ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଘାଟିରେ ଖସି ପଡ଼ିଲା ମିନି ବସ୍। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି।୧୭ ଜଣ ଆହତ ହୋଇଛନ୍ତି। ପୋଣ୍ଡା ନିକଟରେ ଡୋଡା-ଭର୍ଥ ରାସ୍ତାର ଏକ ମୋଡ଼ରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା।
ଅଧିକାରୀମାନେ କହିଛନ୍ତି ଯେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର। ଅଧିକାରୀମାନେ କହିଛନ୍ତି ଯେ ଗୁରୁତର ଆହତମାନଙ୍କ ମଧ୍ୟରୁ ଜଣେ, ପାଞ୍ଚ ବର୍ଷୀୟ ଉଜମା ଜାନଙ୍କୁ ଜମ୍ମୁକୁ ରେଫର କରାଯାଇଛି।
ମୃତକଙ୍କ ନାମ ମହମ୍ମଦ ଆସରଫ, ମଙ୍ଗତା ୱାନି, ଆତା ମହମ୍ମଦ, ତାଲିବ ହୁସେନ ଏବଂ ରଫିକା ବେଗମ। ଦୁର୍ଘଟଣାରେ ଆହତ ପରଭେଜ କହିଛନ୍ତି ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଲୋଡ୍ ହୋଇଯାଇଥିଲା। ବୁଲାଣି ଅତିକ୍ରମ ବେଳେ ଏକ ଜୋରରେ ଶବ୍ଦ ହୋଇଥିଲା। ଦୁର୍ଘଟଣା ପରେ ଆମେ ଚେତାଶୂନ୍ୟ ହୋଇଗଲୁ। ଲୋକମାନେ ଆମକୁ ଡାକ୍ତରଖାନାକୁ ଆଣିଥିଲେ।
ଗାଡ଼ିଟି ଖାଲରେ ପଡ଼ିବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପରେ ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଡୋଡାରେ ହୋଇଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। କହିଛନ୍ତି, "ଡୋଡାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ହୋଇଥିବା ଜୀବନହାନିରେ ମୁଁ ଦୁଃଖିତ। ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।"
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ, ସେ ଡୋଡା ଡେପୁଟି କମିଶନର ହରବିନ୍ଦର ସିଂହଙ୍କ ସହ କଥା ହୋଇଥିଲେ। ସମସ୍ତ ପ୍ରକାରର ସାହାଯ୍ୟ ଏବଂ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ଆବଶ୍ୟକ ହେଲେ ଆହୁରି ସହାୟତା ଯୋଗାଇ ଦିଆଯିବ।