ମାନବିକତା ଉପରେ ଆକ୍ରମଣ ଥିଲା ପହଲଗାମ ଆଟାକ୍, ଦଙ୍ଗା ସୃଷ୍ଟି କରିବା ଥିଲା ଉଦ୍ଦେଶ୍ୟ: ପିଏମ୍ ମୋଦୀ

Published By : Prameya-News7 Bureau | June 06, 2025 IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚେନାବ ନଦୀ ଉପରେ ଦୁନିଆ ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ସମେତ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ସେ ପାକିସ୍ତାନକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । କଟରାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପହଲଗାମ ଆତଙ୍କୀ ଆକ୍ରମଣ କାଶ୍ମୀରବାସୀଙ୍କ ଆୟ ରୋକିବା ପାଇଁ ପାକିସ୍ତାନ ଦ୍ୱାରା ଷଡ଼ଯନ୍ତ୍ର କରାଯାଇଥିଲା, କିନ୍ତୁ ଭାରତ ଆତଙ୍କବାଦ ଆଗରେ ନଇଁବ ନାହିଁ । ଜମ୍ମୁ କାଶ୍ମୀରର ଯୁବ ପିଢି ଏହି ଲଢେଇରେ ଏକଜୁଟ୍ ଅଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପହଲଗାମ ଘଟଣା ମାନବିକତା ଓ କଶ୍ମୀରିୟତ ଉପରେ ଆକ୍ରମଣ ଥିଲା, ଯାହାର ଉଦ୍ଦେଶ୍ୟ ଦଙ୍ଗା ସୃଷ୍ଟି କରିବା ଥିଲା ।

ଏପ୍ରିଲ୍ ୨୨ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ । କଟରାରେ ପିଏମ ମୋଦୀ କହିଛନ୍ତି, 'ପାକିସ୍ତାନ ମାନବିକତା, ପର୍ଯ୍ୟଟନ, କାଶ୍ମୀରବାସୀଙ୍କ ରୋଜଗାର ବିରୋଧରେ ଅଛି । ଏଥିପାଇଁ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କଲା ।' ପିଏମ୍ କହିଛନ୍ତି, 'ମାଆ ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରୁ ଆଜି ବାଦି-ଏ-କଶ୍ମୀର, ଭାରତର ରେଳ ନେଟୱାର୍କରେ ଯୋଡ଼ି ହୋଇଛି । ଚେନାବ ବ୍ରିଜ୍, ଦୁନିଆର ସବୁଠୁ ଉଚ୍ଚ ରେଲୱେ ଆର୍ଚ ବ୍ରିଜ ଅଟେ । ଏହି ବ୍ରିଜ୍ ଏଫିଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ । ଏବେ ଲୋକେ ବ୍ରିଜ ଜରିଆରେ କେବଳ କାଶ୍ମୀରକୁ ଦେଖିବାକୁ ଆସିବେ ନାହିଁ, ବରଂ ଏହି ବ୍ରିଜ୍ ଏକ ଆକର୍ଷିତ ପର୍ଯ୍ୟଟନ କେନ୍ଦ୍ର ହେବ । ଏହା ଆମ ସରକାରଙ୍କ ସୌଭାଗ୍ୟ ଯେ ଏହି ପ୍ରୋଜେକ୍ଟ ଆମ କାର୍ଯ୍ୟକାଳ ସମୟରେ ଗତିଶୀଳ ହୋଇଥିଲା ଓ ଆମେ ଏହାକୁ ପୂରା କରି ଦେଖାଇଲୁ । ରାସ୍ତାରେ ଆସିଥିବା ସବୁ ଆହ୍ୱାନ, ପାଣିପାଗ ଜନିତ ସମସ୍ୟା, ପାହାଡ଼ରୁ ପଡ଼ୁଥିବା ପଥର...ଏହି ପ୍ରୋଜେକ୍ଟ ଶେଷ କରିବା ପାଇଁ ଆହ୍ୱାନପୂର୍ଣ୍ଣ ଥିଲା । କିନ୍ତୁ ଆମ ସରକାର ଚ୍ୟାଲେଞ୍ଜକୁ ହିଁ ଚ୍ୟାଲେଞ୍ଜ ଦେବାର ରାସ୍ତା ବାଛିଥିଲା ।'

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲାଇନ୍ ପରିଯୋଜନା, ଏହା କେବଳ ନାଁ ନୁହେଁ, ଏହା ଜମ୍ମୁ କାଶ୍ମୀର ନୂଆ ସାମର୍ଥ୍ୟର ପରିଚୟ ଅଟେ । ଭାରତର ନୂଆ ସାମର୍ଥ୍ୟର ଜୟଘୋଷ । ୪୬୦୦୦ କୋଟି ଟଙ୍କାର ଏହି ପରିଯୋଜନା ଜମ୍ମୁ କାଶ୍ମୀରର ବିକାଶକୁ ନୂଆ ଗତି ପ୍ରଦାନ କରିବ । ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଓ ଭାରତର ଇଚ୍ଛାଶକ୍ତିର ଏକ ବିରାଟ ଉତ୍ସବ । 

କାର୍ଯ୍ୟକ୍ରମରେ ସେ କହିଛନ୍ତି, ସରକାର ପାକିସ୍ତାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ଘର ମାଲିକଙ୍କୁ ଦୁଇ-ଦୁଇ ଲକ୍ଷ ଓ ଆଶିଂକ କ୍ଷତିଗ୍ରସ୍ତଙ୍କୁ ଏକ-ଏକ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ କାଶ୍ମୀରରେ ବିକାଶର ଯେଉଁ ବାତାବରଣ ସୃଷ୍ଟି ହୋଇଥିଲା, ତାକୁ ପହଲଗାମ ଆକ୍ରମଣ ରୋକିପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.