ଶିଶୁଙ୍କ ବ୍ରେନ୍ ଓ୍ୱାସ୍ କରୁଛି ପାକିସ୍ତାନ, ଭାରତ ବିରୋଧରେ ଗୁଇନ୍ଦାଗିରି ପାଇଁ ଦିଆଯାଉଛି ଟ୍ରେନିଂ

NEWS7
paytm-may-lay-off-employees

ଶ୍ରୀନଗର, ୦୭/୦୧: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ପ୍ଲାନ୍ । ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ନୂଆ ନୂଆ ଷଡଯନ୍ତ୍ର କରୁଛି ଶତ୍ରୁଦେଶ । ଭାରତରେ ନିଜ ସ୍ଲିପର୍ ସେଲଙ୍କୁ ଆକ୍ଟିଭ୍ କରିଛି । ହ୍ୱାଇଟ୍ କୋଲାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଏହାରି ବିତରେ ସାମନାକୁ ଆସିଛି ଭୟଙ୍କର କଥା । ଏବେ ଛୋଟ ଶିଶୁଙ୍କୁ ଜିହାଦର ଟ୍ରେନିଂ ଦେଉଛନ୍ତି ଆଇଏସଆଇ ଓ ଅନେକ ଆତଙ୍କବାଦୀ ସଙ୍ଗଠନ ।

ରିପୋର୍ଟ ଅନୁସାରେ, ପାକିସ୍ତାନ ଗୁଇନ୍ଦା ସଂସ୍ଥା କମ୍ ବୟସର ଶିଶୁଙ୍କୁ ଭାରତ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛି । ସେମାନଙ୍କୁ ବ୍ରେନ୍ ଓ୍ୱାସ୍ କରାଯାଇ ଭାରତ ନାଁରେ ଅନେକ ମିଛ କୁହାଯାଉଛି । ଜଣେ କି ଦୁଇ ଜଣ ନୁହେଁ ବରଂ ୩୭ ଶିଶୁଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି । ଏମାନଙ୍କ ମଧ୍ୟରୁ କାଶ୍ମୀରର ୨୫ ଜଣ ଥିବା ବେଳେ ପଞ୍ଜାବର ୧୨ ଜଣ ରହିଛନ୍ତି । ସମସ୍ତ ଶିଶୁଙ୍କ ବୟସ ୧୨ରୁ ୧୭ ବର୍ଷ ବୟସ ମଧ୍ୟରେ ହେବ ।

ନିକଟରେ ସେନା ଏବଂ ଏନଆଇଏ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ଚଢଉ କରିଥିଲେ । ଚଢଉ ବେଳେ ୧୫ ବର୍ଷର ଜଣେ ନାବାଳକକୁ ଗିରଫ କରାଯାଇଥିଲା । ତାକୁ ପଚରାଉଚରା ବେଳେ ସେ ପାକିସ୍ତାନୀ ଆଇଏସଆଇ ଲିଙ୍କରେ ଥିବା ମାନି ଯାଇଥିଲା । ଏହାଦ୍ୱାରା କିପରି ଭାବେ ଭାରତୀୟ ଶିଶୁଙ୍କୁ ଦେଶ ବିରୋଧରେ ତିଆରି କରାଯାଉଛି ତାହାର ପର୍ଦ୍ଦାଫାସ ହୋଇଛି ।

ଶିଶୁକୁ ଗିରଫ କରିବା ପରେ ସୁରକ୍ଷାକର୍ମୀ ତା ଫୋନକୁ ଯାଞ୍ଚ୍ କରିଥିଲେ । ଯାହା ଦେଖିବା ପରେ ସେମାନେ ସ୍ତବ୍ଧ ହୋଇଯାଇଥିଲେ । କାରଣ ଏଥିରେ ଆଇଏସଆଇର କିଛି ଅଧିକାରୀଙ୍କ ନମ୍ବର ଥିଲା । ଏହାସହ ଆତଙ୍କବାଦୀ ସଙ୍ଗଠନର ମୁଖିଆଙ୍କ ସହ ସେ ନିରନ୍ତର କଥା ହେଉଥିଲା । ଆହୁରି ମଧ୍ୟ ଭିଡିଓ ଗ୍ୟାଲେରିରେ ଭାରତର କିଛି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଜାଗାର ଭିଡିଓ ରହିଛି ।

ସୁରକ୍ଷାକର୍ମୀ ଆହୁରି ଜାଣିବାକୁ ପାଇଛନ୍ତି ଯେ, ଶିଶୁର ଫୋନକୁ କ୍ଲୋନ୍ କରାଯାଇଛି । ଅର୍ଥାତ ସେ କେଉଁଆଡେ ଯାଉଛନ୍ତି ତାହାକୁ ଆତଙ୍କବାଦୀ ସଙ୍ଗଠନ ଟ୍ରାକ୍ କରିପାରିବ । ଖାଲି ଜଣେ ଶିଶୁ ନୁହେଁ ଆହୁରି ଅନେକ ନିରୀହ ଶିଶୁଙ୍କୁ ପାକିସ୍ତାନ ନିଜ ଜାଲରେ ପକାଇବାରେ ସକ୍ଷମ ହୋଇଛି । ଶିଶୁଙ୍କୁ ମୁଖ୍ୟତଃ ସୁରକ୍ଷାବାହିନୀର ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଉଛି ।

ସ୍ଥାନୀୟ ଏସଏସପି କହିଛନ୍ତି ଯେ, ଶିଶୁକୁ ଗିରଫ କରାଯାଇଛି । ନଚେତ୍ ସେ ଆହୁରି ବଡ କିଛି ଘଟଣାରେ ସାମିଲ ହୋଇଥାନ୍ତା । ଏହାସହ ସମସ୍ତ ଅଭିଭାବକଙ୍କୁ ଶିଶୁଙ୍କ ପ୍ରତି ନଜର ଦେବାକୁ ସେ ନିବେଦନ କରିଛନ୍ତି । କାରଣ ସେମାନେ ଅଧାରୁ ପାଠ ଛାଡି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି । ଏହାପଛରେ ଜୈଶ-ଏ-ମହମ୍ମଦର ମଧ୍ୟ ହାତ ଥିବା ସୁରାକ ମିଳିଛି ।