LIVE TV

୩୮ ବର୍ଷରେ ଦୁନିଆକୁ ଅଲବିଦା କହିଲେ 'ପବିତ୍ର ରିସ୍ତା'ର ପ୍ରିୟା, କର୍କଟ ରୋଗରେ ଥିଲେ ପୀଡିତ

NEWS7

ନୂଆଦିଲ୍ଲୀ ୩୧।୦୮; ମନୋରଞ୍ଜନ ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପ୍ରସିଦ୍ଧ ଟିଭି ଅଭିନେତ୍ରୀ ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୩୮ ବର୍ଷ ବୟସ ହୋଇଥିଲା । ଏହି ଅଭିନେତ୍ରୀ ୩୧ ଅଗଷ୍ଟ ୨୦୨୫ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କୁହାଯାଉଛି ଯେ ସେ ଗତ ଏକ ବର୍ଷ ହେବ କର୍କଟ ରୋଗରେ ପୀଡିତ ଥିଲେ। ଏହି ରୋଗ ସହ ସେ ତାଙ୍କ ସଂଘର୍ଷ ଜାରି ରହିଥିଲା । ବହୁ ଚିକିତ୍ସା କରିବା ସତ୍ତ୍ଵେ ଆଜି ସେ ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି।

ପ୍ରିୟା ମରାଠେ ଜଣେ ଜଣାଶୁଣା ଛୋଟ ପରଦାର ଅଭିନେତ୍ରୀ ହେବା ସହିତ ଜଣେ ଷ୍ଟାଣ୍ଡ-ଅପ୍ କମେଡିଆନ୍ ମଧ୍ୟ ଥିଲେ। ସେ ଅନେକ ଲୋକପ୍ରିୟ ହିନ୍ଦୀ ଏବଂ ମରାଠୀ ଶୋ’ରେ କାମ କରିଥିଲେ। ସେ ସବୁବେଳେ ତାଙ୍କର ଦମ୍‌ଦାର ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହି ଅଭିନେତ୍ରୀଙ୍କ ହଠାତ୍ ଦୁନିଆ ଛାଡି ଚାଲିଯିବା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ପାଲଟିଛି।

କହିବାକୁ ଗଲେ ପ୍ରିୟାଙ୍କ ଜନ୍ମ ୨୩ ଏପ୍ରିଲ ୧୯୮୭ରେ ମୁମ୍ବାଇରେ ହୋଇଥିଲା। ସେ ତାଙ୍କର ସ୍କୁଲ ଏବଂ କଲେଜ ଶିକ୍ଷା ମୁମ୍ବାଇରୁ ହିଁ କରିଥିଲେ। ପାଠପଢ଼ା ଶେଷ କରିବା ପରେ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ। ପ୍ରିୟା ମରାଠୀ ଧାରାବାହିକ 'ୟା ସୁଖାନୋୟା' 'ପରେ 'ଚାର ଦିବସ ସାସୁଚେ' ସହିତ ତାଙ୍କର ଟିଭି ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ, ସେ ବାଲାଜୀ ଟେଲିଫିଲ୍ମସର ଶୋ' 'କସମ ସେ'ରେ ନଜର ଆସିଥିଲେ। 'କମେଡି ସର୍କସ'ର ପ୍ରଥମ ସିଜିନରେ ମଧ୍ୟ ଦେଖିବାକୁ ମିଳିଥିଲା। ପରେ ପ୍ରିୟା ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ହିଟ୍ ଶୋ' 'ପବିତ୍ର ରିସ୍ତା'ରେ ମଧ୍ୟ କାମ କରିଥିଲେ।