ରାଜ୍ୟସଭା ପ୍ରାର୍ଥୀ ହେଲେ ନୀତୀଶ କୁମାର, ଜାଣନ୍ତୁ କ’ଣ କହୁଛନ୍ତି ବିରୋଧୀ?

NEWS7
pm-modi-congratulates-anthony-albanese-on-re-election-as-australian-

ନୂଆଦିଲ୍ଲୀ ୫।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଏ ନେଇ ପୂର୍ବାହ୍ନରେ ସେ ପୁଷ୍ଟି କରିଥିଲେ। ନୀତୀଶଙ୍କ ଏହି ଘୋଷଣା ଏବେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। କାରଣ ୨୦୨୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ନୀତୀଶ ୧୦ମବାର ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଶପଥପାଠ କରିଛନ୍ତି। ମିଡିଆ ପ୍ଲାଟଫର୍ମରେ ଯେଉଁଭଳି ଏହି ଖବର ସାମ୍ନାକୁ ଆସୁଛି ସେଥିରୁ ଏହା ଅଟକଳ ଅଥବା ଗୁଜବ ନୁହେଁ ତାହା ସ୍ପଷ୍ଟ ହୋଇଯାଇଛି। ତେବେ ଏହା ଏକ ରାଜନୈତିକ ଅଧ୍ୟାୟର ଅନ୍ତକୁ ଦର୍ଶାଉଥିବାର ଏବେ କୁହାଯାଉଛି।

ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାଂସଦ ମନୋଜ କୁମାର ଝା ଏକ ଅଜବ ତୁଳନା କରିଛନ୍ତି। ସେ କହିଛନ୍ତି ଏହି ସ୍ଥିତି ‘ମାଡୁରୋ ମଡେଲର ଦେଶୀ ସଂସ୍କରଣ’ ନଚେତ ‘ସହମତିରେ ଅପହରଣ’ ଭଳି ମାମଲା। ଝା ଡିସେମ୍ବର ୨୦୨୫ରେ ଭେନେଜୁଏଲାରେ ହୋଇଥିବା ଆମେରିକା ଆକ୍ରମଣର ଉଲ୍ଲେଖ କରିଛନ୍ତି। ଏଥିରେ ରାଷ୍ଟ୍ରପତି ମାଡୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରାଯାଇଥିଲା। ଝା କହିଛନ୍ତି ଦେଶୀ ରୂପରେ ବି ଏପରି ମଡେଲକୁ ସହମତିରେ ଗୋଲାମୀ ରୂପେ ଦେଖା ଯାଇପାରେ। ଏଥିରେ ସହମତି ବାସ୍ତବରେ ବ୍ୟକ୍ତି ଦ୍ୱାରା ନୁହେଁ ବରଂ ତାଙ୍କ ଆଖପାଖର ଲୋକଙ୍କ ଦ୍ୱାରା ଦିଆଯାଏ।

ଏଥିରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ମୁଁ ଜାଣିଥିଲି ‘ନୀତୀଶଙ୍କୁ ବର କରି ଘୋଡ଼ାରେ ଚଢା ଯାଇଛି ସତ, ହେଲେ ମୁକୁଟ ଆଉ କାହା ମୁଣ୍ଡରେ ବନ୍ଧା ଯାଇଛି’। ତେଜସ୍ୱୀ କହିଛନ୍ତି ମୁଁ କହିଥିଲି ନା ‘ବିଜେପି ନୀତୀଶଙ୍କୁ ହାଇଜ୍ୟାକ କରି ନେଇଛି’, ଆଜି ତାହା ସତ ହେଲା। ସେହିପରି ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ ଏହାକୁ ‘ଏକ ବଡ଼ ରାଜନୈତିକ ଅପହରଣ’ ବୋଲି କହିଛନ୍ତି। ଏଥିରୁ ସହଯୋଗୀଙ୍କ ପ୍ରତି ବିଜେପିର ଭାବନା କ’ଣ ତାହା ଏବେ ସ୍ପଷ୍ଟ ବୁଝି ହେଉଛି। ତିୱାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବିହାର ରାଜନୀତିରେ ଅଚାନକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କେହି ଭାବିନଥିଲେ ବିଜେପି ଏତେଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କୁ ଏପରି ଭାବେ ହଟାଇ ଦେବ।

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ ଏହା ଏକ ‘ଲିଡରସିପ କପ’ ଓ ଏହା ଜନାଦେଶ ବିରୋଧୀ । ଏ ନେଇ ରମେଶ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ‘ କଂଗ୍ରେସ ବିହାର ନିର୍ବାଚନ ପ୍ରଚାର କାଳରେ ଯେଉଁ କଥା କହିଥିଲା ସେ କଥା ଏବେ ସତ ହୋଇଛି’। ସେ କହିଛନ୍ତି ଯେ ଦେଖିବାକୁ ଗଲେ ଏହା ଜନତାଙ୍କ ଜନାଦେଶର ଘୋର ଉଲ୍ଲଂଘନ। ତେବେ ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଠୁଳ ହୋଇଥିବା ଜେଡି(ୟୁ) ନେତାମାନେ ଏହାକୁ ବିଶ୍ୱାସ କରି ପାରୁନାହାନ୍ତି। ଏଥିରେ ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ହୁଏତ ନୀତୀଶଙ୍କ ଆକାଉଣ୍ଟ କେହି ହ୍ୟାକ୍ କରି ନେଇଛି।

କେନ୍ଦ୍ରମନ୍ତ୍ରୀ ତଥା ଜେଡି(ୟୁ) ସାଂସଦ ଲଲ୍ଲନ ସିଂହ ନୀତୀଶଙ୍କ ଉପଲବ୍ଧିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ନୀତୀଶ ବିହାର ପାଇଁ ଯାହା କରିଛନ୍ତି ତାର କେହି ପରିକଳ୍ପନା ମଧ୍ୟ କରିପାରିବେ ନାହିଁ। ସେ ଆଗକୁ କଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ। ସିଂହ କହିଛନ୍ତି ଯେ ନୀତୀଶ କୁମାର ଏ କଥାର ନିଷ୍ପତ୍ତି ନେବେ, କାରଣ ସେ ବିହାରର ନବ ନିର୍ମାଣ କରିଛନ୍ତି। ସେ ଯାହା କରିବାକୁ ଚାହିଁବେ କରିବେ, ଯେଉଁଠାକୁ ଯିବାକୁ ଚାହିଁବେ ଯିବେ।

ଏହା ପୂର୍ବରୁ ନୀତୀଶ କୁମାର ଏକ୍ସ ରେ ଏକ ପୋଷ୍ଟ କରି ବିହାର ଜନତାଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ‘ରାଜ୍ୟ ପ୍ରତି ତାଙ୍କ ସଂକଳ୍ପରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସେ ଲେଖିଛନ୍ତି ଏଥର ହେଉଥିବା ରାଜ୍ୟସଭା ନିର୍ବାଚନରେ ମୁଁ ରାଜ୍ୟସଭା ସଦସ୍ୟ ହେବାକୁ ଚାହୁଁଛି। ଆପଣଙ୍କ ସହିତ ମୋର ସମ୍ପର୍କ ଓ ବିକଶିତ ବିହାର ନିର୍ମାଣ ନିମନ୍ତେ ମିଶିକି କାମ କରିବା ଲାଗି ମୋ ସଂକଳ୍ପ ଅଟଳ। ହେବାକୁ ଯାଉଥିବା ନୂଆ ସରକାରକୁ ମୋର ସହଯୋଗ ଓ ମାର୍ଗଦର୍ଶନ ମିଳିବ’।