ଭୁବନେଶ୍ବର: ଦୁଇ ଦିନିଆ ଗସ୍ତରେ ଓଡ଼ିଶା ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ସୋମବାର ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବେନଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏମ୍ସ ସମାବର୍ତ୍ତନ ସମାରୋହରେ ଯୋଗଦେବା ପାଇଁ ବାହାରିଯାଇଛନ୍ତି। ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
ତେବେ ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଡିଗ୍ରୀ ଏବଂ ସ୍ବର୍ଣ୍ଣ ପଦକ ପ୍ରଦାନ କରିବେ। ଏମ୍ସ ଭୁବନେଶ୍ବରରେ ରାଷ୍ଟ୍ରପତି ପାଖାପାଖି ଏକ ଘଣ୍ଟା ରହିବା ନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ।
ସେହିପରି ମଙ୍ଗବାର ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ପରେ କଟକ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’ ପ୍ରଦାନ କରିବେ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ରହିଛି ଟ୍ବିନ୍ସିଟି କଟକ, ଭୁବନେଶ୍ବର ।