେ ଖେଳାଳିମାନଙ୍କୁ ଟୁର୍ଣ୍ଣାମେଣ୍ଟ ପାଇଁ ଯାତ୍ରା ପାଇଁ ଭିସା ପ୍ରଦାନ କରାନଯାଏ, ତେବେ ଇଂଲଣ୍ଡ ୨୦୦୯ ଟି-୨୦ ବିଶ୍ୱକପ୍ ଆୟୋଜନ କରିବ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଶେଷରେ ୨୦୦୮ ଜୁଲାଇରେ ଆଇସିସି ଏବଂ ଜିମ୍ବାୱେ ଏକ ଚୁକ୍ତିନାମାରେ ପହଞ୍ଚିଲେ । ଜିମ୍ବାୱେ "ଖେଳର ସ୍ୱାର୍ଥ ପାଇଁ" ଟୁର୍ଣ୍ଣାମେଣ୍ଟରୁ ଓହରିଗଲା । ତେବେ ଜିମ୍ବାୱେକୁ ଏହାର ପୂର୍ଣ୍ଣ ଅଂଶଗ୍ରହଣ ଫି ଦିଆଯାଇଥିଲା ।

ଅକ୍ଟୋବର ୨୦୧୫ରେ, ସୁରକ୍ଷା ଚିନ୍ତା ଯୋଗୁଁ ଅଷ୍ଟ୍ରେଲିଆ ବାଂଲାଦେଶରେ ଏକ ଦ୍ୱିପାକ୍ଷିକ ସିରିଜରୁ ଓହରି ଯାଇଥିଲା ଏବଂ ୨୦୧୬ରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ପର୍ଯ୍ୟନ୍ତ ଏହା ଜାରି ରହିଥିଲା । ସେତେବେଳେ ଆଇସିସି କହିଥିଲା ଯେ ଅଷ୍ଟ୍ରେଲିଆର ବାଂଲାଦେଶ ଯାତ୍ରା ନକରିବାର ନିଷ୍ପତ୍ତିରେ ନିରାଶ, କିନ୍ତୁ ଏହାକୁ ସେ ସମ୍ମାନ କରୁଛି । ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆର ସ୍ଥାନରେ ଆର୍ୟଲାଣ୍ଡ ଖେଳିଥିଲା ।

ପାକିସ୍ତାନ ୨୯ ବର୍ଷ ପରେ ୨୦୨୫ରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସ୍ଥିର କରିଥିଲା । ନଭେମ୍ବର ୨୦୨୧ରେ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ଭାବରେ ଘୋଷଣା କରାଯାଇଥିଲା । କିନ୍ତୁ ବଡ଼ ପ୍ରଶ୍ନ ଥିଲା ଯେ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେଠାକୁ ଯାତ୍ରା କରିବ କି ନାହିଁ ? ୨୦୦୮ ପରଠାରୁ ଭାରତ ପାକିସ୍ତାନରେ କୌଣସି ମ୍ୟାଚ୍ ଖେଳି ନଥିଲା । ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ପାକିସ୍ତାନ ଭାରତ ଗସ୍ତ କରିଥିଲା, କିନ୍ତୁ ଦୁଇ ବର୍ଷ ପରେ ଭାରତ ପାକିସ୍ତାନ ଯାତ୍ରା କରିବ କି ନାହିଁ ତାହା ସ୍ପଷ୍ଟ ନଥିଲା । ଟୁର୍ଣ୍ଣାମେଣ୍ଟ ପାଖେଇ ଆସିବା ପରେ, ବିସିସିଆଇ ଘୋଷଣା କରିଥିଲା ଯେ ସରକାରୀ ଅନୁମତି ନଥିବାରୁ ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯାତ୍ରା କରିବ ନାହିଁ । ଦୁଇ ବୋର୍ଡ ଏବଂ ଆଇସିସି ମଧ୍ୟରେ ବ୍ୟାପକ ଆଲୋଚନା ପରେ, ୨୦୨୪-୨୦୨୭ ପାଇଁ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ, ଭାରତ କିମ୍ବା ପାକିସ୍ତାନ ଦ୍ୱାରା ଆୟୋଜିତ ଯେକୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ । ଏହାପରେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା ଏବଂ ଭାରତ ଟୁର୍ଣ୍ଣାମେଣ୍ଟ ଜିତିଥିଲା । ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ କେବଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ୍ ଖେଳିବ ।