LIVE TV

କଲ୍ୟାଣ ସିଂହଙ୍କ ଅନ୍ତିମ ଦର୍ଶନ କଲେ ମୋଦି: କହିଲେ, 'ପ୍ରଭୁ ଶ୍ରୀରାମ ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ'

NEWS7

ନୂଆଦିଲ୍ଲୀ ୨୨/୦୮ : ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌରେ ପହଞ୍ଚି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ନେତାଙ୍କ ମଧ୍ୟରୁ ଜଣେ କଲ୍ୟାଣ ସିଂହଙ୍କୁ ରବିବାର ଦିନ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରବିବାର ଦିନ ମୋଦି ଲକ୍ଷ୍ନୌର ମଲ ଏଭେନ୍ୟୁ ସ୍ଥିତ କଲ୍ୟାଣ ସିଂହଙ୍କ ବାସଭବନରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କର ପାର୍ଥିବ ଶରୀର ରଖାଯାଇଥିଲା। ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପି ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଉପସ୍ଥିତ ଥିଲେ। ମୋଦି କଲ୍ୟାଣ ସିଂହଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି।

ମୋଦି ସାମ୍ବାଦିକଙ୍କୁ କହିଛନ୍ତି ଯେ କଲ୍ୟାଣ ସିଂହ ନିଜ ନାମକୁ ସାର୍ଥକ କରିଛନ୍ତି ଓ ସାରା ଜୀବନ ଲୋକଙ୍କ ପାଇଁ କାମ କରିଛନ୍ତି, ନିଜ ଜୀବନରେ ସେ ଜନକଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି। ସେ ଜନସଧାରଣଙ୍କ ପାଇଁ ପ୍ରେରଣାର ପ୍ରତୀକ। ସେ ଲୋକଙ୍କୁ ଅପିଲ କରିଛନ୍ତି ଯେ ଲୋକେ କଲ୍ୟାଣ ସିଂହଙ୍କ ଆଦର୍ଶ ଓ ସଂକଳ୍ପରୁ ପ୍ରେରିତ ହୋଇ ଅଧିକରୁ ଅଧିକ ଜନକଲ୍ୟାଣ କାମ କରି ତାଙ୍କ ସ୍ବପ୍ନକୁ ପୁରା କରିବାକୁ ଚେଷ୍ଟା କରନ୍ତୁ। ମୋଦି କହିଛନ୍ତି, "ପ୍ରଭୁ ଶ୍ରୀରାମ କଲ୍ୟାଣ ସିଂହଜିଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ।"

{"id":499575,"sizeSlug":"full","linkDestination":"none"}

ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହଙ୍କର ଶନିବାର ଦିନ ସାଢେ ୯ଟା ସମୟରେ ଲକ୍ଷ୍ନୌ ସ୍ଥିତ ଏସଜିପିଜିଆଇରେ ଦେହାନ୍ତ ହୋଇଥିଲା। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ବହୁତ ଦିନ ହେଲା ଅସୁସ୍ଥ ଥିଲେ।