ଶାଶୁ ଓ ପତ୍ନୀଙ୍କ ହତ୍ୟା କରି ପୋତିଦେବା ଘଟଣାରେ ଟ୍ବିଷ୍ଟ, ହତ୍ୟାକାରୀକୁ ସହଯୋଗ କରିଥିଲେ ଆଉ ୩ ଜଣ

Published By : Prameya-News7 Bureau | August 01, 2025 IST

ବାରିପଦା: କୁଳିଅଣା ଥାନା ଅନ୍ତର୍ଗତ ବଡ଼ ନୂଆଗାଁ ଠାରେ ଗତ ୨୯ ତାରିଖରେ ସାମ୍ନାକୁ ଆସିଥିବା ଡବଲ ମର୍ଡର ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ପାରିବାରିକ କଳହକୁ ନେଇ ହତ୍ୟାକାରୀ ଦେବାଶିଷ ପାତ୍ର ନିଜ ସ୍ତ୍ରୀ ଓ ଶାଶୁଙ୍କୁ ପଥର ଓ କୁରାଢ଼ିରେ ଛେଚି ହତ୍ୟା କରିବା ଘଟଣା ଯେତିକି ଚାଞ୍ଚଲ୍ୟକର ଥିଲା ସେତିକି ବର୍ବୋରଚିତ ମଧ୍ୟ। ଘଟଣା ସମସ୍ତଙ୍କୁ ସେତେବେଳେ ଆହୁରି ଆଶ୍ଚର୍ଯ୍ୟ କରିଥିଲା ଯେତେବଳେ ଜଣାପଡ଼ିଥିଲା ଅଭିଯୁକ୍ତ ହତ୍ୟା ପରେ ପତ୍ନୀ ଓ ଶାଶୁଙ୍କ ମୃତଦେହକୁ ମାଟିରେ ପୋତିଦେଇଥିଲା। ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଥିଲା। ତେବେ ତଦନ୍ତକ୍ରମେ ଆଉ ଏକ ବଡ଼ ରହସ୍ୟରୁ ପରଦା ଉଠାଇଛି ପୋଲିସ। 

ପୋଲିସର ସୂଚନା ଅନୁସାରେ ଏହି ହତ୍ୟାରେ ଦେବାଶିଷଙ୍କୁ ସାହାଯ୍ୟ କରିଥିଲେ ଦୁଇ ଯୁବକ। ସେମାନେ ହେଲେ ଟିଟିରି ଗାଁର ଶମ୍ଭୁନାଥ ନାୟକ ଓ ସିପୁନ ପ୍ରଧାନ। ଦେବାଶିଷ ଏମାନଙ୍କୁ ୨୦୦୦ ଟଙ୍କା ଦେଇଥିଲେ। ଆଉ ୧୪ ତାରିଖ ରାତି ୧୨ଟା ପରେ ଘରକୁ ଡକାଇ ସ୍ତ୍ରୀ ଓ ଶାଶୁଙ୍କ ଗୋଡ଼ହାତ ବାନ୍ଧିବାରେ ସାହାଯ୍ୟ କରିଥିଲେ । 

ହତ୍ୟାକାଣ୍ଡ ବିଷୟରେ ସବୁ ଜାଣିଥିବା ଦେବାଶିଷଙ୍କ ମାଆଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଏମାନେ ସମସ୍ତେ ଦେବାଶିଷଙ୍କ ସ୍ତ୍ରୀ ସୋନାଲି ଦଳେଇ ଓ ଶାଶୁ ସୁମତି ଦଳେଇଙ୍କ ହାତ ଗୋଡ଼ ବନ୍ଧିବା ସହିତ ୧୦ ଫୁଟ ଗାତରେ ପୋତିବାରେ ସାହାଯ୍ୟ କରିଥିଲେ। ତେବେ ଏଯାଏଁ ହତ୍ୟାରେ ବ୍ୟବହୃତ କୁରାଢ଼ୀ ଓ ପଥର ଜବତ ହୋଇପାରିନାହିଁ। 

ତେବେ ଦେବାଶିଷ ପାତ୍ରଙ୍କ ସହିତ ଦୁଇ ଯୁବକ ଓ ମାଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ମୃତ ସୋନାଲିଙ୍କ ୧୧ ମାସର ପୁଅକୁ ତାଙ୍କ ଭଉଣୀଙ୍କୁ ହସ୍ତାନ୍ତର କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.