ଡୋନାଲ୍ଡ ଟ୍ରମ୍ପଙ୍କୁ ଖାମେନିଙ୍କ ଚେତାବନୀ; କହିଲେ, ପର କଥା ଛାଡି ନିଜ କଥା ବୁଝ, ଆନ୍ଦୋଳନକାରୀଙ୍କୁ କଲେ ସତର୍କ

NEWS7
prakash-raj-supports-fawad-khans-film-abir-gulal

ତେହରାନ: Iran Protest News: ଇରାନରେ ଗୋଟିଏ ପଟେ ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟପଟେ ଟ୍ରମ୍ପ ଯୁଦ୍ଧ ପାଇଁ ବାରମ୍ବାର ଧମକ ଦେଉଛନ୍ତି। ତେଣୁ ଘଟଣାକୁ ନେଇ ଚିନ୍ତାରେ ଇରାନ ସରକାର। ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲ୍ଲୀ ଖାମେନି ଆନ୍ଦୋଳନରତ ଲୋକଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ଇଙ୍ଗିତ କରି ଶୁକ୍ରବାର ଖାମେନି କହିଛନ୍ତି ଯେ ପ୍ରଦର୍ଶନକାରୀମାନେ "ଅନ୍ୟ ଦେଶର ରାଷ୍ଟ୍ରପତିଙ୍କୁ ଖୁସି କରିବା ପାଇଁ ନିଜ ଦେଶର ରାସ୍ତାକୁ ନଷ୍ଟ କରୁଛନ୍ତି।

ଅଲି ଖାମେନି ସମର୍ଥକମାନଙ୍କୁ ଏକଜୁଟ ରହିବାକୁ ଅନୁରୋଧ କରିଛନ୍ତି। ଏନେଇ ସେ " ଦେଶର ପ୍ରିୟ ଯୁବବର୍ଗ, ସମସ୍ତେ ପ୍ରସ୍ତୁତି ଏବଂ ଏକତା ବଜାୟ ରଖନ୍ତୁ। ଏକ ଏକାଠି ହୋଇଥିବା ରାଷ୍ଟ୍ର ଯେକୌଣସି ଶତ୍ରୁକୁ ପରାସ୍ତ କରିବ।" ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ଧକମ ଦେଉଥିବା ବେଳେ ଖାମେନି ଦେଶବାସୀଙ୍କ ପାଇଁ ଆହ୍ୱାନ ଦେଇଛନ୍ତି।

ଏଥିସହିତ ସେ କିଛି ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଇସଲାମିକ୍ ଗଣରାଜ୍ୟ ବିଦେଶୀ ଶକ୍ତି ପାଇଁ ଭଡ଼ାଟିଆ ସୈନିକ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସହ୍ୟ କରିବ ନାହିଁ। ଏଥିସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ମଧ୍ୟ ଚେତାବନୀ ଜାରି କରିଛନ୍ତି। ଇରାନ ଉପରେ ମନ୍ତବ୍ୟ ଦେବା ଅପେକ୍ଷା ନିଜ ଦେଶର ସମସ୍ୟା ଉପରେ ଧ୍ୟାନ ଦେବାକୁ ଖାମେନି ଟ୍ରମ୍ପଙ୍କୁ ପରାମର୍ଶ ଦେଇଛନ୍ତି। ତେହେରାନ ଏବଂ ୱାଶିଂଟନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଖାମେନିଙ୍କର ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି।

ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ କିଛି ବିମାନ ଚଳାଚଳ ସ୍ଥଗିତ ରକାଯାଇଛି। ଦୁବାଇ ବିମାନବନ୍ଦର ୱେବସାଇଟରୁ ତଥ୍ୟ ନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ କରିଛି ଯେ ଶୁକ୍ରବାର ଦିନ ଦୁବାଇ ଏବଂ ତେହେରାନ, ଶିରାଜ ଏବଂ ମଶହାଦ ସମେତ ଅନେକ ଇରାନ ସହର ମଧ୍ୟରେ ଉଡ଼ାଣ ପାଇଁ ସ୍ଥିର ହୋଇଥିବା ଅତି କମରେ ୬ ବିମାନ ବାତିଲ କରାଯାଇଛି।

ରଏଟର୍ସ ରିପୋର୍ଟ ଅନୁସାରେ, ଇରାନର ଧର୍ମଗୁରୁ ଶାସକଙ୍କ ବିରୋଧରେ ତୀବ୍ର ଆନ୍ଦୋଳନ ଜାରି ରହିଛି। ବର୍ତ୍ତମାନ ସେମାନଙ୍କର ଶାସନ ସଂକଟରେ। କାରଣ ସରକାର ବିରୋଧୀ ପ୍ରତିବାଦ ଦେଶବ୍ୟାପୀ ବ୍ୟାପିଛି। ଯୁବକମାନେ ଇସ୍ଲାମିକ ଶାସନରେ ଅତିଷ୍ଟ ଥିବା କହୁଛନ୍ତି। ଇରାନ ଅର୍ଥନୀତି ହ୍ରାସ ପାଇବା ଓ ଏହାର ମୁଦ୍ରା ରିଆଲ ଡଲାର ତୁଳନାରେ ରସାତଳକୁ ଯିବା ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଇରାନ ସମସ୍ତ ୩୧ ରାଜ୍ୟରେ ବ୍ୟାପିଯାଇଛି। ଯଦିଓ ଏହା ମହସା ଆମିନୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ପ୍ରତିବାଦ ଅପେକ୍ଷା ଛୋଟ ରହିଛି, ତେବେ ଇରାନବାସୀ ଆଉ ଇସ୍ଲାମିକ ଶାସନ ଚାହୁଁ ନାହାନ୍ତି ବୋଲି ଏକପ୍ରକାର ଘୋଷଣା କରି ସାରିଲେଣି। ଏହି ଆନ୍ଦୋଲନରେ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ୨,୨୦୦ରୁ ଅଧିକ ଗିରଫ ହୋଇଛନ୍ତି।