ନୂଆଦିଲ୍ଲୀ: ଦେଶରେ କମିପାରେ ପେଟ୍ରୋଲ- ଡିଜେଲ ଦାମ୍। ଗୁରୁବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏହା ସହ ଦାମ୍ କମିବାର କାରଣ ମଧ୍ୟ କହିଛନ୍ତି ମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି ଅଶୋଧିତ ତେଲ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ୬୫ ଡଲାର ପ୍ରତି ବ୍ୟାରେଲ ରହେ, ତେବେ ଆଶା କରାଯାଇପାରେ ଯେ, ଆଗାମୀ ୨- ୩ ମାସରେ ପେଟ୍ରୋଲ- ଡିଜେଲ ଦାମ୍ କମ୍ ହୋଇପାରେ। ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି, ଏହା ସ୍ଥିର ସ୍ଥିତି ଉପରେ ନିର୍ଭର କରିଥାଏ। କାରଣ ଯଦି ଇରାନ- ଇସ୍ରାଏଲ ତିକ୍ତତା ଭଳି କୌଣସି ବଡ଼ ଭୂ-ରାଜନୈତିକ ଘଟଣା ଘଟେ ତେବେ ସ୍ଥିତି ପୁଣି ବଦଳିପାରେ।
ସୂଚନାଥାଉକି, ନିକଟରେ ତେଲ ଦାମ୍ ୬୫ ଡଲାର ପ୍ରତି ବ୍ୟାରେଲକୁ ଖସିଛି। ଏହା ଯୋଗୁ ତୈଳ କମ୍ପାନିଙ୍କ ଲାଭ ବଢ଼ୁଛି। ଏମିତିରେ ସରକାର ପେଟ୍ରୋଲ- ଡିଜେଲର ଦାମ୍ କମାଇ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି। ରେଟିଂ ଏଜେନ୍ସୀ ଅନୁସାରେ ବର୍ତ୍ତମାନ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ଲିଟର ୧୨- ୧୫ ଟଙ୍କା ଏବଂ ଡିଜେଲ ଲିଟର ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି। ହେଲେ ଏହା ସତ୍ତ୍ବେବି କମ୍ପାନିମାନେ ବିଗତ ଏକ ବର୍ଷରୁ ପେଟ୍ରୋଲ- ଡିଜେଲର ଦାମ୍ରେ କୌଣସି ଛାଡ଼ କରିନାହାଁନ୍ତି।
ପୂର୍ବରୁ ସରକାର ଏପ୍ରିଲରେ ଲିଟର ପିଛା ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବଢ଼ାଇଥିଲେ। ଏହାର ଆଢ଼ୁଆଳରେ କମ୍ପାନି ଦାମ କମାଇବାରୁ ବର୍ତ୍ତିଯାଇଥିଲେ। ଖାଲି ସେତିକି ନୁହେଁ କମ୍ପାନିମାନେ ଦୀର୍ଘ ସମୟରୁ କ୍ଷତିର ଦ୍ବାହି ଦେଇ ଦାମ୍ କମାଉନାହାଁନ୍ତି।
ଉଲ୍ଲେଖଯୋଗ୍ୟ, ଦେଶରେ ବାର୍ଷିକ ୪,୭୫୦ କୋଟି ଲିଟର ପେଟ୍ରୋଲ ବ୍ୟବହାର ହେଉଛି। ଅର୍ଥାତ୍ ପ୍ରତି ବ୍ୟକ୍ତି ପିଛା ୩୩.୭ ଲିଟର। ସେହିଭଳି ଡିଜେଲର ବାର୍ଷିକ ବ୍ୟବହାର ୧୦,୭୦୦ କୋଟି ଲିଟର ଅର୍ଥାତ୍ ପ୍ରତି ବ୍ୟକ୍ତି ପିଛା ୭୫.୮୮ ଲିଟର। ଏହାର ଅର୍ଥ ହେଉଛି ପ୍ରତି ବ୍ୟକ୍ତି ପିଛା ପେଟ୍ରୋଲ-ଡିଜେଲର ବାର୍ଷିକ ବ୍ୟବହାର ୧୦୯.୬ ଲିଟର ଅର୍ଥାତ୍ ପ୍ରତି ମାସରେ ୯.୧୩ ଲିଟର। ଆଉ ଏହି ବ୍ୟବହାର ବାର୍ଷିକ ୧୦.୬% ହାରରେ ବୃଦ୍ଧି ପାଉଛି।