India-US Interim Trade Deal: ଗହମ ଓ ମକା ଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ମୁଖ୍ୟ କୃଷି ଉତ୍ପାଦ ସମ୍ପୂର୍ଣ୍ଣ ସୁରକ୍ଷିତ: ବାଣିଜ୍ୟ ସଚିବ

NEWS7
poll-panels-red-flag-to-brs-rythu-bandhu-scheme

ନୂଆଦିଲ୍ଲୀ: ଆମେରିକା ସହ ବାଣିଜ୍ୟ ଡିଲ୍କୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ବୁଧବାର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ସଚିବ ରାଜେଶ ଅଗରୱାଲ। ଭାରତ ବାଣିଜ୍ୟ ଚୁକ୍ତିରେ ସବୁବେଳେ ଦେଶର ସମ୍ବେଦନଶୀଳ କ୍ଷେତ୍ରକୁ ନେଇ ଖୁବ୍ ସ୍ପଷ୍ଟ ବିଚାର ରଖିଛି। ଆଉ ଆମେରିକା ସହିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାରେ ମଧ୍ୟ ଏପରି ସମସ୍ତ ପ୍ରମୁଖ କ୍ଷେତ୍ରକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ରାଜେଶ ଅଗରୱାଲ୍ କହିଛନ୍ତି। ଦୁଇ ପକ୍ଷ ମିଳିତ ବିବୃତ୍ତିକୁ ଏକ ଆଇନଗତ ଚୁକ୍ତିନାମାରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ଯାହା ମାର୍ଚ୍ଚ ଶେଷ ସୁଦ୍ଧା ଚୂଡ଼ାନ୍ତ ଏବଂ ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ବୋଲି କହିଛନ୍ତି ବାଣିଜ୍ୟ ସଚିବ।

ଅଗରୱାଲ କହିଛନ୍ତି “ଭାରତ ସର୍ବଦା ସ୍ପଷ୍ଟ ମନରେ ସମସ୍ତ ଚୁକ୍ତିନାମା ଉପରେ ଆଲୋଚନା କରିଆସିଛି। ଯେଉଁ କ୍ଷେତ୍ରଗୁଡ଼ିକ ଭାରତ ପାଇଁ ବିଶେଷ ସମ୍ବେଦନଶୀଳ, ଯେଉଁଠାରେ ଆମକୁ ଲାଗେ ଯେ ଆମର ଚାଷୀ, ମତ୍ସ୍ୟଜୀବୀ କିମ୍ବା ଦୁଗ୍ଧ କ୍ଷେତ୍ର ପ୍ରଭାବିତ ହୋଇପାରେ, ସେଠାରେ ଆମେ ଆମର ଅଂଶୀଦାର ଦେଶମାନଙ୍କୁ ସ୍ପଷ୍ଟ ଭାବରେ ଜଣାଇଛୁ ଯେ ଭାରତ ଏପରି ପରିସ୍ଥିତିରେ ବଜାର ଖୋଲିପାରିବ ନାହିଁ କିମ୍ବା ପ୍ରବେଶ ଅନୁମତି ଦେଇପାରିବ ନାହିଁ।”

ସଚିବ କହିଛନ୍ତି “"ଯଦି ଆପଣ ଗତ ବର୍ଷ ଆମେ କରିଥିବା ସମସ୍ତ ଚୁକ୍ତିନାମାକୁ ଦେଖନ୍ତି, ତେବେ ଆମେ ପାଞ୍ଚଟି ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ସେଗୁଡ଼ିକ ସମସ୍ତ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ସୁରକ୍ଷା ଦେଇଛି। ଆମେରିକା ସହିତ ମଧ୍ୟ, ସମସ୍ତ ପ୍ରମୁଖ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ସୁରକ୍ଷା ଦିଆଯାଇଛି। ଯେଉଁଠାରେ କିଛି ସମ୍ବେଦନଶୀଳତା ଥିଲା, ଆମେ ବଜାର ପ୍ରବେଶକୁ ସୀମିତ କରିବା ଏବଂ ଆମର କୃଷକମାନଙ୍କ ଉପରେ ପ୍ରଭାବକୁ ରୋକିବା ପାଇଁ ଶୁଳ୍କ ହାର କୋଟା ବ୍ୟବହାର କରିଥିଲୁ।”

ପଢ଼ନ୍ତୁ- ଆମେରିକା-ଭେନେଜୁଏଲାରୁ ଆସିବ ତେଲ, ଭାରତୀୟ ତୈଳ କମ୍ପାନିଗୁଡ଼ିକୁ ସରକାରଙ୍କ ଅନୁମତି

ଚଳିତ ମାସ ପ୍ରାରମ୍ଭରେ ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ, ଭାରତ ମକା, ଗହମ, ଚାଉଳ, ସୋୟାବିନ, କୁକୁଡ଼ା, କ୍ଷୀର, ପନିର, ଇଥାନଲ୍ (ଇନ୍ଧନ), ତମାଖୁ, କିଛି ପନିପରିବା ଏବଂ ମାଂସ ଭଳି ସମ୍ବେଦନଶୀଳ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଛି। ଏହି ସାମଗ୍ରୀ ଉପରେ ଆମେରିକାକୁ କୌଣସି ଶୁଳ୍କ ରିହାତି ଦିଆଯାଇନାହିଁ। ଏହିସବୁ ଉତ୍ପାଦଗୁଡ଼ିକୁ ଏଥିପାଇଁ ସମ୍ବେଦନଶୀଳ କୁହାଯାଉଛି, କାରଣ ଏଗୁଡ଼ିକ ଦେଶର କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀଙ୍କ ଜୀବିକା ସହିତ ଜଡିତ। ଅନ୍ୟାନ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକରେ (FTA) ବି ଭାରତ ସରକାର ସମ୍ବେଦନଶୀଳ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉପରେ କୌଣସି ଆମଦାନୀ ଶୁଳ୍କ ରିହାତି ପ୍ରଦାନ କରି ନାହାନ୍ତି।

ଭାରତ ସମ୍ପ୍ରତି ୟୁରୋପୀୟ ସଂଘ, ଯୁକ୍ତରାଜ୍ୟ ଆମେରିକା ଏବଂ ଅଷ୍ଟ୍ରେଲିଆ ସହିତ ଏଫ୍‌ଟିଏ ଚୂଡ଼ାନ୍ତ କରିଛି। ସବୁଥିରେ ଏସବୁ କ୍ଷେତ୍ରକୁ ସୁରକ୍ଷା ଦିଆଯାଇଛି। କାରଣ କୃଷି ଏବଂ ସମ୍ବନ୍ଧୀୟ କାର୍ଯ୍ୟକଳାପ, ଯେପରିକି ପଶୁପାଳନ, ଭାରତର ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ, ଯାହା ୫୦ କୋଟିରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛି। ଏହା ଦେଶର ଅର୍ଥନୀତି ପାଇଁ ଏକ ମେରୁଦଣ୍ଡ। ବିକଶିତ ଅର୍ଥନୀତିଗୁଡ଼ିକରେ କୃଷି କ୍ଷେତ୍ର ଅତ୍ୟନ୍ତ ଯାନ୍ତ୍ରିକ ଏବଂ କର୍ପୋରେଟ୍-ଚାଳିତ ରହିଛି। ହେଲେ ଭାରତରେ ଏହା ଜୀବିକା ନିର୍ବାହର ବିଷୟ। ତେଣୁ ଶୁଳ୍କ ଆଦି ବିଭିନ୍ନ ନିୟମ ଲାଗୁ କରି ଭାରତୀୟ କୃଷିକୁ ସୁରକ୍ଷା ଦିଆଯାଇଛି।

ଭାରତକୁ କେଉଁସବୁ କୃଷି ସାମଗ୍ରୀ ରପ୍ତାନୀ କରୁଛି ଆମେରିକା?

୨୦୨୪ ମସିହାରେ ଭାରତରେ ଆମେରିକାର କୃଷି ରପ୍ତାନି ୧.୬ ବିଲିୟନ ଆମେରିକୀୟ ଡଲାର ଥିଲା। ପ୍ରମୁଖ ରପ୍ତାନିରେ ବାଦାମ (ଚୋପା ସହିତ, $୮୬.୮ କୋଟି ଡଲାର), ପିସ୍ତା ($୧୨.୧ କୋଟି), ସେଓ ($୨.୧ କୋଟି) ଏବଂ ଇଥାନଲ୍ (ଇଥିଲ୍ ଆଲକୋହଲ୍, $୨୬.୬ କୋଟି) ଟଙ୍କାରେ ଆମଦାନୀ କରିଥିଲା ଭାରତ।