ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସଂସଦ ଓ ସୁପ୍ରିମକୋର୍ଟର ଶକ୍ତିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସଂସଦ ହିଁ ସର୍ବୋଚ୍ଚ, ଏହା ଉପରେ କୌଣସି ଅଥରିଟି ନାହିଁ । ଏହା ଏଥିପାଇଁ କାରଣ ସଂସଦକୁ ଯେଉଁ ସାଂସଦ ନିର୍ବାଚିତ ହୋଇ ଆସନ୍ତି, ସେମାନଙ୍କ ସାଧାରଣ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି । ସାଂସଦ ହିଁ ସବୁକିଛି ଅଟନ୍ତି, ତାଙ୍କ ଉପରେ କେହି ନାହାନ୍ତି । ଉପରାଷ୍ଟ୍ରପତି ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କହିଛନ୍ତି । ଏହି ଅବସରରେ ସେ ସୁପ୍ରିମକୋର୍ଟ ଉପରେ ନିଜ ଟିପ୍ପଣୀର ସମାଲୋଚନାର ବି ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ସାମ୍ୱିଧାନିକ ପଦାଧିକାରୀ (ନିଜ ବିଷୟରେ)ଙ୍କ ଦ୍ୱାରା କୁହାଯାଇଥିବା ପ୍ରତିଟି ଶବ୍ଦ ରାଷ୍ଟ୍ରୀୟ ହିତରୁ ନିର୍ଦ୍ଦେଶିତ ।
ସେ କହିଛନ୍ତି ଯେ ସମ୍ୱିଧାନ କିପରି ହେବ ଓ ଏଥିରେ କଣ ସଂଶୋଧନ ହେବ, ତାହା ନିର୍ଦ୍ଧାରଣ କରିବାର ପୂରା ଅଧିକାର ସାଂସଦଙ୍କ ପାଖରେ ଅଛି । ତାଙ୍କ ଉପରେ କେହି ମଧ୍ୟ ନାହାନ୍ତି । ଉପରାଷ୍ଟ୍ରପତିଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ସୁପ୍ରିମକୋର୍ଟଙ୍କୁ ନେଇ କରାଯାଇଥିବା ତାଙ୍କ ଟିପ୍ପଣୀକୁ ଗୋଟିଏ ବର୍ଗ ସମାଲୋଚନା କରୁଛି । ଉପରାଷ୍ଟ୍ରପତି କହିଛନ୍ତି ଯେ ଗଣତନ୍ତ୍ରରେ ସଂସଦ ହିଁ ସୁପ୍ରିମ୍ । ସାମ୍ୱିଧାନିକ ପଦରେ ବସିଥିବା ପ୍ରତିଟି ବ୍ୟକ୍ତିର ବୟାନ ରାଷ୍ଟ୍ର ହିତରେ ହୋଇଥାଏ ।
ଉପରାଷ୍ଟ୍ରପତି ୧୯୭୫ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏମର୍ଜେନ୍ସି ବେଳେ କୋର୍ଟଙ୍କ ଭୂମିକା ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏକ ମାମଲାରେ ସୁପ୍ରିମକୋର୍ଟ ପ୍ରସ୍ତାବନାକୁ ସମ୍ୱିଧାନର ଅଂଶ ନାହିଁ କହିଥିଲେ, ଅନ୍ୟ ଏକ ମାମଲାରେ ଏସସି କହିଥିଲେ ଯେ ଏହି ସମ୍ୱିଧାନର ଅଂଶ । କିନ୍ତୁ ସମ୍ୱିଧାନ ବାବଦରେ କୌଣସି ସନ୍ଦେହ ନହେବା ଦରକାର । ନିର୍ବାଚିତ ପ୍ରତିନିଧି ହିଁ ସମ୍ୱିଧାନର ଶେଷ ସ୍ୱାମୀ ହେବ, ତାଙ୍କ ଉପରେ କୌଣସି ଅଥରିଟି ରହିପାରିବ ନାହିଁ ।
ସେ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟ ଏମର୍ଜେନ୍ସି ଲାଗୁ କରିବା ମାମଲାରେ ନଅ ହାଇକୋର୍ଟଙ୍କ ରାୟକୁ ବଦଳାଇ ଦେଇଥିଲେ । ଏହାକୁ ସେ ଗଣତାନ୍ତ୍ରିକ ଇତିହାସର ସବୁଠୁ କାଳ ଅଧ୍ୟାୟ ଓ ମୌଳିକ ଅଧିକାରାର ନିଲମ୍ୱନ ବୋଲି କହିଛନ୍ତି । ସେ କହିଛନ୍ତି, 'ମୁଁ ଏହାକୁ ସବୁଠୁ କଳା ଅଧ୍ୟାୟ ଏଥିପାଇଁ କହୁଛି, କାରଣ ସବୁଠୁ ବଡ଼ ଅଦାଲତ ୯ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରିଥିଲା ।'
ଏହା ପୂର୍ବରୁ ସେ ସମ୍ୱିଧାନର ଧାରା ୧୪୨ କଥା ଉଲ୍ଲେଖ କରି ଏହା ସାମ୍ୱିଧାନିକ ଶକ୍ତି ବିରୋଧରେ ଆଣବିକ ମିସାଇଲ୍ ପାଲଟିଛି ବୋଲି କହିଥିଲେ । ଏପ୍ରିଲ୍ ୧୭ରେ ସେ କହିଥିଲେ, 'ନିକଟରେ ଦିଆଯାଇଥିବା ରାୟରେ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଆଗଲା । ଆମେ କେଉଁ ଆଡ଼କୁ ଯାଉଛୁ ? ଦେଶରେ କଣ ଚାଲିଛି ? ଆମକୁ ସମ୍ୱେଦନଶୀଳ ହେବାକୁ ପଡ଼ିବ । ରାଷ୍ଟ୍ରପତିଙ୍କୁ ସମୟ ସୀମା ଭିତରେ ନିଷ୍ପତ୍ତି ନେବା ପାଇଁ କୁହାଯାଉଛି, ଆଉ ଯଦି ନୁହେଁ, ତେବେ ଆଇନ କରାଯାଉଛି । ଆମ ପାଖରେ ଏପରି ନ୍ୟାୟଧୀଶ ଅଛନ୍ତି, ଯେଉଁମାନେ ଆଇନ କରିବେ, କାର୍ଯ୍ୟପାଳିକାର କାର୍ଯ୍ୟ ଦେଖିବେ, ସୁପର-ସଂସଦ ଭାବେ କାମ କରିବେ ଓ କୌଣସି ଉତ୍ତରଦାୟୀ ମଧ୍ୟ ରହିବେ ନାହିଁ । କାରଣ ଦେଶର ଆଇନ ସେମାନଙ୍କ ଉପରେ ଲାଗୁ ହେଉ ନାହିଁ ।'