ମେଜରକା ୭।୭: ସ୍ପେନ ମେଜରକାରୁ ମଞ୍ଚେଷ୍ଟର ଯାଉଥିବା ରୟାନ ଏୟାର ଫ୍ଲାଇଟରେ ନିଆଁ ଗୁଜବ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ବିମାନ ଟେକଅଫ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନିଆଁ ଲାଗିବା ସତର୍କତା ମିଳିଥିଲା । ଏଣୁ ପ୍ଲେନକୁ ରନୱେରେ ଅଟକାଇ ଦିଆଯାଇଥିବା ବେଳେ କର୍ମଚାରୀ ଏମାର୍ଜେନ୍ସୀ ଦ୍ୱାର ଖୋଲି ଦେଇଥିଲେ। ତେବେ ଯାତ୍ରୀ ଏତେମାତ୍ରାରେ ଘାବରେଇ ଯାଇଥିଲେ ଯେ ବିମାନର ଡେଣା ବାଟେ ଡେଇଁ ପଳାଇବାକୁ ଉଦ୍ୟମ କରିଥିଲେ। ଫଳରେ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ପ୍ଲେନରେ ନିଆଁ ଲାଗିବା ସୂଚନା ପାଇ ତୁରନ୍ତ ରନୱେକୁ ଦମକଳ ଗାଡି, ଆମ୍ବୁଲାନ୍ସ ଓ ପୋଲିସ ସହିତ ଜରୁରିକାଳୀନ ସେବା ପହଞ୍ଚି ଯାଇଥିଲା। ହେଲେ ଲୋକେ ବ୍ୟତିବ୍ୟସ୍ତ ହୋଇ ଏମାର୍ଜେନ୍ସୀ ଦ୍ୱାରବାଟେ ପ୍ଲେନର ଡେଣା ଉପରକୁ ଚାଲି ଆସିଥିଲେ ଓ ତଳକୁ ଡେଇଁବାକୁ ଲାଗିଥିଲେ। ଏଥିରେ ପ୍ରାୟ ୧୮ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲ ପଠାଯାଇଛି।
ପ୍ଲେନରୁ ଯାତ୍ରୀ ବିକ୍ଷିପ୍ତ ଭାବେ ଓହ୍ଲାଉଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଯାଇଛି। ଯାହା ଭାଇରାଲ ହେବାରେ ଲାଗିଛି। ଏଥିରେ ଯାତ୍ରୀଙ୍କୁ ବିମାନର ଡେଣାରୁ ଟରମେକ୍ କୁ ଡେଉଁଥିବାର ଦେଖାଯାଉଛି। ଏହି ଘଟଣା ମେଜରକାର ପାଲ୍ମା ଏୟାରପୋର୍ଟରେ ଘଟିଛି। ଉଡାଣ ପାଇଁ ପ୍ରସ୍ତୁତ ଥିବା ଫ୍ଲାଇଟରେ ଫାୟର ୱାର୍ଣ୍ଣିଂ ଲାଇଟ ଜଳୁଥିବା ଦେଖାଯାଇଥିଲା। ଏହା ପରେ ପ୍ଲେନରେ ନିଆଁ ଲାଗିଥିବା ଗୁଜବ ବ୍ୟାପିଯାଇଥିଲା ଓ ଯାତ୍ରୀ ଘାବରେଇ ଯାଇଥିଲେ।
ଏୟାରଲାଇନ୍ସ ଅନୁସାରେ ନିଆଁ ଲାଗିବା ସୂଚନା ଶନିବାର ରାତି ୧୨ଟା ୩୬ ମିନିଟରେ ମିଳିଥିଲା। କର୍ମଚାରୀ ତୁରନ୍ତ ଏମାର୍ଜେନ୍ସୀ ଗେଟ୍ ଖୋଲି ଦେଇଥିଲେ। ଏଥିରେ ଯାତ୍ରୀ ସ୍ଲାଇଡ କରି ଓହ୍ଲାଉଥିବା ବେଳେ ଆଉ କେତେକ ଯାତ୍ରୀ ଅପେକ୍ଷା କରିପାରିନଥିଲେ ଓ ପ୍ଲେନର ଡେଣା ଉପରେ ଯାଇ ତଳକୁ ଡେଇଁବାକୁ ଲାଗିଥିଲେ। ତେବେ ପରେ ନିଆଁ ଲାଗିବା ଖବର ମିଛ ବୋଲି ଜଣାପଡିଥିଲା। ତେବେ ଯାତ୍ରୀଙ୍କୁ ଅସୁବିଧା ନ ହେଉ ସେଥି ପାଇଁ ଏକ ରିପ୍ଲେସମେଣ୍ଟ ଏୟାରକ୍ରାଫ୍ଟ ବ୍ୟବସ୍ଥା କରାଯାଇଥିଲା ଓ ଯାତ୍ରୀମାନେ ପାଲ୍ମାରୁ ରବିବାର ସକାଳ ୭ଟା ୫ ମିନିଟରେ ଗନ୍ତବ୍ୟ ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ।