୨୪ ଜୁଲାଇରେ ହେବ ଭାରତ-ୟୁକେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲଣ୍ଡନ ଯିବେ ପୀୟୁଷ ଗୋୟଲ

Published By : Prameya-News7 Bureau | July 21, 2025 IST

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୨୪ ତାରିଖରେ ଭାରତ ଓ ୟୁକେ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ସୋମବାର ଜଣେ ଅଧିକାରୀଙ୍କ କହିବାନୁସାରେ, ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଲଣ୍ଡନ ଗସ୍ତ କରିବେ। 

ମେ ୬ ତାରିଖରେ ଦୁଇ ଦେଶ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ସମାପ୍ତ ହେବାର ଘୋଷଣା କରିଥିଲେ। ବାଣିଜ୍ୟ ଚୁକ୍ତିନାମାରେ ଚମଡା, ଫୁଟୱେୟାର ଓ ପୋଷାକ ଭଳି ଶ୍ରମ ସମ୍ୱଳିତ ଉତ୍ପାଦର ରପ୍ତାନି ଉପରେ ଟିକସ ହଟାଇବା ଏବଂ ବ୍ରିଟେନରୁ ହ୍ୱିସ୍କି ଏବଂ କାର ଆମଦାନୀ ଶସ୍ତା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯାହା ଦ୍ୱାରା ୨୦୩୦ ସୁଦ୍ଧା ଦୁଇ ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଦ୍ୱିଗୁଣିତ ହୋଇ ୧୨୦ ବିଲିୟନ ଡଲାର ହୋଇ ପାରିବ।

ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଠାରୁ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତ କରିବେ। ଅଧିକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବାଣିଜ୍ୟ ମନ୍ତ୍ରୀ ତାଙ୍କ ସହିତ ରହିବେ।

ମୁକ୍ତ ବାଣିଜ୍ୟ ଚୁକ୍ତିନାମା ( ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ) ସ୍ୱାକ୍ଷରିତ ହେବା ପରେ, ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ରିଟିଶ ସଂସଦ ଏବଂ ଭାରତର କ୍ୟାବିନେଟର ଅନୁମୋଦନ ଆବଶ୍ୟକ ହେବ। ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଏହା କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ଗୋଟିଏ ବର୍ଷ ସମୟ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.