ଆସାମ କାର୍ବି ଆଙ୍ଗଲୋଙ୍ଗରେ ହିଂସା, ପୋଲିସ ଗୁଳିରେ ୩ ବିକ୍ଷୋଭକାରୀ ଆହତ, ସାରା ଜିଲ୍ଲାରେ ଧାରା ୧୬୩ ଲାଗୁ

NEWS7
police-to-wear-body-camera-in-the-police-station

କାର୍ବି ଆଙ୍ଗଲୋଙ୍ଗ ୨୨।୧୨: ଆସାମ କାର୍ବି ଆଙ୍ଗଲୋଙ୍ଗରେ ସରକାରୀ ଜମିରୁ ଅବୈଧ ଜବରଦଖଲ ହଟାଇବା ଦାବିରେ ଜାରି ବିରୋଧ ପ୍ରଦର୍ଶନ ସୋମବାର ହିଂସାତ୍ମକ ରୂପେ ଧାରଣ କରିଛି। ଭିଲେଜ ଗ୍ରେଜିଂ ରିଜର୍ଭ(ବିଜିଆର) ଓ ପ୍ରଫେସନାଲ ଗ୍ରେଜିଂ ରିଜର୍ଭ (ପିଜିଆର) ଜମିର ଜବରଦଖଲ ହଟାଅ ଦାବିରେ ପ୍ରଦର୍ଶନ କରୁଥିବା ଲୋକଙ୍କ ସହ ପୋଲିସର ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ପୋଲିସ ଗୁଳି ଚାଳନା କରିବାରୁ ୩ ଜଣ ବିକ୍ଷୋଭକାରୀ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଗୁଳିକାଣ୍ଡ ପରେ ପରିସ୍ଥିତି ବିଗିଡି ଯାଇଥିବା ବେଳେ ବିକ୍ଷୋଭକାରୀ ସିଇଏମ ତୁଲିରାମ ରୋଙ୍ଗହାଙ୍ଗଙ୍କ ଘର ପୋଡି ଦେଇଛନ୍ତି। ସମଗ୍ର ଜିଲ୍ଲାରେ ଧାରା ୧୬୩ ଲାଗୁ କରାଯାଇଛି। ସୂଚନା ଅନୁସାରେ ଅଲଗା ଅଲଗା ସଙ୍ଗଠନର ଲୋକେ ପିଜିଆର ଓ ବିଜିଆର ଭୂମିରୁ ଅବୈଧ ଜବରଦଖଲ ହଟାଇବା ଦାବିରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତେବେ ପୋଲିସ ଧାରଣାସ୍ଥଳରୁ କିଛି ପ୍ରଦର୍ଶନକାରୀଙ୍କୁ ଗିରଫ କରିବାରୁ ପରିସ୍ଥିତି ବିଗିଡି ଯାଇଥିଲା।

ଲୋକେ ପୋଲିସ ଉପରେ ଟେକାପଥର ମାଡ଼ ଆରମ୍ଭ କରିଦେଇଥିଲେ। ଏଣୁ ପୋଲିସ ପ୍ରଥମେ ଲାଠି ଚାର୍ଜ କରିଥିଲା ହେଲେ ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ଗୁଳି ଚାଳନା କରାଯାଇଥିଲା। ଏଥିରେ ୩ ଜଣ ବିକ୍ଷୋଭକାରୀ ଗୁରୁତର ଆହତ ହୋଇଛନ୍ତି। ଏିହ ଘଟଣାରେ ଆକ୍ରୋଶିତ ଭିଡ କାର୍ବି ଆଙ୍ଗଲୋଙ୍ଗ ସ୍ୱାୟତ ପରିଷଦର ମୁଖ୍ୟ କାର୍ଯ୍ୟକାରୀ ସଦସ୍ୟ (ସିଇଏମ)ଙ୍କ ଘରକୁ ଟାର୍ଗେଟ୍ କରିଥିଲେ। ପ୍ରଦର୍ଶନକାରୀ ତାଙ୍କ ଘର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଥିଲେ। ପରିସ୍ଥିତି ବିଗିଡିବା ପରେ ପ୍ରଶାସନ ପୁରା ଜିଲ୍ଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ଲାଗୁ କରିଛି।