ସମାରୋହରେ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବା ଆରମ୍ଭ କଲେ PKK ଯୋଦ୍ଧାମାନେ, କାହିଁକି ଜାଣନ୍ତୁ

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ - ଇରାକୀ କୁର୍ଦିସ୍ତାନର ସୁଲେମାନିଆ ନିକଟରେ ଏକ ଉତ୍ସବରେ, ଶୁକ୍ରବାର ଦିନ କୁର୍ଦିସ୍ତାନ ୱାର୍କର୍ସ ପାର୍ଟି (PKK)ର ଯୋଦ୍ଧାମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ରଖିବା ଆରମ୍ଭ କରିଛନ୍ତି। ଏଏଫପିର ଜଣେ ପ୍ରତିନିଧିଙ୍କ କହିବାନୁସାରେ, ତୁର୍କୀ ବିରୁଦ୍ଧରେ ୪୦ ବର୍ଷର ସଶସ୍ତ୍ର ବିଦ୍ରୋହ ପରେ ଏହି ନିରସ୍ତ୍ରୀକରଣ ଉତ୍ସବ ଅନୁଷ୍ଠିତ ହେଉଛି ଏବଂ ଏଥିରେ ୩୦ ଜଣ ପିକେକେ ଫାଇଟର ବା ଯୋଦ୍ଧା ସାମିଲ ହୋଇଥିଲେ, ଯେଉଁମାନେ ପ୍ରତୀକାତ୍ମକ ଭାବରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ନଷ୍ଟ କରି ଦେଇଥିଲେ। ସାମ୍ୱାଦିକଙ୍କ ଅନୁସାରେ, ତିରିଶ ଜଣ PKK ଯୋଦ୍ଧା, ଯେଉଁମାନଙ୍କ ମଧ୍ୟରୁ ଚାରି ଜଣ କମାଣ୍ଡର ଥିଲେ, ସେମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଜାଳି ଦେଇଛନ୍ତି। 

କାହିଁକି PKK ଭାଙ୍ଗି ଯାଉଛି ?

PKKର ଏକ ବିବୃତ୍ତିରେ ଲେଖାଯାଇଛି ଯେ,  ଶାନ୍ତି ଓ ଗଣତାନ୍ତ୍ରିକ ସମାଜ' ପ୍ରକ୍ରିୟାର ବ୍ୟବହାରିକ ସଫଳତାକୁ ସୁନିଶ୍ଚିତ କରିବା ପାଇଁ, ଆମେ ସଦ୍ଭାବନା ଏବଂ ଦୃଢ଼ତା ସ୍ୱରୂପ, ସ୍ୱେଚ୍ଛାକୃତ ଭାବେ ଆମର ଅସ୍ତ୍ରଶସ୍ତ୍ର ନଷ୍ଟ କରୁଛୁ, ଆମେ କାମନା କରୁଛୁ ଯେ, ଏହି ପଦକ୍ଷେପ ଶାନ୍ତି ଏବଂ ସ୍ୱାଧୀନତା ଆଣିବ। ୧୯୯୯ ମସିହାରୁ ଇସ୍ତାନବୁଲ ନିକଟରେ ଜେଲରେ ଥିବା ନେତା ଅବଦୁଲ୍ଲା ଓକାଲାନ, ଫେବୃଆରୀରେ ଏକ କଂଗ୍ରେସ ଡାକି ଆନୁଷ୍ଠାନିକ ଭାବରେ ଭାଙ୍ଗିବା ଏବଂ ନିରସ୍ତ୍ରୀକରଣ କରିବାକୁ ତାଙ୍କ ଗୋଷ୍ଠୀକୁ ଅନୁରୋଧ କରିଥିଲେ। ଏହା ପରେ ପିକେକେ ମେ’ ମାସରେ ଘୋଷଣା କରିଥିଲା ଯେ, ଏହା ସଶସ୍ତ୍ର ସଂଘର୍ଷକୁ ଭାଙ୍ଗିବ ଏବଂ ଅସ୍ତ୍ରଶସ୍ତ୍ରକୁ ପରିତ୍ୟାଗ କରିବ।

ଓକାଲାନ କହିଥିଲେ , "ମୁଁ ଅସ୍ତ୍ରଶସ୍ତ୍ର ନୁହେଁ, ରାଜନୀତି ଏବଂ ସାମାଜିକ ଶାନ୍ତିର ଶକ୍ତିରେ ବିଶ୍ୱାସ କରେ। ମୁଁ ଆପଣଙ୍କୁ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରୁଛି," ଓକାଲାନ ଆହୁରି ମଧ୍ୟ କହିଥିଲେ, ନିରସ୍ତ୍ରୀକରଣ ପ୍ରକ୍ରିୟା ଶୀଘ୍ର କାର୍ଯ୍ୟକାରୀ କରାଯିବ। ଓକାଲାନ ତୁର୍କୀର ସଂସଦକୁ ନିରସ୍ତ୍ରୀକରଣ ତଦାରଖ ଏବଂ ଶାନ୍ତି ପ୍ରକ୍ରିୟା ପରିଚାଳନା ପାଇଁ ଏକ କମିଶନ ଗଠନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। କୁର୍ଦ୍ଦ ବହୁଳ ଅଞ୍ଚଳ ଗୁଡ଼ିକରେ କୁର୍ଦ୍ଦିସ୍ ଦାବିକୁ ସମାଧାନ କରିବା ପାଇଁ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ସରକାରକୁ ଦାବି କରାଯାଇଛି। 

ପିକେକେ କଣ ? 

ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବା ପରେ ପଶ୍ଚିମ ମିତ୍ରମାନେ ସୀମା ପୁନଃନିର୍ମାଣ କରିବା ସମୟରେ ,କୁର୍ଦ୍ଦମାନେ ଅତି କମରେ ୩୦ ନିୟୁତ ଲୋକଙ୍କର ଏକ ଜାତିଗତ ଗୋଷ୍ଠୀ, ଯେଉଁମାନେ ତୁର୍କୀ, ଇରାକ, ସିରିଆ ଏବଂ ଇରାନ ମଧ୍ୟରେ ବିଭକ୍ତ ହୋଇଥିଲେ। ପିକେକେ ୧୯୭୮ ମସିହାରେ ଏକ ସ୍ୱାଧୀନ କୁର୍ଦ୍ଦିସ୍ ରାଜ୍ୟ ହାସଲ କରିବା ଲକ୍ଷ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା। ହେଲେ, ୧୯୯୦ ଦଶକରେ ସେମାନେ କେବଳ ତୁର୍କୀ ମଧ୍ୟରେ କେବଳ ସ୍ୱାଧିକାର ଖୋଜି ନିଜର ପଥ ପରିବର୍ତ୍ତନ କରିଥିଲେ। ଦୀର୍ଘ ଦଶନ୍ଧି ଧରି ତୁର୍କୀ ସୁରକ୍ଷା ବାହିନୀ ସହିତ ସଶସ୍ତ୍ର ସଂଘର୍ଷ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଯୋଗୁଁ ଏହି ଗୋଷ୍ଠୀକୁ ଆଙ୍କାରା, ଆମେରିକା ଏବଂ ୟୁରୋପୀୟ ସଂଘ ଦ୍ୱାରା ଏକ ଆତଙ୍କବାଦୀ ସଂଗଠନ ଭାବରେ ଆଖ୍ୟା ଦିଆ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.