ଆସନ୍ତାକାଲି ବିଜେଡି ପାଳିବ ୨୯ ତମ ପ୍ରତିଷ୍ଠା ଦିବସ, ନବୀନଙ୍କ ଆଭିମୁଖ୍ୟ ଉପରେ ସଭିଙ୍କ ନଜର

NEWS7
pooja-batra-is-dating-tiger-zinda-hai-actor-nawab-shah-romantic-photo-viral

ଭୁବନେଶ୍ଵର: ଆସନ୍ତାକାଲି ବିଜେଡି ତାର ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ବୁଥ ସ୍ତରରୁ ନେଇ ରାଜ୍ୟ ସ୍ତର ଯାଏଁ ପାଳନ କରିବ ଦଳ । ହେଲେ ସରକାରରୁ ଗଲା ପରେ ଦଳର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ନବୀନଙ୍କ ଆଭିମୁଖ୍ୟକୁ ନେଇ ସମସ୍ତଙ୍କର ନଜର ରହିଛି ।

ଆଗାମୀ ବର୍ଷେ ପାଇଁ କଣ ରହିବ ବିଜେଡିର ଆଭିମୁଖ୍ୟ ? ସଂଗଠନ ସହ ବିରୋଧି ଦଳର ଭୂମିକା କେମିତି ରହିବ ? ଏ ପ୍ରଶ୍ନ ଭିତରେ ପ୍ରତିଷ୍ଠା ଦିବସରେ ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କର ରହିଛି ନଜର । ଆସନ୍ତା କାଲି ବଜେଡି ତାର ୨୯ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାପକ ଆୟୋଜନ କରିଛି । ହେଲେ ସାରା ରାଜ୍ୟର ନଜର ରହିଛି ଆସନ୍ତା କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାଷଣ ଉପରେ । କାରଣ ପ୍ରତିଷ୍ଠା ଦିବସରୁ ହିଁ ଆଗାମୀ ବର୍ଷେ ପାଇଁ ରଣନିତୀ ପ୍ରସ୍ତୁତ ହୋଇଥାଏ ।

ଏହାରି ଭିତରେ ଦଳ ଏବେ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି । ସବୁଠାରୁ ବଡ ପ୍ରଶ୍ନ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଦଳରେ ଟଣା ଓଟରା ଲାଗିଛି । ଏପଟେ ଗୋଟିଏ ପରେ ଗୋଟିଏ ଗୋଷ୍ଠି ଭୋଜି ଭାତ ନାଁରେ ମେଳି କରି ଶିର୍ଷ ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଉଛନ୍ତି । ଏହାସହ ଗ୍ରାଉଣ୍ଡରେ ବିଜେଡିର ଦୁର୍ଗ ଭୁଷୁଡୁଥିବା ବେଳେ ତୃଣମୂଳ କର୍ମୀଙ୍କୁ କଣ ଦେବେ ବାର୍ତ୍ତା । ସେହିପରି ବିରୋଧି ଦଳ ଭାବରେ ମଧ୍ୟ ବିଗତ ଦିନରେ ସେତେ ଶାଣିତ ସ୍ୱର ଉଠାଇ ପାରିନି ଦଳ । ଏହାରି ଭିତରେ ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛନ୍ତି ଦଳର ବରିଷ୍ଠ ଉପସଭାପତି ।

ସେପଟେ ନବୀନ ପଟ୍ଟନାୟକ ସବୁବେଳେ ନିଜକୁ ସୁହାଇଲା ପରି ଅଷ୍ପଷ୍ଟ ରଣନୀତି କରିଥାନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ୱାଦିକ । ଏବେ ସେ ନିଜର ଆଭିମୁଖ୍ୟ ଷ୍ପଷ୍ଟ ନ କଲେ ଦଳ ପାଇଁ କ୍ଷତି ହେବ । ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ରାଜ୍ୟବାସୀଙ୍କ ଆସ୍ଥା ହରାଇବ । ଏମିତି କି ନବୀନ ପଟ୍ଟନାୟକଙ୍କ ବୟସ ବଢୁଥିବାରୁ ନିଜର ଉତ୍ତରାଧିକାରୀ ଘୋଷଣା କରିଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସରପ୍ରାଇଜ କାର୍ଡ ଖେଳିବାରେ ସବୁବେଳେ ମାହିର ବିଜେଡି ସଭାପତି ନବୀନ ପଟ୍ଟନାୟକ । କାଲି କଣ ସର୍ପାଇଜ ଦେବେ ନା ଚିରାଚରିତ ଭାଷଣ ଦେଇ କର୍ମୀଙ୍କ ପିଠି ଥାପୁଡାଇବେ ନବୀନ ତାହା ଦେଖିବା ବାକି ରହିଲା ।