ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ, ସରକାର ଜଣାଇଲେ ଆଗାମୀ ରଣନୀତି

Published By : Prameya-News7 Bureau | May 26, 2025 IST

ନୂଆଦିଲ୍ଲୀ ୨୬।୫: ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ସୋମବାର ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଏହି ବୈଠକରେ ସରକାର ସୀମାପାର ଆତଙ୍କବାଦକୁ ନେଇ ତାଙ୍କ ରଣନୀତି ସ୍ପଷ୍ଟ କରିଛନ୍ତି, ଯେଉଁଥିରେ କୂଟନୈତିକ ଓ ଅନ୍ୟ ଉଦ୍ୟମ ଉପରେ ସୂଚନା ଦେଇଛନ୍ତି। ସରକାର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ କହିଛନ୍ତି ଯେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଛି, ଯେଉଁଗୁଡିକ ଆତଙ୍କବାଦର କେନ୍ଦ୍ର ଥିଲା। 

ଏହା ଦ୍ୱାରା ପାକିସ୍ତାନ ସେନାର ମନବଳକୁ ଆଘାତ ଲାଗିଛି, କାରଣ ସେ ଆତଙ୍କବାଦ ଶିବିର ଗୁଡିକର ରକ୍ଷା କରିପାରି ନାହିଁ। ସରକାର କହିଛନ୍ତି ଯେ ଆମେ ଏହାକୁ ଆତଙ୍କବାଦ ବିରୋଧରେ ଲଢେଇ ବୋଲି କହୁଛୁ, ଯାହାକୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ମିଳିଛି। ପ୍ରସଙ୍ଗରେ କେବଳ ତୁର୍କିଏ, ଆଜାରବୈଜାନ ଓ ଚୀନ୍‌ କୁ ଛାଡି ବାକି କୌଣସି ଦେଶଙ୍କୁ ସମର୍ଥନ ମିଳି ନାହିଁ। ବୈଠକରେ କଂଗ୍ରେସ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନକୁ କଥିତ ରୂପେ ଆକ୍ରମଣର ସୂଚନା ଦିଆଯିବାର ବିବାଦକୁ ଉଠାଇଥିଲା। 

ପ୍ରସଙ୍ଗରେ ସରକାର ତାଙ୍କର ପକ୍ଷ ସ୍ପଷ୍ଟ କରିଛନ୍ତି, କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରର ଆଲୋଚନା ବ୍ୟତୀତ ଅନ୍ୟ କୌଣସି ପ୍ରକାରର ଆଲୋଚନା ହୋଇ ନାହିଁ ଏବଂ ତାହା ବି ଆକ୍ରମଣ ପରେ ହୋଇଛି। ସରକାର କହିଛନ୍ତି ଯେ ପ୍ରଥମେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଗଲା, ଏହା ପରେ ପିଆଇବି ପ୍ରେସ ବିବୃତ୍ତି ଜାରି କରିଥିଲେ। ଏହା ପରେ ଭାରତର ଡିଜିଏମଓ ପାକିସ୍ତାନ ଡିଜିଏମଓଙ୍କ ସହ କଥା ହୋଇଛନ୍ତି। ବିଦେଶ ମନ୍ତ୍ରୀ କଂଗ୍ରେସ ଦ୍ୱାରା କରାଯାଉଥିବା ଅପପ୍ରଚାରକୁ ଘଟଣାର ଭୁଲ ଚିତ୍ରଣ ବୋଲି କହିଛନ୍ତି। 

ସିନ୍ଧୁ ଜଳ ସନ୍ଧିକୁ ନେଇ ସଂସଦୀୟ କମିଟି ସରକାରଙ୍କୁ ନିଷ୍ପତ୍ତି କାୟମ ରହିବ କି ନା ଏହା କେବଳ ପ୍ରତିକାତ୍ମକ ବୋଲି ପ୍ରଶ୍ନ କରିଥିଲା। ତେବେ ଏହା ଉପରେ ସରକାର କହିଛନ୍ତି ଯେ ବର୍ତ୍ତମାନ ଲାଗି ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିଛି। ହେଲେ ଭବିଷ୍ୟତରେ ଯଦି ଏ ନେଇ କୌଣସି ନିଷ୍ପତ୍ତି ନିଆଯାଏ ତେବେ ସାଂସଦମାନଙ୍କୁ ସୂଚନା ଦିଆଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.