ବ୍ରାଜିଲରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ, ଦ୍ଵିପାକ୍ଷିକ ବୈଠକରେ ଯୋଗ ଦେବେ ମୋଦି

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଲୀ୦୬।୦୭: ୫ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଜେଣ୍ଟିନା ଗସ୍ତ ପରେ ବ୍ରାଜିଲରେ ପହଞ୍ଚିଛନ୍ତି ପିଏମ୍‌ ମୋଦି। ଏହା ମୋଦିଙ୍କର ଚତୁର୍ଥ ବ୍ରାଜିଲ ଗସ୍ତ । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା । ଏହା ସହିତ ରିଓ ଡେ ଜାନାରିଓରେ ପାରମ୍ପରିକ ନୃତ୍ୟରେ 'ଅପରେସନ୍‌ ସିନ୍ଦୂର' ଥିମ୍‌ରେ ସ୍ୱାଗତ କରିଥିଲେ ପ୍ରବାସୀ ଭାରତୀୟ । ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ନିମନ୍ତ୍ରଣରେ ବ୍ରାଜିଲ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ରିଓ ଡି ଜେନେରିଓର ଗାଲିଓରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ। ବ୍ରିକ୍ସ ସମ୍ମିଳନୀ ସମୟରେ ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ଏହାପରେ ବ୍ରାଜିଲରୁ ବ୍ରାସିଲିଆ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଲୋକ ସମ୍ପର୍କ ସମେତ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ।

୫ ରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ପ୍ରଥମେ ଘାନା, ତ୍ରିନିଦାଦ ଓ ଟବାଗୋ ଗସ୍ତ ଶେଷ କରି ଶନିବାର ଆର୍ଜେଣ୍ଟିନାରେ ପହଞ୍ଚିଥିଲେ । ଆର୍ଜେଣ୍ଟିନା ରାଜଧାନୀ ବ୍ୟୁନସ୍‌ ଏୟାର୍ସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜାତୀୟ ପତାକା ହାତରେ ଧରି ପ୍ରବାସୀ ଭାରତୀୟମାନେ ସ୍ୱାଗତ କରିଥିଲେ । ସେ ମଧ୍ୟ ପ୍ରବାସୀ ଭାରତୀୟଙ୍କ ସହ ମିଶିଥିଲେ ଓ ଆଲୋଚନା କରିଥିଲେ । ପରେ ସେ ବ୍ୟୁନସ୍‌ ଏୟାର୍ସରେ ଥିବା ସାନ ମାର୍ଟିନ ସ୍ମାରକୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.