ବଦନାମ ଭାରତ: ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆରେ ସମୁଦ୍ରରେ ଅଳିଆ ଫିଙ୍ଗିଲେ ଭାରତୀୟ ଯୁବକ, ରାଗିଲେ ବିଦେଶୀ ପର୍ଯ୍ୟଟକ

NEWS7
pm-visit-morbi-bridge-talk-to-the-local-people-were-help-in-rescue-operation

ମୁମ୍ବାଇଭାରତରେ କାହିଁକି ଏଭଳି ଅବସ୍ଥା ? ଏଠି ବିଶୁଦ୍ଧ ପାଣି ନାହିଁ କି ସ୍ୱଚ୍ଛ ବାୟୁ ନାହିଁ। ରାସ୍ତାଘାଟ ସବୁ ଅପରିସ୍କାର। ଚାରିଆଡ଼େ ଅବ୍ୟବସ୍ଥା। ଭାରତୀୟ ଲୋକେ ଯେତେବେଳେ ବିଦେଶ ଯାଇ ସେଠାକାର ସ୍ୱଚ୍ଛ ପରିବେଶ ଦେଖୁଛନ୍ତି, ସେତେବେଳେ ସେମାନେ ନିଜ ଦେଶର ଏଭଳି ଅବସ୍ଥା ନେଇ ପ୍ରଶ୍ନ ଉଠାଉଛନ୍ତି। ସୋସିଆଲ୍ ମିଡିଆରେ ଏଭଳି ଅନେକ ୟୁଟ୍ୟୁବରଙ୍କର ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ, ଯେଉଁମାନେ ଦେଶର ଏଭଳି ଅବସ୍ଥା ନେଇ ସରକାରଙ୍କୁ ଦାୟୀ କରୁଥିବେ।

ହେଲେ ଏଥିରେ ଖାଲି ସରକାରଙ୍କୁ ଦାୟୀ କରି ଦେଲେ ଚଳିବନି, ଏଥିରେ ଆମେ ନିଜେ ଦାୟୀ ରହିବା ଦରକାର। ବିଦେଶରୁ ଆସୁଥିବା ଅନେକ ୟୁଟ୍ୟୁବର ଓ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଏନେଇ ଭାରତୀୟଙ୍କ ସିଭିକ୍ ସେନ୍ସ (ନାଗରିକତ୍ୱର ଉତ୍ତରଦାୟିତ୍ୱ) ସିଭିକ୍ ବିହେଭିୟର( ନାଗରିକଙ୍କ ଆଚରଣ)କୁ ଦାୟି କରନ୍ତି। ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତ ବହୁତ ବଦନାମ। ଦୃଶ୍ୟ ଏମିତି ବି ଦେଖିବାକୁ ମିଳିଛି ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଆମ ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ନିଜ ହାତରେ ସଫା କରିଛନ୍ତି। ଏବଂ ଅଳିଆ ଫିଙ୍ଗୁଥିବା ଲୋକଙ୍କୁ ବିରୋଧ କରିଛନ୍ତି।

ନିକଟରେ ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ପାଖରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ପୁଣିଥରେ ଭାରତୀୟଙ୍କ ସିଭିକ୍ ସେନ୍ସ ଉପରେ ପ୍ରଶ୍ନ ଛିଡ଼ା କରିଛି। ଜଣେ ବିଦେଶୀ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଅଳିଆ ଫିଙ୍ଗୁଥିବା ଜଣେ ଭାରତୀୟଙ୍କୁ ବିରୋଧ କରୁଛନ୍ତି। ଆଉ କହୁଛନ୍ତି ମହାଶୟ ଏହା ଠିକ୍ ନୁହେଁ। ପରିବେଶ ପ୍ରତି ଭାରତୀୟଙ୍କ ଉତ୍ତରଦାୟିତ୍ୱ ଦେଖି ସେ ଆଶ୍ଚର୍ଯ୍ୟ ବି ହୋଇଛନ୍ତି। ଆଉ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକେ ଅଳିଆ ଫିଙ୍ଗୁଥିବା ବ୍ୟକ୍ତିକୁ ନାନା ସମାଲୋଚନା କରୁଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ପଲିଥିନ୍ରେ କିଛି ଅଳିଆ ଆଣି ସିଧା ସମୁଦ୍ର ଭିତରେ ଫିଙ୍ଗି ଦେଉଛନ୍ତି। ଆଉ ପାଚେରୀରେ ବସି ନୀଳ ସମୁଦ୍ର ଉପଭୋଗ କରୁଥିବା ବିଦେଶ ପର୍ଯ୍ୟଟକଙ୍କୁ ଏହା ଦେଖି ହତବାକ ହୋଇଯାଇଛନ୍ତି। ଭିଡିଓରେ ପର୍ଯ୍ୟଟକ କହୁଛନ୍ତି “ଏହା କ’ଣ?... ଜଣେ ବ୍ୟକ୍ତି କାର୍ ଓହ୍ଲାଇ ଆସିଲେ। ଏବଂ ସମୁଦ୍ର ଭିତରେ ଅଳିଆ ଫିଙ୍ଗି ଦେଇ ଚାଲିଗଲେ। ଏହା ଭଲ ନୁହେଁ।” ପରିବେଶ ପ୍ରତି ଭାରତୀୟଙ୍କ ଏଭଳି ଆଚରଣ ଦେଖି ଭିଡିଓରେ ବିଦେଶୀ ପର୍ଯ୍ୟଟକ ଦୁଃଖ ପ୍ରକାଶ ବି କରିଛନ୍ତି।

ଡ୍ରଙ୍କ ଜର୍ଣ୍ଣାଲିଷ୍ଟ ନାମକ ଏକ ଏକ୍ସ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓ ଦେଖିବା ପରେ ସୋସିଆଲ୍ ମିଡିଆରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ୟୁଜର ଲେଖିଛନ୍ତି “ ଆମେ ଭାରତୀୟମାନେ କେବେ ଯେ ସିଭିକ୍ ସେନ୍ସ ଶିଖିବା ମୁଁ ଜାଣିପାରୁନି।”

ଅନ୍ୟ ଜଣେ ୟୁଜର ଭାରତୀୟଙ୍କୁ ସିଭିକ୍ ସେନ୍ସ ପଢ଼ାଇବାକୁ ଏକ ପରାମର୍ଶ ଦେଇଛନ୍ତି। । ଯେଉଁଥିରେ ସେ ଲେଖିଛନ୍ତି “ଭାରତରେ କଳା ତାଲିକା କରିବାର ସମୟ ଆସି ଯାଇଛି। ଭାରତୀୟଙ୍କ ପାଖରେ ପଇସା ନଥିଲେ ହିଁ ସେମାନ ଭଲ ବ୍ୟବହାର କରନ୍ତି। ତେଣୁ ଯେଉଁମାନେ ଦେଶରେ ଥାଇ କିମ୍ବା ଦେଶ ବାହାରେ ଖରାପ ବ୍ୟବହାର କରୁଛନ୍ତି ସେମାନଙ୍କୁ କିଛି ମାସ ପାଇଁ କଳାତାଲିକାଭୁକ୍ତ କରାଯାଉ। ମୌଳିକ ସୁବିଧା ଛାଡ଼ି ଦେଲେ ସେମାନଙ୍କୁ ସବୁ ସୁବିଧାରୁ ବଞ୍ଚିତ କରାଯାଉ। ଏହା ଭାରତୀୟ ଲୋକଙ୍କ ମଧ୍ୟରେ ନାଗରିକ ଚେତନା ସୃଷ୍ଟି କରିବା ପାଇଁ ଆଶ୍ଚର୍ଯ୍ୟଜନକଭାବେ କାର୍ଯ୍ୟ କରିବ ଏବଂ ଦେଶସଫା ରହିବ। ତେବେ ଯେଉଁମାନେ ଅନ୍ୟ ଭାରତୀୟଙ୍କ ଏଭଳି ବ୍ୟବହାର ସମ୍ପର୍କରେ ଜଣାଇବେ ସେମାନଙ୍କୁ ପ୍ରୋତ୍ସାହନ ରାଶୀ ମିଳିବା ଦରକାର।”

ଏହିଭଳି ଅନେକ ୟୁଜର ଅନେକ ପରାମର୍ଶ ଦେଇଛନ୍ତି। କିଏ କହିଛନ୍ତି ଫାଇନ ଲଗାଇବାକୁ ତ ଆଉ କିଏ କହିଛନ୍ତି ଏମାନଙ୍କୁ କଡ଼ା ଦଣ୍ଡ ଦରକାର। କିଏ ଜାଣେ କମେଣ୍ଟ ଦେଇଥିବା ୟୁଜରମାନଙ୍କ ମଧ୍ୟରୁ କେହି ଏମିତି କରି ନଥିବେ?

ଭାରତର ସଂସ୍କୃତି, ଭାରତୀୟ ଲୋକଙ୍କ ଆତିଥେୟତା, ଖାଦ୍ୟ, ବସ୍ତ୍ର ଓ ପର୍ବପର୍ବାଣୀ ଏସବୁକୁ ନେଇ ଆମ ଦେଶର ବିଦେଶରେ ଖୁବ୍ ପରିଚିତ। ହେଲେ ଏଭଳି କିଛି ଅସାମାଜିକ, ଦାୟିତ୍ୱହୀନ ଲୋକଙ୍କ ପାଇଁ ଭାରତରେ ସିଭିକ୍ ସେନ୍ସ ବିଦେଶରେ ବଦନାମ। ଏବେ ସମୟ ଆସି ଯାଇଛି। ଦେଶ ବିକଶିତ ଦେଶ ଆଡ଼କୁ ମୁହାଉଛି। ସରକାରଙ୍କ ସହ ଏଥିରେ ସାଧାରଣ ଜନତାଙ୍କୁ ବି ଯୋଗଦାନ ଦେବାକୁ ପଡ଼ିବ। ଆମ ଆଇନ ବ୍ୟବସ୍ଥା ପ୍ରତି, ପରିବେଶ ପ୍ରତି, ଲୋକ ବ୍ୟବହାର ପ୍ରତି ଅନେକ ସୁଧାର ଆଣିବାକୁ ପଡ଼ିବ। ତେବେ ଯାଇ ଦେଶର ବିକାଶ ସମ୍ଭବ। ନା କ'ଣ କହୁଛନ୍ତି ?