POCSO ଆଇନରେ ‘ରୋମିଓ-ଜୁଲିୟଟ କ୍ଲଜ’ ଯୋଡିବାକୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଜାଣନ୍ତୁ କାହିଁକି?

NEWS7
pm-modi-inaugurates-dynamic-lighting-at-parliament-house-complex

ନୂଆଦିଲ୍ଲୀ ୧୧।୧: ଯୌନ ଶୋଷଣରୁ ପିଲାଙ୍କ ସୁରକ୍ଷା ନିମନ୍ତେ ଥିବା ପକସୋ ଅଧିନିୟମର ଦୁରୁପଯୋଗକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଏହି ଆଇନ ପିଲାଙ୍କ ସୁରକ୍ଷା ନିମନ୍ତେ, ହେଲେ କେତେକ ମାମଲାରେ ଏହାକୁ ବ୍ୟକ୍ତିଗତ ଶତ୍ରୁତା ଓ ପ୍ରତିଶୋଧ ନିମନ୍ତେ ଅସ୍ତ୍ର ରୂପେ ଉପଯୋଗ କରାଯାଉଛି। ଏଣୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ଓ ଆଇନରେ ‘ରୋମିଓ-ଜୁଲିୟଟ କ୍ଲଜ’ ଯୋଡିବାକୁ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା କିଶୋର-କିଶୋରୀଙ୍କ ମଧ୍ୟରେ ସହମତିରେ ହେଉଥିବା ସମ୍ପର୍କକକୁ ଅନାବଶ୍ୟକ ଅପରାଧିକ ମୋକଦ୍ଦମାରୁ ରକ୍ଷା କରାଯାଇ ପାରିବ।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ଏନ.କୋଟିଶ୍ୱର ସିଂହଙ୍କ ପୀଠ କହିଛନ୍ତି ଯେ ସାରା ଦେଶରେ ଏପରି ମାମଲା ସଂଖ୍ୟା ବଢୁଛି ଯେଉଁଥିରେ କିଶୋର-କିଶୋରୀଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ହୋଇଥିବା ସମ୍ପର୍କକୁ କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡୁଛି। ପ୍ରାୟତଃ ପରିବାରର ଅସନ୍ତୋଷ କାରଣରୁ ଝିଅର ବୟସ ୧୮ରୁ କମ କହି ପୁଅ ଉପରେ ପକସୋର ଜଟିଳ ଧାରା ଲଗାଯାଉଛି। ଏଣୁ କୋର୍ଟ ପରାମର୍ଶ ଦେଇଛନ୍ତି ଯେ ବାସ୍ତବିକ କିଶୋର ପ୍ରେମ ସମ୍ପର୍କକୁ ଆଇନର ଜଟିଳତାରୁ ରକ୍ଷା କରିବା ଲାଗି ‘ରୋମିଓ-ଜୁଲିୟଟ କ୍ଲଜ’ ଉପରେ ବିଚାର କରାଯିବା ଉଚିତ ।

ଏହି କ୍ଲଜ ସେହିସବୁ ମାମଲାରେ ଆଶ୍ୱସ୍ତି ପ୍ରଦାନ କରିବ ଯେଉଁଠି ଉଭୟପକ୍ଷ ସହମତିରେ ସମ୍ପର୍କରେ ଅଛନ୍ତି ଓ ସେମାନଙ୍କ ବୟସରେ ମାମୁଲି ଅନ୍ତର ରହିଛି। ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଉତ୍ତରପ୍ରଦେଶର ଏକ ମାମଲାରେ ଆସିଛି। ଆଲାହବାଦ ହାଇକୋର୍ଟ ଜନୈକ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରି ନିର୍ଦ୍ଦେଶ ଦେଇଥିଲେ ଯେ ପକସୋ ମାମଲାର ଯାଞ୍ଚ ଆରମ୍ଭରେ ପୀଡ଼ିତାର ଅନିବାର୍ଯ୍ୟ ମେଡିକାଲ ଏଜ୍ ପରୀକ୍ଷଣ ହେଉ ଓ ସ୍କୁଲ ପ୍ରମାଣପତ୍ର ଉପରେ ସନ୍ଦେହ ହେଲେ କୋର୍ଟ କଠୋର ଆଭିମୁଖ୍ୟ ଅବଲମ୍ବନ କରନ୍ତୁ। ତେବେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି ଓ କହିଛନ୍ତି ଯେ ହାଇକୋର୍ଟ ନିଜ ଅଧିକାର କ୍ଷେତ୍ରରୁ ବାହାରକୁ ଯାଇ ଏହି ଆଦେଶ ଦେଇଛନ୍ତି।

ଶୀର୍ଷ ନ୍ୟାୟାଳୟ କହିଛନ୍ତି ଯେ ଜାମିନ ଆବେଦନର ଶୁଣାଣି ସମୟରେ କୋର୍ଟ ‘ମିନି ଟ୍ରାୟଲ’ ଚଳାଇପାରିବେନି କି ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଏପରି ନିର୍ଦ୍ଦେଶ ଜାରି କରିପାରିବେନି। ବୟସ ନିର୍ଦ୍ଧାରଣ କରିବା ଲାଗି ଜୁଭେନାଇଲ ଜଷ୍ଟିସ୍ ଆକ୍ଟରେ ପୂର୍ବରୁ ପ୍ରକ୍ରିୟା ନିର୍ଦ୍ଧାରିତ ରହିଛି। ଏହି ଅବସରରେ କୋର୍ଟ ଏକ ନିଷ୍ଠୁର ସତ୍ୟତା ଆଡକୁ ମଧ୍ୟ ଇଶାରା କରିଛନ୍ତି। ପୀଠ କହିଛନ୍ତି ଯେ ପକସୋର ଦୂରୁପଯୋଗ ଯୋଗୁ ସମାଜରେ ଏକ ଗଭୀର ଅସମାନତା ସୃଷ୍ଟି ହୋଇଛି। ଗୋଟିଏ ପଟେ ସେପରି ପିଲା ଅଛନ୍ତି ଯେଉଁମାନଙ୍କ ପାଇଁ ସଂରକ୍ଷଣ ଜରୁରି, ହେଲେ ଦାରିଦ୍ର୍ୟତା, ଡର ଓ ସାମାଜିକ କଳଙ୍କ କାରଣରୁ ସେମାନେ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି। ଅନ୍ୟପଟେ ସାଧନ ସମ୍ପନ୍ନ ଲୋକେ ଏହି ଆଇନକୁ ସେମାନଙ୍କ ପ୍ରତିଶୋଧ ଓ ଲାଭ ପାଇଁ ଉପଯୋଗ କରୁଛନ୍ତି।

ଏଣୁ କୋର୍ଟ ଓକିଲମାନଙ୍କୁ ‘ଫିଲ୍ଟର’ ଭୂମିକା ନିର୍ବାହ କରିବା ପାଇଁ ପରାମର୍ଶ ଦେଇଛନ୍ତି ଓ କହିଛନ୍ତି କିଛି ନବୁଝି ନ ବିଚାରି ଏପରି ମାମଲା ଦାଖଲ ନ କରନ୍ତୁ ଯାହା ପ୍ରତିଶୋଧ ଭାବନାରେ ପ୍ରେରିତ। ଏଣୁ ସୁ୍ପ୍ରିମକୋର୍ଟ ଯେଉଁ କ୍ଲଜର ପରାମର୍ଶ ଦେଇଛନ୍ତି ତାହା ଅନେକ ପାଶ୍ଚାତ୍ୟ ଦେଶମାନଙ୍କରେ ଲାଗୁ ହୋଇଛି। ରୋମିଓ-ଜୁଲିୟଟ କ୍ଲଜରେ ଯଦି କିଶୋର ଓ କିଶୋରୀଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ସମ୍ପର୍କ ରହିଛି ଏବଂ ସେମାନଙ୍କ ବୟସର ଅନ୍ତର ବହୁତ କମ (୨ରୁ ୪ ବର୍ଷ) ତେବେ ଏହାକୁ ଗୁରୁତର ଯୌନ ଅପରାଧ ଶ୍ରେଣୀରୁ ବାହାରେ ରଖାଯାଉଛି।

ଏହାର ଉଦ୍ଦେଶ୍ୟ ଯୁବବର୍ଗଙ୍କୁ ସେମାନଙ୍କ ବୟସର ସ୍ୱଭାବିକ ଆକର୍ଷଣ ଅଥବା ଭୁଲ ପାଇଁ ସାରା ଜୀବନ ଅପରାଧୀ ଘୋଷିତ ହେବାରୁ ବଞ୍ଚାଇବା। ସୁପ୍ରିମକୋର୍ଟ ତାଙ୍କ ରାୟର ନକଲ କେନ୍ଦ୍ରୀୟ ଆଇନ ସଚିବଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ସରକାର ଏହା ଉପରେ ଗୁରୁତର ସହ ବିଚାର କରିପାରିବେ।