ଭୁବନେଶ୍ବର ୦୭/୦୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ତାରିଖ ଘୁଞ୍ଚିଲା । ଜୁନ ୧୨ ନୁହେଁ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀଙ୍କୁ ୧୨ ତାରିଖରେ ଆସିବାକୁ ଅନୁରୋଧ କରିଥିଲୁ ହେଲେ ୨୦ ତାରିଖରେ ଆସିବା ନେଇ ସମୟ ଧାର୍ଯ୍ୟ ହୋଇଛି । ତେବେ ୧୨ ତାରିଖର ମୂଳ କାର୍ଯ୍ୟକ୍ରମ ୨୦ ତାରିଖକୁ ଘୁଞ୍ଚିଛି । ଶେଷ କାର୍ଯ୍ୟକ୍ରମ ୨୦ରେ ଅନୁଷ୍ଠିତ ହେବ । ସ୍ଥାନ ନିରୂପଣ ଚାଲିଛି । ଆଗକୁ ମୁଖ୍ୟମନ୍ତ୍ରୀ ପ୍ରେସ କନଫରେନ୍ସରେ ଏ ସଂପର୍କରେ ବିସ୍ତୁତ ସୂଚନା ଦେବେ । ଏହା ପରେ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ ହେବ । ୧୨ ତାରିଖରୁ ୨୦ ତାରିଖ ଯାଏ ଫାଇନାଲ ସୂଚୀ ଶନିବାର ସଂଧ୍ୟା ସୁଦ୍ଧା ଆସିଯିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।
ଜୁନ ୧୨ରେ ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୂରୁଛି । ଏଥିପାଇଁ ବିଶାଳ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ୍ ଦେଇଥିଲେ ଓଡିଶାର ଜନତା । ନିର୍ବାଚନ ପ୍ରଚାରରେ ଓଡ଼ିଶାର ଲୋକଙ୍କୁ ବିକଶିତ ଓଡ଼ିଶାର ପ୍ରତିଶ୍ରୁତି ଦେଇଥିଲେ ସେ । ବର୍ଷକ ଭିତରେ କେତେ ପ୍ରତିଶ୍ରୁତି ପୂରଣ ହୋଇଛି ଆଉ କେତେ ବାକି ରହିଛି ସେନେଇ ହିସାବ ନିକାଶ ହେବ । ବର୍ଷକ ମଧ୍ୟରେ ୨୧ରୁ ୧୧ଟି ପ୍ରତିଶ୍ରୁତି ପୂରଣ କରିଥିବା ରିପୋର୍ଟ କାର୍ଡ ଜନତାଙ୍କ ଆଗରେ ରଖିବେ ମୋହନ ସରକାର । ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ କିଛି କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହେବାର ସୂଚନା ରହୁଛି । ତେବେ ବର୍ଷକ ମଧ୍ୟରେ ଷଷ୍ଠ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।