ଖଣି ମାଫିଆଙ୍କ ଘରୁ ବାହାରିଲାଣି ଅଢ଼େଇ କୋଟି, ନକଲି Y ଫର୍ମରେ ଆନ୍ଧ୍ରକୁ ହେଉଥିଲା ବାଲି ଚାଲାଣ

NEWS7
police-orders-2thousand-tear-gas-cells-for-delhi-border-know-why

ଭୁବନେଶ୍ୱର ୧୭।୦୧ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଠିକାଦାରଙ୍କ ଘରେ ଇଡି ରେଡ୍ ଘଟଣା। ୨୫ଟି ସ୍ଥାନରେ ଏକାସାଙ୍ଗେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏହି ଚଢାଉରେ ବାଲି ମାଫିଆଙ୍କ ଘରୁ ମିଳିଛି ନଗଦ ଅଢେଇ କୋଟି। ଆଲମିରା ଭର୍ତ୍ତି ଟଙ୍କା ଗଣତି ପରେ ଅଧିକାରୀଙ୍କ ଉଡ଼ିଲା ହୋସ୍। ଏକାଧିକ ବିଳାସପୂର୍ଣ୍ଣ ଗାଡି ସହ ଚୋରା ମଦ କାରବାରର ବି ମିଳିଲା ପ୍ରମାଣ। ସିଣ୍ଡିକେଟର ମାଷ୍ଟରମାଇଣ୍ଡ୍ କୃପାସିନ୍ଧୁ ମୁଦୁଲି। ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ନାଁରେ ଅଛି ସବୁ ଖଣିର କାଗଜପତ୍ର। ଗଞ୍ଜାମରେ ବାଲି ମାଫିଆ ଚଳାଇଥିଲେ ଦେଶୀ ମଦ ଭାଟି। ବାଲିଘାଟ ସହିତ ୨ଟି କ୍ରସର ଉପରେ ରେଡ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ବାହାରର ଲିଙ୍କ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ ହୋଇଛି। ବାଲି ମାଫିଆଙ୍କ କଳାଧନକୁ ନେଇ ଇଡି ଏକ ତାଲିକା ପ୍ରସ୍ତୁତ କରିଛି। ଗଞ୍ଜାମରୁ ଏହାର ମୂଳଦୁଆ ପଡ଼ିଛି। ଆଗକୁ ଚଢାଉ ଆହୁରି ଜୋରଦାର୍ ହେବ। ଅପରାଧୀଙ୍କ ତାଲିକା ବଢିବ।

ଖବର ଅନୁଯାୟୀ, ଶୁକ୍ରବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, କନିଷି, ଶେରଗଡ଼, ଆସିକା ଆଦି ୨୫ରୁ ଅଧିକ ଜାଗାରେ ଇଡି ଚଢ଼ଉ କରିଥିଲା। ଟିକସ ଫାଙ୍କିଥିବା, ନିୟମ ବହିର୍ଭୂତ କାମ କରି ବିପୁଳ ପରିମାଣର ଟଙ୍କା ରଖିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶେରଗଡ଼ର ଜଣାଶୁଣା ବିଜେଡି ନେତା ତଥା କ୍ଲାସ୍-୧ ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର, ବ୍ରହ୍ମପୁର ଜୟପ୍ରକାଶ ନଗରରେ ରହୁଥିବା ତାଙ୍କ ପୁଅ ତଥା କ୍ଲାସ୍-୧ ଠିକାଦାର ସଚିନ ପାଢ଼ୀ, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲି, ବାଲି ବ୍ୟବସାୟୀ ବ୍ରହ୍ମପୁର ଗାନ୍ଧିନଗର ଓ କନିଷିସ୍ଥିତ ସୁନୀଲ କୁମାର ପାତ୍ରଙ୍କ ଘର ଓ ଅଫିସ୍, କନିଷିରେ ଶୁଭାଶିଷ ସାହୁ (ବଣ୍ଟି), ବ୍ରହ୍ମପୁର ବିଜିପୁର କାଳୁଆ ସାହିରେ ବିଶ୍ୱଜିତ ପାତ୍ର(ହକି), ଆସିକା ଖାରିଆ ସରପଞ୍ଚଙ୍କ ସ୍ୱାମୀ ତଥା ବାଲି ଓ ମଦ ବ୍ୟବସାୟୀ ଭଗବାନ ସାହୁ(ଭାଲୁ)ଙ୍କ ସମେତ ଆଉ କିଛି ଜଣ ବ୍ୟବସାୟୀଙ୍କ ଘରେ ଚଢ଼ଉ ହୋଇଥିଲା। ବ୍ରହ୍ମପୁର ଉପକଣ୍ଠ କନିଷି ନିକଟ ଲଉଡ଼ିଗାଁରେ ନିର୍ମାଣାଧୀନ ଆଇଜର୍ କ୍ୟାମ୍ପସ୍ ଆଦି ନିର୍ମାଣ କାର୍ଯ୍ୟରେ ବାଲି, ଗୋଡ଼ି ଏବଂ ଅନ୍ୟ ସାମଗ୍ରୀ ଯୋଗାଣ କରି କୋଟିକୋଟି ଟଙ୍କା ବିଲ୍ କରିଥିବା ବେଳେ ଏପରିକି ଏହି ସବୁ କାମରେ ଏମାନେ ବେଆଇନ ଭାବେ କଳା ଟଙ୍କା ଠୁଳ କରି ରଖିଥିବା ଅଭିଯୋଗ ହୋଇଥିଲା।

ଠିକାଦାର ହୃଷୀକେଶ ପାଢ଼ୀ ଏବଂ ତାଙ୍କ ପୁଅ ସଚିନ ପାଢ଼ୀଙ୍କ ଘରେ ଚଢ଼ଉ ବେଳେ ଆଲମାରୀରେ ଭର୍ତ୍ତି କରି ରଖାଯାଇଥିବା ବିଡ଼ା ବିଡ଼ା ନୋଟ୍ ଜବତ କରାଯାଇଥିଲା। ଟଙ୍କା ଗଣତି ପରେ ଏହା ଅଢ଼େଇ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ସୁନା, ବେନାମୀ ଗାଡ଼ି ଓ ଅନ୍ୟ କାଗଜପତ୍ର ମିଳିଛି। ଅନ୍ୟ ବ୍ୟବସାୟୀଙ୍କ ଘରୁ ମଧ୍ୟ ଟଙ୍କା ଓ ସୁନା ଜବତ କରାଯାଇଛି। ତାକୁ ଗଣିବା କାର୍ଯ୍ୟରେ ଇଡି ଷ୍ଟାଫ୍ ନିୟୋଜିତ ଅଛନ୍ତି। ତେବେ ଏହି ଟଙ୍କା କେଉଁଠୁ ମିଳିଛି ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ଏହାପୂର୍ବରୁ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଏବଂ କିଛି ବିଲ୍ଡଙ୍କ ଘରେ ଇଡି ଚଢ଼ଉ କରିଥିଲା। ଜିଲ୍ଲାରେ ଏତେ ବଡ଼ ଚଢ଼ଉ କେବେ ହୋଇନଥିଲା । ଚଢ଼ଉ ପରେ ଜିଲ୍ଲାରେ ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତାଙ୍କ ଭିତରେ ଛନ୍କା ପଶିଛି।

ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା, ବାହୁଦା ଓ ବଡ଼ ନଦୀ ଶଯ୍ୟାରେ ବ୍ୟାପକ ଅବୈଧ ବାଲି ଖନନ କରାଯାଇଥିବା ଗତ ବର୍ଷ ସିଏଜି ରିପୋର୍ଟରୁ ଜଣାପଡିଥିଲା। ଫଳରେ ସରକାରୀ ରାଜକୋଷକୁ ବିପୁଳ କ୍ଷତି ହୋଇଛି। ଏ ସବୁ ଜଣାପଡିବା ପରେ ରାଜ୍ୟ ସରକାର ଇଡିକୁ ଅବଗତ କରାଇଥିଲେ । ଇଡି ନିଜ ଆଡୁ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା। ସବୁଠାରୁ ବଡ଼ କଥା ହେଲା ବାଲି ଘାଟ ଓ ପଥର ଜଣଙ୍କ ନାଁରେ ଲିଜ୍ ରହୁଥିଲା। ଏମାନେ ଜବରଦସ୍ତ ପାର୍ଟନର ହୋଇ କାମ କରୁଥିଲେ । ଏହି ବେଆଇନ୍ ଖନନର ମାଷ୍ଟର ମାଇଣ୍ଡ ହୃଷିକେଶ ଓ କୃପାସିନ୍ଧୁ ବୋଲି ଇଡି ଜାଣିବାକୁ ପାଇଛି।