ରାଜସ୍ଥାନରେ କଣ୍ଟେନର-ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା; ୧୦ ମୃତ, ୨୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | August 13, 2025 IST

ନୂଆଦିଲ୍ଲୀ ୧୩।୦୮; ରାଜସ୍ଥାନର ଦୌସାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ବାଟରେ ଜଗିଥିଲା ମୃତ୍ୟୁ । ପିକ୍‌ ଅପ୍ ଭ୍ୟାନ୍‌ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୭ ଶିଶୁଙ୍କ ସମେତ ୩ଜଣ ମହିଳା ଥିବା ଜଣାପଡିଛି। ୨୦ରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମନ୍ଦିର ଦର୍ଶନ କରି ଶ୍ରଦ୍ଧାଳୁମାନେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପିକଅପ୍ ଭ୍ୟାନଟି ଖଣ୍ଡ ବିଖଣ୍ଡିତ ହୋଇଗଲା। ହଠାତ୍‌ ଲୋକଙ୍କ ଚିତ୍କାର ଶବ୍ଦ ଶୁଣିବାକୁ ମିଳିଥିଲା। ବିଳମ୍ବ ନକରି ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ଏହା ପରେ, ଏକ ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଭ୍ୟାନଟି ଏକ ପାର୍କିଂ ହୋଇଥିବା ଟ୍ରକ୍ ସହିତ ଧକ୍କା ହୋଇଥିଲା। ଘଟଣାର ତଦନ୍ତ ଚାଲିଛି, ଯାହା ପରେ ଅଧିକ ସୂଚନା ପ୍ରକାଶ ପାଇବ।

ପୋଲିସ ଅଧୀକ୍ଷକ ଦୁର୍ଘଟଣା ବିଷୟରେ ପ୍ରକାଶ କରିଛନ୍ତି, " ମନ୍ଦିରରୁ ଆସୁଥିବା ଭକ୍ତମାନେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ଅନେକ ଲୋକ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ଦୌସା ଜିଲ୍ଲାପାଳ ଦେବେନ୍ଦ୍ର କୁମାର କହିଛନ୍ତି, ''ପ୍ରାଥମିକ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ୯ ଜଣଙ୍କୁ ଚିକିତ୍ସା ପାଇଁ ଜୟପୁର ସ୍ଥାନାନ୍ତରଣ କରାଯାଇଛି। ଅନ୍ୟ ୩ ଜଣ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପିକ୍‌ ଅପ୍‌ ଭ୍ୟାନ୍ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟିଛି ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.