ମୋଦୀ ସବୁ ଜାଣିଥିଲେ କିଛି କହିଲେନି ବୋଲି ଖଡ଼ଗେଙ୍କ ଅଭିଯୋଗ ପରେ ବିଜେପି କହିଲା, ପ୍ରମାଣ ଦିଅ ନହେଲେ କ୍ଷମା ମାଗ

Published By : Prameya-News7 Bureau | May 06, 2025 IST

indiatoday

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ମୋଦୀ ସବୁ ଜାଣିଥିଲେ ହେଲେ କିଛି କହିଲେନି ବୋଲି ଖଡ଼ଗେ ଅଭିଯୋଗ କରିବା ପରେ ଏହାର କଡ଼ା ଜବାବ ଦେଇଛି ବିଜେପି। ବିଜେପି ପ୍ରବକ୍ତା ସିଆର୍ କେଶବନ ଏନେଇ ଖଡ଼ଗେଙ୍କୁ ମଡର୍ଣ୍ଣ ଡେ ମୀର ଜାଫର ବୋଲି କହିଛନ୍ତି। କଂଗ୍ରେସ ମୁଖ୍ୟ ଯେଉଁ ଦାବି କରୁଛନ୍ତି ତା’ର ପ୍ରମାଣ ଦିଅନ୍ତୁ କିମ୍ବା ତାଙ୍କର ଏଭଳି ବୟାନ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସି.ଆର. କେଶବନ କହିଛନ୍ତି। 

ସେ ଆହୁରି କହିଛନ୍ତି "ସେ ଆଧୁନିକ ଯୁଗର ମୀର ଜାଫରଙ୍କ ପରି ବିଶ୍ୱାସଘାତକ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ତାଙ୍କର ବିଷାକ୍ତ, ଭିତ୍ତିହୀନ, ଅମୂଳକ ଆକ୍ଷେପ ଅତ୍ୟନ୍ତ ନିନ୍ଦନୀୟ। ଏହାକୁ କ୍ଷମା କରାଯାଇପାରିବ ନାହିଁ। ସମସ୍ତେ ତାଙ୍କଠାରୁ ନିଃସର୍ତ୍ତ କ୍ଷମା ଦାବି କରିଛନ୍ତି। ଏବଂ କେଉଁ ସୂଚନା ଆଧାରରେ ଖଡ଼ଗେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ସେ ବିଷୟରେ ମଧ୍ୟ ସେ ସ୍ପଷ୍ଟ କରିବା ଉଚିତ।"

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଖଡ଼ଗେ ମଙ୍ଗଳବାର ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ ଓ କାଶ୍ମୀରରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପୂର୍ବରୁ ଇଣ୍ଟେଲିଜେନ୍ ରିପୋର୍ଟ ପାଇଥିଲେ। ଏହାପରେ ସେ ଜାମ୍ମୁ-କାଶ୍ମୀର ଅଞ୍ଚଳକୁ ତାଙ୍କ ଗସ୍ତ ବାତିଲ କରିଥିଲେ। ଏପ୍ରିଲ ୨୨ ତାରିଖରେ ପହଲଗାମ ଆକ୍ରମଣ ହେବାର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଇଣ୍ଟେଲିଜେନ୍ ରିପୋର୍ଟ ପଠାଯାଇଥିଲା ବୋଲି ଖଡ଼ଗେ ଦାବି କରିଛନ୍ତି। ରାଞ୍ଚିରେ ଏକ ରାଲିରେ ଯୋଗ ଦେଇ ଖଡ଼ଗେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ପଢନ୍ତୁ- ୧୦୦ଟି ସ୍ଥାନ ଅତି ସମ୍ବେଦନଶୀଳ ଏରିଆ ଭାବେ ଚିହ୍ନଟ: ଟର୍ଚ୍ଚ, କ୍ୟାଣ୍ଡେଲ୍ ଓ ନଗଦ ଟଙ୍କା ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ୱ

ଖଡ଼ଗେ ଆହୁରି କହିଛନ୍ତି “ସେଠି ଗୁଇନ୍ଦା ବିଫଳ ହୋଇଥିଲା ବୋଲି ସରକାର ମାନିଥିଲେ ଏବଂ ଏହାକୁ ସୁଧାରିବାକୁ ବି ସେ କହିଥିଲେ। ଯଦି ଆପଣଙ୍କୁ ଏହା ଜଣାଇଥିଲା ତେବେ ଆପଣ କାହିଁକି ଭଲ ବ୍ୟବସ୍ଥା କଲେନି? ଏହା ଆମର ପ୍ରଥମ ପ୍ରଶ୍ନ। ମୋତେ ବି ସୂଚନା ମିଳିଥିଲା। କିଛି ପେପରରେ ବି ଖବର ପ୍ରକାଶ ପାଇଛି ଯେ ଆକ୍ରମଣର ୩ ଦିନ ପୂର୍ବରୁ ହିଁ ସେଠାରେ ଗୁଇନ୍ଦା ସୂଚନା ମୋଦୀଙ୍କୁ ପଠାଯାଇଥିଲା। ଏଥିପାଇଁ ମୋଦୀ ଦୀ କାଶ୍ମୀର ଯିବା କାର୍ଯ୍ୟକ୍ରମ ରଦ୍ଦ କରିଥିଲେ ବୋଲି ମୁଁ ପେପରେ ପଢ଼ିଥିଲି। ତେବେ ଗୁଇନ୍ଦା ସୂଚନା ବିଷୟରେ କାହିଁକି ଆପଣ ସୂଚିତ କଲେ ନାହିଁ ଓ କାହିଁକି ଲୋକଙ୍କ ସୁରକ୍ଷା ହେଲାନି? ଏହା ମୁଁ ପଚାରୁଛି।” 

ଏପ୍ରିଲ ୨୪ ତାରିଖରେ ରୁଦ୍ଧଦ୍ୱାର ସର୍ବଦଳୀୟ ବୈଠକରେ ଭାରତ ସରକାର ସୁରକ୍ଷା ତ୍ରୁଟି ଥିବା ସ୍ୱୀକାର କରିଥିଲେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ବିରୋଧୀ ନେତାଙ୍କ ପ୍ରଶ୍ନର ଉତ୍ତରରେ, ସରକାର କହିଥିଲେ ଯେ ଅନନ୍ତନାଗ ଜିଲ୍ଲାର ପହଲଗାମ ନିକଟସ୍ଥ ବୈସାରଣ ଅଞ୍ଚଳ ଖୋଲିବା ପୂର୍ବରୁ ସ୍ଥାନୀୟ କର୍ତ୍ତୃପକ୍ଷ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚିତ କରିନଥିଲେ। ଫଳରେ ଏଭଳି ଘଟିଥିଲା। ସାଧାରଣତଃ ବୈସାରଣ ଜୁନ୍ ମାସରେ ଅମରନାଥ ଯାତ୍ରା ପର୍ଯ୍ୟନ୍ତ ପ୍ରତିବନ୍ଧିତ ରହିଥାଏ।

ପହଲଗାମରେ ହୋଇଥିବା ଘାତକ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପୂର୍ବରୁ, ଗୁଇନ୍ଦା ସଂସ୍ଥାଗୁଡ଼ିକ ଆକ୍ରମଣ ନେଇ ସୂଚିତ କରିଥିଲେ। ବିଶେଷକରି ଶ୍ରୀନଗରର ଉପକଣ୍ଠରେ ଜାବରୱାନ ରେଞ୍ଜର ପାଦଦେଶରେ ଥିବା ହୋଟେଲରେ ରହୁଥିବା ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରିବାର ସମ୍ଭାବନା ଥିବା ସୂଚନା ଦେଇଥିଲେ। ଏନେଇ ସମ୍ପୃକ୍ତ ଅଧିକାରୀ ପିଟିଆଇକୁ ସୂଚନା ଦେଇଥିଲେ। 

ଗତ ମାସର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟରାରୁ ଶ୍ରୀନଗରକୁ ପ୍ରଥମ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସମୟରେ ଆତଙ୍କବାଦୀମାନେ ଏପରି ଆକ୍ରମଣ କରିବାକୁ ଚାହୁଁଥିବା ସୂଚନା ମିଳିଥିଲା। କିନ୍ତୁ ଅଧିକାରୀମାନଙ୍କ କହିବା କଥା ହେଲା ପୂର୍ବରୁ ପ୍ରଧାନମନ୍ତ୍ରୀ ଗସ୍ତ ଏପ୍ରିଲ ୧୯ ତାରିଖରେ ସ୍ଥିର କରାଯାଇଥିଲା। କିନ୍ତୁ କଟରା ଅଞ୍ଚଳରେ ଦ୍ରୁତ ବେଗରେ ପବନ ବହିବା ଓ ଖରାପ ପାଗର ପୂର୍ବାନୁମାନ ଯୋଗୁ ପ୍ରଧାନମନ୍ତ୍ରୀ ଗସ୍ତ ବାତିଲ ହୋଇଥିଲା ବୋଲି ପିଟିଆଇରେ ଖବର ପ୍ରକାଶ ପାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.