ନୂଆଦିଲ୍ଲୀ ୦୭।୦୭: ଜୁନ୍ ୧୨ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଏବେ ବି ଲୋକଙ୍କୁ ଡରାଉଛି । ଦୁର୍ଘଟଣାରେ ବିମାନ ହଷ୍ଟେଲ ଛାତ ଉପରେ ଖସିପଡ଼ିଥିଲା । ଯେଉଁଥିରେ ୨୪୧ ଜଣ ଯାତ୍ରୀଙ୍କ ହୋଇଥିଲା ମୃତ୍ୟୁ । ବିମାନ ଦୁର୍ଘଟଣା ପରେ ଟାଟା ଗ୍ରୁପ୍ ପ୍ରତି ଯାତ୍ରୀଙ୍କ ପାଇଁ ଏକ କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲା। ଏହି ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ବିମାନ ଦୁର୍ଘଟଣା ପରେ ବିମାନ କମ୍ପାନୀକୁ କେତେ ମିଳିଥାଏ କ୍ଷତିପୂରଣ ରାଶି?
ବାସ୍ତବରେ ବିମାନ ଦୁର୍ଘଟଣାରେ ବିମାନ କମ୍ପାନୀଗୁଡ଼ିକ ଅନେକ ପ୍ରକାରର ଇନ୍ସ୍ୟୁରାନ୍ସ କ୍ଲେମ୍ କରନ୍ତି। ଏଥିରେ ବିମାନ ହଲ୍ ବୀମା, ସ୍ପେୟାର ପାର୍ଟସ୍ ବୀମା ଏବଂ ଆଇନଗତ ଦାୟିତ୍ୱ ପାଇଁ ବୀମା କ୍ଲେମ୍ ସାମିଲ ରହିଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ କହିବାକୁ ଗଲେ ବିମାନ କମ୍ପାନୀ ଦ୍ୱାରା କରାଯାଇଥିବା କ୍ଲେମ୍ ବିମାନର କ୍ଷତି ଏବଂ ଯାତ୍ରୀଙ୍କ ମୃତ୍ୟୁକୁ କଭର କରିବ।
ତଥାପି, ଯେତେବେଳେ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ, ବିମାନ କମ୍ପାନୀ ବୀମା କମ୍ପାନୀକୁ ଏୟାରକ୍ରାପ୍ଟର ଡିସକ୍ଲେମାୟାର ଭ୍ୟାଲୁ ବା ଘୋଷିତ ମୂଲ୍ୟ ଜଣାଇବାକୁ ପଡ଼ିଥାଏ । ସେହି ଆଧାରରେ ହିଁ କ୍ଷତି ଆକଳନ କରାଯାଏ। ଜୁନ୍ ୧୨ରେ ଘଟିଥିବା ଦୁର୍ଘଟଣାରେ ବୋଇଂ 787 ଡ୍ରିମଲାଇନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାର ଡିସକ୍ଲେମାୟାର ଭ୍ୟାଲୁ ୨୧୧ ରୁ ୨୮୦ ନିୟୁତ ଡଲାର ମଧ୍ୟରେ ରହିଛି।
ଏହାବ୍ୟତୀତ ଦୁର୍ଘଟଣାରେ ଥାର୍ଡପାର୍ଟିର ହୋଇଥିବା କ୍ଷତିକୁ ମଧ୍ୟ ସାମିଲ କରାଯାଇଛି । ଏୟାର ଇଣ୍ଡିଆ ବିମାନ ଏକ ଆବାସିକ ଅଞ୍ଚଳରେ ପଡ଼ିଥିଲା । ଏଥିରେ ସାଧାରଣ ଲୋକ ଓ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଥାର୍ଡ ପାର୍ଟି ଆଧାରରେ ଏହି କ୍ଷତିକୁ ବୀମା କମ୍ପାନୀ ପୂରଣ କରିବ।
ବିଶେଷଜ୍ଞଙ୍କ ଅନୁଯାୟୀ ସମସ୍ତ ପ୍ରକାରର କ୍ଲେମ୍କୁ ମିଶାଇଲେ ବିମାନ କମ୍ପାନୀଗୁଡ଼ିକୁ ଶହ ଶହ କୋଟି ଟଙ୍କାର ଇନ୍ୟୁସୁରାନ୍ସ କ୍ଲେମ୍ ମିଳିଥାଏ। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ ଇନ୍ୟୁସୁରାନ୍ସ କ୍ଲେମ୍ ପରିମାଣ ୨୧୧ ରୁ ୨୮୦ ନିୟୁତ ଡଲାର ମଧ୍ୟରେ ହୋଇପାରେ । ଯାହା ଭାରତୀୟ ଟଙ୍କାରେ ପ୍ରାୟ ୨୪୦୦ କୋଟି ଟଙ୍କା ହୋଇପାରେ।