ଏମ୍ସରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି, ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କ କଥା ହେଲେ

Published By : Prameya-News7 Bureau | July 14, 2025 IST

ଭୁବନେଶ୍ବର: ଏମ୍ସ ସମାବର୍ତ୍ତନ ସମାରୋହରେ ଯୋଗଦେବା ପରେ ବର୍ଣ୍ଣ ଓ୍ବାର୍ଡକୁ ଯାଇ ଚିକିତ୍ସିତ ହେଉଥିବା ବାଲେଶ୍ବର ଏଫଏମ୍‌ କଲେଜ ଛାତ୍ରୀଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ସହ ଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରି ପୀଡ଼ିତାଙ୍କ ପରିବାର ସହ ମଧ୍ୟ କଥା ହୋଇଛନ୍ତି ରାଷ୍ଟ୍ରପତି। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ। 

ତେବେ ପୀଡ଼ିତାଙ୍କ ପରିବାରକୁ ଭେଟିବା ସମୟରେ ରାଷ୍ଟ୍ରପତି ଭାବବିହ୍ବଳ ହୋଇପଡ଼ିଥିଲେ। ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇ ଭଗବାନଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ ରାଷ୍ଟ୍ରପତି । ଏହା ସହ ପୀଡ଼ିତା ଯେପରି ଶୀଘ୍ର ସୁସ୍ଥ ହେବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଆଶ୍ବସନା ଦେବା ସହ ଘଟଣାରେ ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବଶ୍ୟକ ହୁଏ ତେବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଏବଂ ତାହାର ମଧ୍ୟ ସୁବନ୍ଦୋବସ୍ତ କରିବାକୁ ଭରସା ଦେଇଥିବା ନେଇ କହିଛନ୍ତି ପୀଡ଼ିତା ଛାତ୍ରୀଙ୍କ ଭାଇ।

ସୂଚନାଥାଉକି, ଗତ ଶନିବାର ବାଲେଶ୍ବର ଏଫଏମ୍‌ କଲେଜ ପରିସରରେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍‌ନାରେ ଜଣେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ଏମିତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏବେବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.