ପୁରୀ ଦଳଚକାଟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | June 30, 2025 IST

ଭୁବନେଶ୍ବର: ରବିବାର ଶରଧାବାଲିରେ ଘଟିଥିବା ଅଘଟଣକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବି ତୋଫାନ ଦେଖିବାକୁ ମିଳିଛି। ଅବଶ୍ୟ ସରକାର କର୍ତ୍ତବ୍ୟରେ ହେଳା ପାଇଁ ଦୁଇ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିବା ସହ, ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରିଛନ୍ତି। ହେଲେ ଏସବୁ ଭିତରେ ଘଟଣାକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ଏହାରି ମଧ୍ୟରେ ପୁଣି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଏହି ଘଟଣାକୁ ବିଧାନସଭା ଓ ସାଂସଦରେ ଉଠାଇବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା। ସେ କହିଛନ୍ତି ‘‘ସରକାର ବାକ୍ୟ ବୀର, କର୍ମ ବୀର ନୁହଁନ୍ତି। ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଭାବରେ ହୋଇଛି। ଏଭଳି ଘଟଣା ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି।ଲୋକ ଦେଖାଣିଆ ଭାବେ ଜିଲ୍ଲାପାଳ କି’ ଏସପିଙ୍କୁ ବଦଳି କରିବା ସମାଧାନ ନୁହେଁ । ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।’’

ସେ ଆହୁରି କହିଛନ୍ତି ‘‘ଏଭଳି ଘଟଣା ସାରା ଦେଶ ଓ ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରିଛି। ସରକାର ଏହାକୁ ହାଲୁକା ଭାବରେ ଏହାକୁ ନିଅନ୍ତୁ ନାହିଁ। କେବଳ ଏସି ରୁମ୍‌ରେ ଟେବୁଲ ଚେୟାରରେ ରଥଯାତ୍ରା ସମ୍ପର୍କିତ ନିଷ୍ପତ୍ତି ହେବା ଭଳି ଲାଗୁଛି।’’ ମନ୍ତ୍ରୀ କି’ ସରକାରୀ ଅଧିକାରୀ ଯିଏବି ଦାୟିତ୍ବ ନେଇଥିଲେ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.