ପାଟନା ସିଦ୍ଧନାଥ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଫ୍ଲାଟ୍

Published By : Prameya-News7 Bureau | July 07, 2025 IST

ପାଟନା ୭।୭: ବିହାର ରାଜଧାନୀ ପାଟନାର ବାହାଦୂରପୁର ଥାନା ଅଞ୍ଚଳରେ ଥିବା ସିଦ୍ଧନାଥ ଆପାର୍ଟମେଣ୍ଟରେ ସୋମବାର ନିଆଁ ଲାଗିଯାଇଛି। ଦେଖୁ ଦେଖୁ ଆପାର୍ଟମେଣ୍ଟରେ ନିଆଁ ବ୍ୟାପି ଯାଇଥିବା ବେଳେ ପାଖାପାଖି ୫ଟି ଫ୍ଲାଟ ଜଳି ପାଉଁଶ ହୋଇଯାଇଛି। ଫ୍ଲାଟରେ ନିଆଁ ବ୍ୟାପିବା ମାତ୍ରେ ଲୋକେ ଆତଙ୍କିତ ହୋଇ ପଡିବା ସହ ଯିଏ ଯେଉଁପଟେ ବାହାରକୁ ଚାଲି ଆସିଛନ୍ତି। ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ନେଇ ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। 

ସୂଚନା ମିଳିବାମାତ୍ରେ ୧୦ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହି ଘଟଣାକୁ ନେଇ ଥାନା ପ୍ରଭାରୀ ସଞ୍ଜୟ ଶଙ୍କର କହିଛନ୍ତି ଯେ ନିଆଁ ତୀବ୍ର ବ୍ୟାପିବାକୁ ଲାଗିଥିଲା। ଦେଖୁ ଦେଖୁ ଅନେକ ଫ୍ଲାଟରେ ନିଆଁ ଧରିଯାଇଥିଲା। ତେବେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ହେଲ ନିଆଁ ଆୟତ୍ତ ହେବା ପରେ ଯାଞ୍ଚରୁ ପ୍ରକୃତ କାରଣ ଜଣାପଡିବ ବୋଲି ସଞ୍ଜୟ ଶଙ୍କର କହିଛନ୍ତି। 

ସ୍ଥାନୀୟ ଲୋକଙ୍କ ଅନୁସାରେ ଶ୍ୟାମ ମନ୍ଦିର ରୋଡସ୍ଥିତ ସିଦ୍ଧନାଥ ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ଧୂଆଁ ଉଠୁଥିବାର ଦେଖାଯାଇଥିଲା। ଦେଖୁ ଦେଖୁ ନିଆଁ ଅନ୍ୟ ଫ୍ଲାଟ୍ କୁ ବ୍ୟାପି ଯାଇଥିଲା। ଲୋକେ ପହଞ୍ଚିବା ବେଳକୁ ନିଆଁ ବିକରାଳ ରୂପ ଧାରଣ କରିସାରିଥିଲା। ଏଣୁ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି। ନିଆଁ ଆୟତ୍ତ ହେବା ପରେ କ୍ଷୟକ୍ଷତିର ସଠିକ ଅନୁମାନ କରାଯାଇ ପାରିବ ବୋଲି ଦମକଳ ବିଭାଗ ଅଧିକାରୀ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.