ପାଟଣାଗଡ଼ ୨୮।୦୫ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ୭ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କଲେ ପାଟଣାଗଡ଼ ଏଡିଜେ-୨ କୋର୍ଟ । ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି।
ଖବର ଅନୁଯାୟୀ, ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ର ନବବିବାହିତ ସୌମ୍ୟ ଶେଖର ଓ ତାଙ୍କ ସ୍ତ୍ରୀ ରୀମା ରାଣି ଏକ ପାର୍ସଲ ଗିଫ୍ଟ ପ୍ୟାକ୍କୁ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ ପାଇଁ ତତ୍କାଳୀନ ସରକାର ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରିଥିଲା । ଟିମ୍ ବିଭିନ୍ନ ଦିଗକୁ ତଦନ୍ତ କରି ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ମାମଲାରେ ପ୍ରଥମେ ଜିଲ୍ଲା ପୋଲିସ ଆଉ ପରେ କ୍ରାଇମବ୍ରାଞ୍ଚ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଏହାସହିତ ୬୩ ଜଣଙ୍କର ସାକ୍ଷ୍ୟଗ୍ରହଣ ହୋଇଥିଲା । ଆଉ ଏବେ ଦୀର୍ଘ ସାତ ବର୍ଷ ପରେ ରାୟ ପ୍ରକାଶ କରିଛନ୍ତି ପାଟଣାଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ମାମଲାରେ ଅଭିଯୁକ୍ତ ଥିବା ପୁଞ୍ଜାଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର କୋର୍ଟ । ଏହାପରେ ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।