ଓଡିଶା ସପସ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ବିଲ୍ ୨୦୨୫ ଗୃହୀତ, ଦୈନିକ କାର୍ଯ୍ୟଘଣ୍ଟା ୯ରୁ ବଢ଼ି ୧୦ ହେଲା, ରାତ୍ରି ସିଫ୍ଟରେ କାମ କରିପାରିବେ ମହିଳା

NEWS7
president-appoints-arvind-kejriwal-as-delhi-cm

ଭୁବନେଶ୍ୱର ୪।୧୨: ରାଜ୍ୟ ବିଧାନସଭାରେ ଓଡିଶା ସପସ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ବିଲ୍ ୨୦୨୫ ଗୃହୀତ ହୋଇଛି। ଏଥିରେ ୧୯୫୬ ମୂଳ ଅଧିନିୟମର ସଂଶୋଧନ କରାଯାଇଛି। ଏଣୁ ସବୁ ଶ୍ରେଣୀର ବ୍ୟବସାୟୀକ ପ୍ରତିଷ୍ଠାନରେ ଦୈନିକ କାର୍ଯ୍ୟଘଣ୍ଟା ୯ରୁ ବଢାଇ ୧୦ ଘଣ୍ଟା କରିଦିଆଯାଇଛି। ସେହିପରି ବିଧେୟକରେ ମହିଳାଙ୍କୁ ରାତ୍ରି ସିଫ୍ଟରେ କାମ କରିବା ଲାଗି ଅନୁମତି ମିଳିଛି, ତେବେ ଏଥି ପାଇଁ ସୁରକ୍ଷା ସର୍ତ୍ତ ମଧ୍ୟ ରହିଛି।

ଶ୍ରମ ଓ ନିୟୋଜନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି ଯେ ଉତ୍ପାଦକତା ବୃଦ୍ଧି କରିବା, ବିଶେଷ କରି ମହିଳା ୱାର୍କ ଫୋର୍ସ ନିମନ୍ତେ ଅଧିକ ରୋଜଗାରର ଅବସର ସୃଷ୍ଟି କରିବା, ଆର୍ଥିକ ଗତିବିଦ୍ଧିକୁ ବଢାଇବା ସହ ରାଜ୍ୟରେ ବ୍ୟବସାୟକୁ ସୁଗମ କରିବା ଏହି ବିଧେୟକର ମୁଖ୍ୟ ଉଦ୍ଦେଶ୍ୟ। ବିଧେୟକ ଉପରେ ଆଲୋଚନା ଆରମ୍ଭ କରି ମନ୍ତ୍ରୀ କହିଛନ୍ତି ଯେ ଏବେ ଦୈନିକ ଅଧିକତମ କାର୍ଯ୍ୟ ସମୟ ୧୦ ଘଣ୍ଟା ହେବ। ସେହି ଅନୁସାରେ ଶ୍ରମିକ ସପ୍ତାହଙ୍କୁ ସର୍ବାଧିକ ୪୮ ଘଣ୍ଟା କାମ କରିବେ। ସଂଶୋଧିତ ପ୍ରାବଧାନ ସେହି ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ଲାଗୁ ହେବ ଯେଉଁଠାରେ ୨୦ ବା ତୁଦୁର୍ଦ୍ଧ୍ୱ ଲୋକେ କାମ କରୁଥିବେ।

ସେ କହିଛନ୍ତି ଯେ କୌଣସି ଶ୍ରମିକ/କର୍ମଚାରୀଙ୍କ କାର୍ଯ୍ୟ ଅବଧି ଅନୁନ୍ୟ ଅଧଘଣ୍ଟାର ଅବକାସ ବିନା ସର୍ବାଧିକ ୬ ଘଣ୍ଟା ହେବ। ଏଣୁ ସଂଶୋଧିତ ଶ୍ରମ ଆଇନ କାର୍ଯ୍ୟକାରୀ ହେଲେ କୌଣସି ପ୍ରତିଷ୍ଠାନ ୨୪x୭ ଖୋଲା ରହି ପାରିବ। ତେବେ ଏଥି ପାଇଁ ସଂସ୍ଥାକୁ ଶ୍ରମିକ ଓ କର୍ମଚାରୀଙ୍କୁ ଓଭର ଟାଇମ ବେତନ ଓ ଏକ ସପ୍ତାହିକ ଅବକାଶ ଦେବାକୁ ପଡିବ। ତେବେ ସାପ୍ତାହିକ ଅବକାଶ ନିମନ୍ତେ ଶ୍ରମିକ ଓ କର୍ମଚାରୀଙ୍କ ବେତନ କାଟ ହେବ ନାହିଁ। ଏହା ଦୈନିକ ମଜୁରୀରେ କାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଲାଗୁ ହେବ।

ବିଧେୟକରେ କୌଣସି ଆର୍ଥିକ ବର୍ଷର ଏକ ତ୍ରୈମାସିକ କାଳରେ ଓଭର ଟାଇମ ସୀମା ୫୦ ଘଣ୍ଟାରୁ ବଢାଇ ୧୪୪ ଘଣ୍ଟା କରିବାକୁ ପ୍ରସ୍ତାବ ରହିଛି। ଏହା ଦ୍ୱାରା ବାଣିଜ୍ୟିକ ପ୍ରତିଷ୍ଠାନଙ୍କୁ କାମର ଚାପ ମୁକାବିଲା ଓ ନିଯୁକ୍ତିଦାତାଙ୍କୁ ଦୀର୍ଘ ଅବଧିରେ ଅଧିକ କୁଶଳତାର ସହ ଜନଶକ୍ତିର ପ୍ରବନ୍ଧନ ପାଇଁ ସହାୟତା ମିଳିବ। ମନ୍ତ୍ରୀ କହିଛନ୍ତି ଯେ ଓଭର ଟାଇମର ବର୍ଦ୍ଧିତ ସୀମା ଇଛୁକ କର୍ମଚାରୀ ଓ ଶ୍ରମିକଙ୍କୁ ସାଧାରଣ ବେତନର ୨ଗୁଣା ଅଧିକ ଆୟ କରିବାକୁ ସହାୟତା କରିବ।

ବିଧେୟକରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣକାରୀ ଉପାୟରେ ରାତ୍ରି ସିଫ୍ଟରେ କାମ କରିବା ପାଇଁ ଏ ପର୍ଯ୍ୟନ୍ତ ଥିବା କଟକଣା ହଟାଇଛି। ମନ୍ତ୍ରୀ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ଲିଙ୍ଗଭେଦ ଦୂର କରିବା ଓ ସଙ୍ଗଠିତ କ୍ଷେତ୍ରରେ ମହିଳାଙ୍କ ନିମନ୍ତେ ରୋଜଗାରର ଅଧିକ ଅବସର ସୃଷ୍ଟି କରିବା। ମନ୍ତ୍ରୀ କହିଛନ୍ତି ଯେ ସଂଶୋଧିତ ପ୍ରାବଧାନ ରାଜ୍ୟରେ ଯେଉଁଦିନ ସପ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ (ସଂଶୋଧନ) ଅଧ୍ୟାଦେଶ ଜାରି ହୋଇଥିଲା ସେହି ଦିନରୁ ଅର୍ଥାତ ନଭେମ୍ବର ୮ରୁ ଲାଗୁ ହେବ।