ବିମାନ ଦୁର୍ଘଟଣାରେ ପୋଲିସ କମିଶନରଙ୍କ ସୂଚନା, କେହି ବି ଯାତ୍ରୀ ଜୀବିତ ଥିବା ଆଶା କ୍ଷୀଣ

Published By : Prameya-News7 Bureau | June 12, 2025 IST

ଅହମ୍ମଦାବାଦ: ଅହମ୍ମଦାବାଦରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ଆସିଛି ବଡ଼ ଦୁଃଖଦ ଖବର। ସଦ୍ୟତମ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କେହି ବି ଯାତ୍ରୀ ଜୀବିତ ଥିବା ଆଶା କ୍ଷୀଣ। ଅହମ୍ମଦାବାଦର କମିଶନର ସୂଚନା ଦେଇ କହିଛନ୍ତି ଯେ, ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କ ମଧ୍ୟରୁ ଜଣେ ବି ବଞ୍ଚିଥିବା ଆଶା କ୍ଷୀଣ ରହିଛି। ସମସ୍ତଙ୍କ ପ୍ରାଣହାନୀ ଘଟିଥିବା ଆଶଙ୍କା କରାଯାଉଛି।  

ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ଏମିତି ଲାଗୁଛି ବିମାନ ଦୁର୍ଘଟଣାରେ କେହି ଜୀବିତ ନାହାନ୍ତି।  ବିମାନଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ଗଟଣାଗ୍ରସ୍ତ ହୋଇଛି। ଏଥିରେ କିଛି ସ୍ଥାନୀୟ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏୟାର ଇଣ୍ଡିଆ ଅନୁଯାୟୀ, ବିମାନରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିଶ ନାଗରିକ, ଜଣେ କାନାଡ଼ାଇ ନାଗରିକ ଓ ୭ ପର୍ତ୍ତୁଗାଲ ନାଗରିକ ଥିଲେ। 

୧.୩୮ ମିନିଟରେ ଏୟାର ଇଣ୍ଡିଆର ବିମାନ AI171 ଲଣ୍ଡନ ଅଭିମୁଖେ ଯାତ୍ରା ପାଇଁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। ହେଲେ ଏହାର କିଛି ମିନିଟ୍ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦ ବିମାନ ବନ୍ଦର ନିକଟସ୍ଥ ମେଘାନନଗର ଅଞ୍ଚଳରେ ବିମାନ ଖସି ପଡି ଏକ ମେଡିକାଲ୍ କୋଠାରେ ଧକ୍କା ହୋଇଥିଲା। 

ଗୁଜୁରାଟ ସରକାର ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିମାନରେ ଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ନମୁନା ଦେବାକୁ ଅନୁରୋଧ କରିଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି।

ଏହି ବିମାନ ଦୁର୍ଘଟଣାରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅହମ୍ମଦାବାଦର ଅସରୱା ସିଭିଲ୍ ହସ୍ପିଟାଲରେ ପହଞ୍ଚିଛନ୍ତି, ଯେଉଁଠାରେ ବିମାନ ଦୁର୍ଘଟଣାରେ ଆହତମାନଙ୍କୁ ଅଣାଯାଇଛି। ଏଠାରେ ସେ ଆହତ ଲୋକଙ୍କୁ ଭେଟିଛନ୍ତି।

ଏହା ବ୍ୟତୀତ, ପ୍ରାରମ୍ଭିକ ରିଲିଫ୍ କାର୍ଯ୍ୟ ପାଇଁ ସଶସ୍ତ୍ର ବାହିନୀ ସହିତ ଏନଡିଆରଏଫ ଏବଂ ଅନ୍ୟାନ୍ୟ ସଂସ୍ଥା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେନା ଅନୁଯାୟୀ, ସାମରିକ ବାହିନୀର ଏହି ଦଳରେ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ଉଦ୍ଧାର କର୍ମଚାରୀ ନିୟୋଜିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ସହ କଥା ହୋଇ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ବିଷୟରେ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ଅହମ୍ମଦାବାଦର ସମସ୍ତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.