ନକଲି ନମ୍ବର ପ୍ଲେଟ, ଆଡଭୋକେଟ୍ ଲୋଗୋ, ଚାଲାଣ ହେଉଥିଲା ଗଞ୍ଜେଇ; କାର୍‌ ଜବତ ପରେ ପୋଲିସର ତନାଘନା

Published By : Prameya-News7 Bureau | August 24, 2025 IST

ବଲାଙ୍ଗୀର: ଗାଡ଼ିରେ ଲାଗିଛି ଆଡଭୋକେଟ ଲୋଗୋ। ବୋଧ ହୁଏ ଗାଡ଼ିର ମାଲିକ ଜଣେ ଓକିଲ। ହେଲେ ଏ ଗାଡ଼ିରେ କେହି ଓକିଲ ଯାଉନଥିଲେ। ବରଂ ଚାଲାଣ ହେଉଥିଲା ଗଞ୍ଜେଇ। ଖାଲି ସେତିକି ନୁହେଁ ଗାଡ଼ିର ନମ୍ବର ପ୍ଲେଟ୍‌ ବି ନକଲି। ରେଡ୍ ବେଳେ ଏ ଗାଡ଼ିକୁ ଜବତ କରିଛି ପୋଲିସ। ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ମୁରସୁଣ୍ଡି ଗାଁରେ ଘଟିଛି ଏଭଳି ଘଟଣା। 

ସୂଚନା ଅନୁଯାୟୀ, ଲୋଇସିଂହା ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସାଲେଭଟା ରେଲେୱ ଫାଟକ ନିକଟରେ ଛକି ବସିଥିଲା । ଆଉ ଏହି ରାସ୍ତାରେ ଆସୁଥିବା ଏକ ଅର୍ଟିଗା ଗାଡ଼ିକୁ ଅଟକାଇଥିଲା । ହେଲେ ପୋଲିସକୁ ଦେଖି ଗାଡ଼ି ଚାଳକ ଗାଡ଼ିକୁ ଦ୍ରୁତ ବେଗରେ ଚଳାଇ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ଗାଡ଼ିକୁ ପିଛା କରି ଧରିବା ସହ ଚାଳକକୁ ଧରିଥିଲା। ଯାଞ୍ଚବେଳେ ଗାଡ଼ିରୁ ଦୁଇଶହ କୁଇଣ୍ଟାଲ କେଜି ଗଞ୍ଜେଇ ଜବତ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ  ବଲାଙ୍ଗିର ଏସ୍‌ଡିପିଓ ସରୋଜ ଉପାଧ୍ୟୟ ସୂଚନା ଦେଇଛନ୍ତି। 

ଏସଡିପିଓଙ୍କ ସୂଚନା ଅନୁସାରେ ଗାଡ଼ି ଭିତରୁ ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ପୋଲିସ ଜଣକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ଘଣ୍ଟାପଡ଼ାର ଗୁଲେଖ ହରିପାଲ (୨୫)। ଜବତ ଗଞ୍ଜେଇ ବୌଦ୍ଧ ପଟୁ ଆସୁଥିଲା ଓ ବାହାର ରାଜ୍ୟକୁ ଚାଲାଣ ହେଉଥିଲା । ଏହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ । ତେବେ ଜବତ ଗାଡ଼ିରେ ନକଲି ନମ୍ବର ପ୍ଲେଟ ଲାଗିଥିବାବେଳେ ଆଡଭୋକେଟ ଲୋଗେ ଲାଗିଛି। ଯାହାକୁ ନେଇ ଏବେ ଚର୍ଚ୍ଚା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.